ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଏହି ସମୟରେ ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିବା ସହ ଅନ୍ତର୍ଜାତୀୟ ବିମାନ ସେବା ଉପରେ ପ୍ରତିବନ୍ଧକ ଲାଗୁ ରହିଛି । ଅନ୍ୟପକ୍ଷେ ଭାରତରେ ମେ ୨୫ରୁ ଘରୋଇ ବିମାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଜୁନ ମାସର ମଧ୍ୟ ଭାଗରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ସୋମବାର ଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାର ମାନଦଣ୍ଡ ସ୍ପଷ୍ଟ କରିବାକୁ ଜନସାଧାରଣଙ୍କ ସହ ଅନଲାଇନ୍ ଆଲୋଚନା ବେଳେ ସେ କହିଛନ୍ତି ଯେ, ଆରୋଗ୍ୟ ସେତୁ ଆପରେ ସବୁଜ ସ୍ଥିତି ଦେଖାଉଥିବା ଯାତ୍ରୀମାନଙ୍କୁ କ୍ୱାରେଣ୍ଟିନ କରିବାର ଆବଶ୍ୟକତା ନାହିଁ । ଜୁନ୍ ମଧ୍ୟଭାଗରୁ ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ ଆରମ୍ଭ ହୋଇପାରିବ ବୋଲି ସେ ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ, ଅଗଷ୍ଟ ପୂର୍ବରୁ ଆମେ ଅଳ୍ପ ସଂଖ୍ୟକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବାକୁ ଆରମ୍ଭ କରିବାକୁ ଚେଷ୍ଟା କରିବୁ । ଏଥି ସହିତ ପୁରୀ କହିଛନ୍ତି ଯେ, ଘରୋଇ ବିମାନ ସେବା ମେ ୨୫ରୁ ଆରମ୍ଭ ହେବା ଓ ଭାରତରେ ମେ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହେବା ମଧ୍ୟରେ କୌଣସି ବିରୋଧାଭାସ ନାହିଁ ।


ଦେଶରେ ମାର୍ଚ୍ଚରୁ ଲକଡାଉନ୍ ଲାଗୁ ହେବା ପରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ କରି ଦିଆଯାଇଛି । ଏହି ବୁଧବାର ପୁରୀ ଘୋଷଣା କରିଥିଲେ ଯେ ଦେଶରେ ବିମାନ ସୁବିଧା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ।