ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ବିଳମ୍ବରେ ଆରମ୍ଭ ହୋଇଥିବା ଫଟାଫଟ କ୍ରିକେଟର ଖୋରାକ ଯୋଗାଉଥିବା ଆଇପିଏଲରେ ଆରମ୍ଭରୁ ମୁଣ୍ଡ ଟେକିଲାଣି। ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ। ତେବେ ଏହି ମ୍ୟାଚଟି ବେଶ ରୋମାଞ୍ଚକର ହୋଇଥିଲା। ଚଳିତ ଆଇପିଏଲ ସଂସ୍କରଣରେ ପ୍ରଥମ ସୁପର ଓଭର ମ୍ୟାଚ ଖେଳାଯାଇଥିଲା ଏହି ମ୍ୟାଚରେ। ସୁପର ଓଭରରେ ଦିଲ୍ଲୀ ବିଜୟ ଲାଭ କରିଥିବା ବେଳେ ପଞ୍ଜାବର ସର୍ଟ ରନକୁ ନେଇ ବିବାଦ ଜୋର ଧରିଛି। 


COMMERCIAL BREAK
SCROLL TO CONTINUE READING

ଏହି ମ୍ୟାଚ ମଧ୍ୟରେ ପଞ୍ଜାବ ଏକାଦଶର କ୍ରିସ ଜୋର୍ଡାନଙ୍କୁ ସର୍ଟରନ ନେଇଥିବା ଅମ୍ପାୟାର ନୀତିନ ମେନନ ସୂଚାଇଥିଲେ। ସୋମବାର ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ KIXP ଖେଳାଳି ରେଫରୀଙ୍କୁ ନିବେଦନ କରିଛନ୍ତି। ୧୯ତମ ଓଭରର ତୃତୀୟ ବଲରୁ 'ସର୍ଟ ରନ୍' ପାଇଁ ଅମ୍ପାୟର ମେନନ୍ କ୍ରିସ୍ ଜୋର୍ଡାନଙ୍କୁ କହିଥିଲେ। ଗତକାଲି ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ୧୫୮ରନ ବିଜୟ ଲକ୍ଷ୍ୟ ଦେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ। ଏହି ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ପଞ୍ଜାବକୁ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା। ତେବେ ମୟଙ୍କ ଅଗ୍ରଓ୍ୱାଲ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟ ଲକ୍ଷ୍ୟର ନିକଟତର କରାଇପାରିଥିଲେ।


ମ୍ୟାଚର ଅନ୍ତିମ ୧୦ଟି ବଲ ବେଶ ରୋମାଞ୍ଚକର ଥିଲା। ୧୦ଟି ବଲରେ ୨୧ରନର ଆବଶ୍ୟକତା ଥିବା ବେଳେ କାଗିସୋ ରାବଡ଼ାଙ୍କ ବଲରେ ମୟଙ୍କ ଓ କ୍ରିସ ଜୋର୍ଡାନ ଦୁଇ ରନ ନେବାକୁ ପ୍ରୟାସ କରିଥିଲେ। ତେବେ ଏହିଠାରେ ହିଁ ପୁରା ଖେଳର ମୋଡ଼ ହିଁ ବଦଳିଯାଇଥିଲା। ଉଭୟ ମୟଙ୍କ ଓ ଜୋର୍ଡାନ ଦୁଇ ରନ ନେବାକୁ ପ୍ରୟାସ କରୁଥିବା ବେଳେ ପ୍ରଥମ ରନକୁ ସର୍ଟରନ ବୋଲି ଅମ୍ପାୟାର ସଂକେତ ଦେଇଥିଲେଯ ଫଳରେ ଦୁଇ ରନ ପରିବର୍ତ୍ତେ ଗୋଟିଏ ରନ ହୋଇଥିଲା। ସେପଟେ କିନ୍ତୁ ଟିଭିରେ ରି-ପ୍ଲେ ରେ ଜୋର୍ଡାନ କ୍ରିଜ ମଧ୍ୟରେ ବ୍ୟାଟ ରଖିଥିବା ନେଇ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଏହି ଗୋଟିଏ ରନ ଦଳ ପାଇଁ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହିଥିଲା। କାରଣ ଏହି ଗୋଟିଏ ରନ ପାଇଁ ସୁପର ଓଭର ଖେଳାଯାଇଥିଲା। ସେପଟେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ପଞ୍ଜାବର ମାଲିକାଣୀ ପ୍ରିତି ଜିଣ୍ଟା ଓ ସିଇଓ ସତୀଶ ମେନନ ଦୃଢ ନିନ୍ଦା କରିବା ସହିତ ବିରୋଧ ମଧ୍ୟ କରିଛନ୍ତି। 


ସିଇଓ ମେନନ କହିଛନ୍ତି ଯେ, ମଣିଷ ମାତ୍ରେକେ ଭୁଲ ରହିଛି। କିନ୍ତୁ ଆଇପିଏଲ ଭଳି ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହାର କୌଣସି ସ୍ଥାନ ନାହିଁ। ଏନେଇ ଆମେ ମ୍ୟାଚ ରେଫରୀଙ୍କୁ ଅବଗତ କରିଛୁ। ଗୋଟିଏ ରନ ଆମକୁ ପ୍ଲେଅଫରୁ ବଞ୍ଚିତ କରିପାରେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ଫଳାଫଳକୁ ତ ଆମେ ପରିବର୍ତ୍ତନ କରିପାରିବୁ ନାହିଁ କିନ୍ତୁ ଏହା ନିଶ୍ଚିତ ପକ୍ଷେ ଭୁଲ ପଦକ୍ଷେପ। ଭାବୁଛି ଏହି ଘଟଣାର ଯାଞ୍ଚ କରାଯିବ ଏବଂ ଭବିଷ୍ୟତରେ ଯେଭଳି ପୁନରାବୃତ୍ତି ନ ଘଟେ ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି।