49th Chief Justice of India, ନୂଆଦିଲ୍ଲୀ: ଭାରତକୁ ମିଳିଲେ ନୂଆ ନ୍ୟାୟମୂର୍ତ୍ତି। ଶନିବାର ସୁପ୍ରିମକୋର୍ଟର ୪୯ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସକାଳ ସାଢେ ୧୦ଟା ସମୟରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଜଷ୍ଟିସ୍ ଏନଭି ରମଣାଙ୍କ ଅବସରର ଦିନକ ପରେ ଅଫିସରୁ ଜଷ୍ଟିସ୍ ଲଲିତ ଦାୟିତ୍ୱ ଗ୍ରହଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି। ଏହା ପୂର୍ବରୁ ସେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଶପଥପାଠ କରାଇଥିଲେ। ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ, ପୂର୍ବତନ ସିଜେଆଇ ଏନ୍‌ଭି ରମଣା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସ୍‌. ଅବ୍ଦୁଲ୍‌ ନାଜୀରଙ୍କ ଭଳି ସୁପ୍ରିମ୍‌କୋର୍ଟର ବିଚାରପତି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ୟୁୟୁ ଲଳିତଙ୍କ ତିନି ପିଢି ଉପସ୍ଥିତ ଥିଲେ।


Also Read: CJI NV Ramana retires today: ଭାଙ୍ଗିଲେ ସୁପ୍ରିମକୋର୍ଟର ଏହି ରେକର୍ଡ, ଛାଡିଲେ ଅଧିକ-ଶୁଣାଇଲେ କମ୍


ଶୁକ୍ରବାର ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜଷ୍ଟିସ୍ ଲଳିତ ୪୯ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଜଷ୍ଟିସ ୟୁୟୁ ଲଳିତଙ୍କ ପରିବାର ପାଇଁ କୋର୍ଟ ଏବଂ ଓକିଲାତି କିଛି ନୂଆ କଥା ନୁହେଁ। ୧୦୨ ବର୍ଷ ହେଲା ଜଷ୍ଟିସ ଲଳିତଙ୍କ ପରିବାର ଓକିଲାତି ପେସାରେ ଅଛନ୍ତି। ତାଙ୍କ ୯୦ ବର୍ଷୀୟ ଜେଜେବାପା ରଙ୍ଗନାଥ ଲଳିତ୍, ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଓକିଲ ଭାବେ ସ୍ୱାଧୀନତାର ଯଥେଷ୍ଟ ପୂର୍ବରୁ କାମ କରୁଥିଲେ। ୧୯୫୭ରେ ଜନ୍ମିତ ଜଷ୍ଟିସ ଲଲିତ ଜୁନ ୧୯୮୩ରେ ଆଡଭୋକେଟ ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଡିସେମ୍ବର ୧୯୮୫ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ କରିଥିଲେ। ଜାନୁଆରୀ ୧୯୮୬ରେ ସେ ତାଙ୍କର ପ୍ରାକ୍ଟିସକୁ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ ଏବଂ ଏପ୍ରିଲ ୨୦୦୪ରେ ସେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଜଣେ ବରିଷ୍ଠ ଓକିଲ ଭାବରେ ନିଯୁକ୍ତ ହୋଇଥିଲେ।


 



ଓକିଲାତି ଭାବେ କାମ କରୁଥିବା ବେଳେ ସେ ଦେଶର ଅନ୍ୟତମ ଅପରାଧିକ ମାମଲାର ପ୍ରଖ୍ୟାତ ଆଇନଜୀବୀର ମାନ୍ୟତା ପାଇଥିଲେ। ବହୁ ଚର୍ଚ୍ଚିତ ୨ଜି ସ୍ପେକ୍ଟ୍ରମ ଆବଣ୍ଟନ ମାମଲାରେ ୟୁୟୁ ଲଳିତ ସରକାରଙ୍କ ପକ୍ଷ ରଖିଥିଲେ। ତାଙ୍କୁ କୋର୍ଟ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଥିଲେ। ଏହି ହାଇପ୍ରୋଫାଇଲ ମାମଲାର ପରିଚାଳନା କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ଏବଂ ଓକିଲ ଭାବେ ତାଙ୍କ କାର୍ଯ୍ୟ ଦକ୍ଷତାକୁ ସବୁଆଡ଼େ ପ୍ରଶଂସା କରାଯାଇଥିଲା। 2G ସ୍ପେକ୍ଟ୍ରମ୍ ଆବଣ୍ଟନ ମାମଲାରେ ବିଚାର ପ୍ରକ୍ରିୟାରେ ସିବିଆଇ ପାଇଁ ୟୁୟୁ ଲଳିତଙ୍କୁ ଏକ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୪ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।


Also Read: Ghulam Nabi Azad: ଜାଣନ୍ତୁ ଗୁଲାମ ନବୀ ଆଜାଦଙ୍କର ରାଜନୈତିକ ଯାତ୍ରା ବିଷୟରେ


ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ଲଲିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଚାରର ଅଂଶବିଶେଷ ରହିଛନ୍ତି ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବେ। ଅବସର ନେବା ପୂର୍ବରୁ ଜଷ୍ଟିସ ଏନଭି ରମଣା ୨୫ଟି ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଯାହାର ପରିଚାଳନା ସିଜେଆଇ ୟୁୟୁ ଲଳିତଙ୍କୁ କରିବାକୁ ପଡିବ। ଜଷ୍ଟିସ୍ ଏନଭି ରମଣାଙ୍କ ସୁପାରିଶ କ୍ରମେ ବର୍ତ୍ତମାନ ସେ ସିଜେଆଇ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ସିଜେଆଇ ୟୁୟୁ ଲଳିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ। ଆସନ୍ତା ନଭେମ୍ବର ୮ରେ ତାଙ୍କୁ ୬୫ ବର୍ଷ ବୟସ ପୁରିବ। ସେହି ଦିନ ସେ ଅବସର ନେବେ।