ନୂଆଦିଲ୍ଲୀ: ଜୁନ ୨୨ ତାରିଖ ସୋମବାର ଠାରୁ ଋଷିଆ ଗସ୍ତରେ ଅଛନ୍ତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ |  ଜୁନ ୨୪ ତାରିଖରେ ରାଜଧାନୀ ମସ୍କୋ ଠାରେ ଆୟୋଜିତ ହେଉଥିବା ବିଜୟ ଦିବସ ପ୍ୟାରେଡରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ | ଚୀନ ସହ ହୋଇଥିବା ସାମରିକ ସଂଘର୍ଷ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ଋଷ ଅଭିମୁଖେ ଯାତ୍ରା କରି ଛନ୍ତି ସେ |


COMMERCIAL BREAK
SCROLL TO CONTINUE READING

ଋଷ ପକ୍ଷରୁ ଭାରତକୁ ମିଲିବାକୁ ଥିବା ବହୁ ପ୍ରତୀକ୍ଷିତ S-400 ମିସାଇଲ ଡିଫେନ୍ସ ସିଷ୍ଟମର ବିତରଣକୁ ଖୁବଶୀଘ୍ର ତ୍ୱରାନ୍ୱିତ କରିବାକୁ ଆଗ୍ରହୀ ହୋଇଉଠିଛି ଭାରତ | ବିଶ୍ୱରେ ଚାଲିଥିବା କୋରୋନା ସଂକଟ କାରଣରୁ ଏହାକୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ପାରମ୍ପରିକ ସାମରିକ ସହଯୋଗୀ ଭାରତକୁ ହସ୍ତାନ୍ତର କରିବା ପଦକ୍ଷେପ ସ୍ଥଗିତ ରଖିଛି ଋଷିଆ |  


ଏନେଇ ସ୍ୱାକ୍ଷରିତ ହୋଇଥିବାନ ପ୍ରାୟ ୫.୪ ବିଲିୟନ ଡ଼ଲାର ମୂଲ୍ୟର ଚୁକ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଗତ ବର୍ଷ ଭାରତ ପକ୍ଷରୁ ଏହାର ଏକ ବଡ ଭାଗ ଋଷ ପରିଶୋଧ କରାଯାଇଥିଲା | ଏହି ପ୍ରକଳ୍ପରୁ ଅଗ୍ରଗତି ନେଇ ଋଷୀୟ ପ୍ରତିପକ୍ଷ ସର୍ଜି ଶୋଏଗୁଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ |


ଋଷ ଗସ୍ତ ଅବସରରେ ଟ୍ୱିଟ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଜୁନ ୨୪ ତାରିଖରେ ଆୟୋଜିତ ହେଉଥିବା ବିଜୟ ଦିବସ ପରେଡରେ ଭାରତ ଅଂଶଗ୍ରହଣ, ଋଷିଆ ସହିତ ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଏକ ସୁଯୋଗ | ଏହି ଗସ୍ତ ଅବସରରେ ଋଷିଆର ଉପ ପ୍ରଧାନମନ୍ତ୍ରୀ ୟୁରି ବୋରିସୋଭଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି, ଯିଏକି ଋଷୀୟ ସରକାରଙ୍କ ସାମରିକ ଏବଂ ଏରୋସ୍ପେସ୍ ବ୍ୟାପାର ଦାୟିତ୍ୱରେ ଅଛନ୍ତି | 


ମସ୍କୋ ଠାର ୭୫  ତମ ବିଜୟ ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ପଠାଇବା କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ | କାରଣ ଚୀନ ସହ ବଢୁଥିବା ବିପଦ ନଜରରେ ରଖି ଋଷିଆରୁ ୧୨ଟି ସୁଖୋଇ-30mki ଏବଂ ୨୧ଟି ମିଗ-29 ଯୁଦ୍ଧ ବିମାନ କ୍ରୟ ଯୋଜନାରେ ରହିଛି ଭାରତ |


ବର୍ତ୍ତମାନର ସ୍ଥିତିରେ ଋଷିଆ ସହ ଜଡିତ ହେବାର ଏକ ସୁଯୋଗ ବୋଲି ଭାରତ ବିଚାର କରୁଛି | କାରଣ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେ ୱେଙ୍ଗେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସମ୍ଭାବନା ରହିଛ| ଋଷ-ଚୀନ ପରସ୍ପର ମଧ୍ୟରେ ଦୃଢ ପ୍ରତିରକ୍ଷା ସମ୍ପର୍କ ରଖିଛନ୍ତି | ଯାହା ଫଳରେ ମସ୍କୋ ଠାରୁ  S-400 ମିସାଇଲ ଡିଫେନ୍ସ ସିଷ୍ଟମ ହାସଲ କରିସାରିଛି ବେଜିଂ |