ଭୋପାଳ: ଆଗାମୀ ଦିନରେ ହେବାକୁ ଥିବା ଉପନିର୍ବାଚନକୁ (By Poll) ନେଇ ସରଗରମ ରହିଛି ମଧ୍ୟ ପ୍ରଦେଶ ରାଜନୀତି (Madhya Pradesh Politics)। ଏହି  ନିର୍ବାଚନ ବୈତରଣୀ ପାର ହୋଇ ଶାସନ ଗାଦି ହାତେଇବାକୁ ଉଦ୍ୟମ ଜାରି ରଖିଛନ୍ତି ଉଭୟ ବିଜେପି-କଂଗ୍ରେସ (BJP-Congress)। ରାଜ୍ୟର ୨୭ଟି ବିଧାନସଭା ଆସନରେ (Assembly Constituency) ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । 
 
ଏହି ନିର୍ବାଚନରେ ବିଦ୍ରୋହୀ କଂଗ୍ରେସ ବିଧାୟକ, ବିଜେପିର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରିବେ । ଅନ୍ୟପଟେ ଦଳର ବରିଷ୍ଠ ନେତାକୁ ନିର୍ବାଚନ ମୈଦାନରେ ଓହ୍ଲାଇପାରେ କଂଗ୍ରେସ । ଅନ୍ୟପଟେ ଏଥର ଦଳର ଫାୟାରବ୍ରାଣ୍ଡ ନେତ୍ରୀ (Fire Brand Leader) ଉମା ଭାରତୀଙ୍କୁ (Uma Bharti) ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରାଇବା ଲାଗି ବିଜେପିର ଦଳୀୟ ମହଲରେ ମାନସମନ୍ଥନ ଚାଲିଛି ।    


COMMERCIAL BREAK
SCROLL TO CONTINUE READING

ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ଥିବା ଉମା ଭାରତୀ ମଧ୍ୟ ପ୍ରଦେଶ ରାଜନୀତିରେ ଜଣେ ହେଭିୱେଟ ରାଜନେତା (Heavy Weight Politician) ଭାବେ ଜଣାଶୁଣା । ୧୯୯୯ ମସିହା ଲୋକସଭା ନିର୍ବାଚନରେ ଭୋପାଳ ସଂସଦୀୟ କ୍ଷେତ୍ରରୁ (Bhopal Parliamentary Constituency) ସାଂସଦ ଭାବେ ନିର୍ବାଚିତ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ (Atal Bihari Bajpayee) ସରକାରରେ ମନ୍ତ୍ରୀ ହୋଇଥିଲେ। 


ଏହା ପରେ ୨୦୦୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ (2003 MP Assembly Poll) ଉମା ଭାରତୀୟଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା ବିଜେପି । ପ୍ରାୟ ୧୦ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ଥିବା ଦିଗବିଜୟ ସିଂହଙ୍କ (Digvijay Singh) କଂଗ୍ରେସ ସରକାରକୁ (Congress Govt) ଗାଦିଚ୍ୟୁତ କରିଥିଲା ବିଜେପି । ସେବେଠାରୁ ପ୍ରାୟ ୧୫ ବର୍ଷ ଧରି ୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ ସରକାର ଗଠନ କରିଥିଲା ବିଜେପି । ସେହିବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପୁନର୍ବାର ଶାସନ ଗାଦିକୁ ଫେରିବାରେ ଅଳ୍ପକେ ବଞ୍ଚିତ ହୋଇଥିଲା । ୧୯୯୩-୨୦୦୩ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ଦିଗବିଜୟ ସିଂହ ।


୨୦୦୫ରୁ ପ୍ରାୟ ୧୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହ୍ୱାନଙ୍କ (Shivraj Singh Chouhan) ବଦଳରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହୋଇଥିଲେ କମଲନାଥ (Kamalnath)। ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଦ୍ରୋହ କାରଣରୁ ଗାଦିଚ୍ୟୁତ ହୋଇଥିଲା କମଲନାଥଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର । ଆଉ ପୁନର୍ବାର ମାର୍ଚ୍ଚ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଶିବରାଜ ସିଂହ ।


ବର୍ତ୍ତମାନର ବିଧାନସଭାରେ କଂଗ୍ରେସର ୮୯, ବିଜେପିର ୧୦୭, ସ୍ୱାଧିନ ୪, ବହୁଜନ ସମାଜ ପାର୍ଟି-ବିଏସପି (Bahujan Samaj Party-BSP) ୨, ସମାଜବାଦ ପାର୍ଟି-ଏସପି(Samajwadi Party-SP) ଜଣେ ବିଧାୟକ ରହିଛନ୍ତି । ବର୍ତ୍ତମାନ ସ୍ୱାଧିନ, ବିଏସପି, ଏସପି ବିଧାୟକଙ୍କ ସମର୍ଥନ ବଳରେ ସରକାର ଗଠନ କରିଛି ବିଜେପି । ଯଦି କଂଗ୍ରେସ ପୁନର୍ବାର କ୍ଷମତା ଫେରିବାକୁ ଚାହେଁ ତାହେଲେ ଦଳକୁ ସମସ୍ତ ୨୭ଟି ଆସନରେ ବାଜିମାତ କରିବାକୁ ପଡିବ । ମଧ୍ୟ ପ୍ରଦେଶର ମୋଟ ବିଧାନସଭା ଆସନ ସଂଖ୍ୟା ହେଉଛି ୨୩୦ । ସରକାର ଗଠନ କରିବା ଲାଗି କୌଣସି ଦଳକୁ ୧୧୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ । 


ପୁନର୍ବାର କ୍ଷମତାକୁ ଫେରିବା ଲାଗି କଂଗ୍ରେସ ଦଳର ବରିଷ୍ଠ ନେତାଙ୍କୁ ଏଥର ନିର୍ବାଚନକୁ ଓହ୍ଲାଇପାରେ । ଅନ୍ୟପଟେ ଦଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ବିଦ୍ରୋହୀ କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିପାରନ୍ତି । ଏହି କ୍ରମରେ ଦଳୀୟ ଟିକେଟରେ ନିର୍ବାଚନ ଲଢିବାକୁ କଂଗ୍ରେସ ନେତା ହେଉଛନ୍ତି ଅରୁଣ ଯାଦବ, ଚୌଧୁରୀ ରାକେଶ ସିଂହ, କେଏଲ ଅଗ୍ରୱାଲ, ରାମ ନିବାସ ରାୱତ, ଅଶୋକ ସିଂହ, ପାରୁଲ ସାହୁ, ପ୍ରେମଚନ୍ଦ୍ର ଗୁଡ୍ଡୁ।
  
ଅନ୍ୟପଟେ ବିଜେପି ପକ୍ଷରୁ ଉମା ଭାରତୀଙ୍କ ନାଁ ଚର୍ଚ୍ଚାରେ ରହିଛି । ଲୋଧି ସମ୍ପ୍ରଦାୟର (Lodhi Community) ଭୋଟ ହାତେଇବା ଲାଗି ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ଉଦ୍ୟମ। ଏହି କ୍ରମରେ ମଲହେରା ବିଧାନସଭା ଆସନର (Malhara Assembly Constituency) କଂଗ୍ରେସ ବିଧାୟକ କୁୱଁର ପ୍ରଦ୍ୟୁମ୍ନ ସିଂହ ଲୋଧିଙ୍କୁ ଦଳର ସାମିଲ କରି ରାଜ୍ୟ ସାଧାରଣ ବଣ୍ଟନ ନିଗମ ଅଧ୍ୟକ୍ଷ  ଦାୟିତ୍ୱ ପ୍ରଦାନ କରିଛି ରାଜ୍ୟରେ କ୍ଷମତାସୀନ ବିଜେପି ସରକାର । ଲୋଧି ଭୋଟ ହାତେଇବା ଲାଗି ଉମା ଭାରତୀଙ୍କୁ ଦାୟିତ୍ୱ ପ୍ରଦାନ କରିପାରେ ବିଜେପି । ଏହି ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ୨୦୦୩ରେ ଦାୟିତ୍ୱ ଗ୍ରହଣ କରିଥିଲେ ସେ।
 
ଉପନିର୍ବାଚନକୁ ନେଇ ବିଜେପି-କଂଗ୍ରେସ ବିଜେପି ମୁହାଁମୁହିଁ? 


ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଉପରେ ମତ ରଖି କଂଗ୍ରେସ ମିଡିଆ ବିଭାଗ ଉପାଧ୍ୟକ୍ଷ ଭୂପେନ୍ଦ୍ର ଗୁପ୍ତା କହିଛନ୍ତି ଏହି ନିର୍ବାଚନରେ ବାଜିମାତ କରିବା ଲାଗି ସମସ୍ତ ଉପାୟ ଅବଲମ୍ବନ କରାଯିବ। ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି। ଉପନିର୍ବାଚନ ମାଧ୍ୟମରେ ଗଣତନ୍ତ୍ରକୁ ବଞ୍ଚାଇବା ଲାଗି ଉଦ୍ୟମ କରାଯିବ । ଅନ୍ୟପଟେ ବିଜେପି ମୁଖପାତ୍ର ରାହୁଲ କୋଠାରୀ କହିଛନ୍ତି  ଦଳର ବରିଷ୍ଠ ନେତାଙ୍କୁ ଏହି ନିର୍ବାଚନରେ ବଳିର ବୋଦା ସଜାଉଛି କଂଗ୍ରେସ । ଉପନିର୍ବାଚନରେ ଦଳ ବିଜୟ ହାସଲ କରିବ । ଦଳୀୟ ଚାନ୍ଦା ହାତେଇବା ଲାଗି କଂଗ୍ରେସ ନିର୍ବାଚନ ଲଢୁଛି।