ଭୋପାଲ: ଜଣେ ବର, ଦୁଇ କନ୍ୟା । ଜଣେ ପ୍ରେମିକା, ଅନ୍ୟ ଜଣେ ପରିବାର ଲୋକଙ୍କ ପସନ୍ଦ । ଗୋଟିଏ ବେଦି, ଗୋଟିଏ ବର, ହେଲା ଦୁଇ ଦୁଇ ଜଣ କନ୍ୟା । ବର ରାଜି, ଦୁଇ କନ୍ୟା ବି ରାଜି । ୩ ପରିବାରର ବି ରହିଛି ସହମତି । ପଞ୍ଚାୟତର ନିଷ୍ପତ୍ତି, ଗୋଟିଏ ବରକୁ ବାହା ହେଲେ ଦୁଇ କନ୍ୟା । ମଧ୍ୟପ୍ରଦେଶ ବୈତୁଲର କେରିଆ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ବିବାହ । କୁହାଯାଉଛି, ପ୍ରଥମ ଥର ପାଇଁ ଗୋଟିଏ ବେଦିରେ ଜଣେ ବରକୁ ବାହା ହୋଇଛନ୍ତି ଦୁଇ କନ୍ୟା । ଆଉ ଏ ବାହାଘରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 


COMMERCIAL BREAK
SCROLL TO CONTINUE READING

ଏ ତମାମ ଘଟଣା ଆପଣଙ୍କୁ ଏକ ଫିଲ୍ମ କାହାଣୀ ପରି ମନେହେଉଥିବ । କିନ୍ତୁ ଏହା ବାସ୍ତବ ଜୀବନର କାହାଣୀ । କେରିଆ ଗାଁରେ ଏମିତି ହିଁ ଏକ ବାହାଘର ହୋଇଛି । ଏହା ବେଶି ପୁରୁଣା ବି ନୁହେଁ । ଗତ ୮ ତାରିଖରେ ଦେଖିବାକୁ ମିଳିଥିଲା ଏମିତି ବାହାଘର । କାହିଁକି ଦୁଇ କନ୍ୟାଙ୍କୁ ଏକାସାଙ୍ଗରେ ବାହା ହେଲେ ଯୁବକ ?  ଆପଣଙ୍କ ଭିତରେ ଜାଣିବାକୁ ଉତ୍ସୁକତା ଆସୁଥିବ ନିଶ୍ଚୟ । 



ଏବେ ଜାଣିବା ପୁରା ଘଟଣା ।  ଦୁଇ କନ୍ୟାଙ୍କୁ ବାହା ହୋଇଥିବା ଯୁବକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ବୈତୁଲ ନିବାସୀ ସନ୍ଦୀପ ଉଇକେ । ସେ ଭୋପାଲରେ ପଢ଼ୁଥିବା ବେଳେ ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏପଟେ ଗାଁରେ ରହୁଥିବା ସନ୍ଦୀପଙ୍କ ବାପା ମାଆ ମଧ୍ୟ ପୁଅ ପାଇଁ ଅନ୍ୟ ଏକ ଝିଅ ଖୋଜି ସାରିଥିଲେ । ସନ୍ଦୀପଙ୍କୁ ନଜଣାଇ ସେହି ଝିଅ ସହ ବାହା ଘର ଠିକ୍ ମଧ୍ୟ କରିଦେଇଥିଲେ । 


ଗୋଟିଏ ପଟେ ସନ୍ଦୀପଙ୍କ ପ୍ରେମିକା ଓ ଅନ୍ୟପଟେ ପରିବାର ଲୋକ ଠିକ୍ କରିଥିବା ଝିଅ । କାହାକୁ ବାହା ହେବେ ସନ୍ଦୀପ ? ବିବାହ ପୂର୍ବରୁ ବିବାଦ ବଢ଼ିଥିଲା । ପଞ୍ଚାୟତ ବି ବସିଲା । କାହା ସପକ୍ଷରେ ଯିବ ପଞ୍ଚାୟତ ? ଏପଟେ ପୁଅର ପ୍ରେମ, ସେପଟେ ପରିବାରର ପସନ୍ଦ । ସନ୍ଦୀପଙ୍କୁ ଛାଡ଼ିବ କିଏ ? ପ୍ରେମିକା ଓ ପରିବାର ଚୟନ କରିଥିବା ଝିଅ, କେହି ବି ରାଜି ନଥିଲେ । ତେବେ ଯଦି ସନ୍ଦୀପ ଉଭୟଙ୍କୁ ବାହା ହୁଅନ୍ତି, ତେବେ କାହାର ବି ଆପତ୍ତି ନଥିଲା । ଉଭୟ କନ୍ୟା ରାଜି । ଆଉ ପଞ୍ଚାୟତ ବି ଶେଷରେ ଏପରି ବାହାଘର ପାଇଁ ଦେଇଥିଲା ଗ୍ରୀନ ସିଗନାଲ୍ । 



ଗତ ୮ ତାରିଖରେ କେରିଆ ଗାଁରେ ବାହାଘର ହେଲା । ଗୋଟିଏ ବେଦିରେ ଦୁଇ କନ୍ୟାଙ୍କୁ ବାହାହେଲେ ସନ୍ଦୀପ । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ଏହି ବାହା ଘରେ ଗାଁ ଲୋକଙ୍କ ସମେତ ସମସ୍ତ ୩ ପରିବାରର ସଦସ୍ୟ ସାମିଲ ହୋଇଥିଲେ । ନା ଥିଲା ସନ୍ଦୀପଙ୍କ ପ୍ରେମିକାଙ୍କ ପରିବାରର ଆପତ୍ତି ନା ଥିଲା ଘର ଲୋକେ ଠିକ୍ କରିଥିବା ଝିଅଙ୍କ ପରିବାରର ଆପତ୍ତି । ବାହାଘର ବେଳେ ବେଦିରେ ବର ପାଖରେ ବସିଥିଲେ ପ୍ରେମିକା । ଆଉ ପ୍ରେମିକାଙ୍କ ପାଖରେ ବସିଥିଲେ ପରିବାର ଲୋକଙ୍କ ପସନ୍ଦର ଝିଅ । ପୁରା ରୀତିନୀତିରେ ବାହାଘର ହୋଇଥିଲା ।