ଏହି ଦେଶରେ ସେନା ଦ୍ୱାରା କ୍ଷମତା ପରିବର୍ତ୍ତନ: ସୈନ୍ୟ ହେପାଜତରେ ରାଷ୍ଟ୍ରପତି, ସରକାର-ସମ୍ବିଧାନ ଭଙ୍ଗ
Military coup in Guinea: ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଟ୍ୱିଟ୍ କରି କହିଛନ୍ତି ଯେ ବନ୍ଧୁକ ମୁନରେ ସରକାରଙ୍କ ଅପସାରଣକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ।
ନୂଆଦିଲ୍ଲୀ: Military coup in Guinea: ପଶ୍ଚିମ ଆଫ୍ରିକୀୟ ଦେଶ ଗିନି (Guinea) ରେ ସେନା ଦ୍ୱାରା କ୍ଷମତା ପରିବର୍ତ୍ତନ । ବିଦ୍ରୋହୀ ସୈନିକମାନେ ରବିବାର ରାଷ୍ଟପତି ଭବନକୁ ପ୍ରବେଶ କରି ରାଷ୍ଟ୍ରପତି ଆଲଫା କଣ୍ଡେ (Alpha Conde) ଙ୍କୁ ହେପାଜତକୁ ନେଇଛନ୍ତି । ପରେ ସରକାରୀ ଟେଲିଭିଜନରେ ସରକାର ଭଙ୍ଗର ଘୋଷଣା କରିଛନ୍ତି । ସେନାର କର୍ଣ୍ଣେଲ ମମାଦି ଡୋମ୍ବୋୟା ସରକାରୀ ଟେଲିଭିଜନ ମାଧ୍ୟମରେ ଘୋଷଣା କରିଛନ୍ତି ଯେ ଦେଶର ସୀମା ବନ୍ଦ କରିଦିଆଯାଇଛି ଓ ଦେଶର ସମ୍ବିଧାନକୁ ଅବୈଧ ଘୋଷିତ କରିଦିଆଯାଇଛି । ସେ କହିଛନ୍ତି ଯେ, "ଦେଶ ରକ୍ଷା କରିବା ସୈନିକଙ୍କ କର୍ତ୍ତବ୍ୟ । ଆମେ ଆଉ ଜଣେ ବ୍ୟକ୍ତିଙ୍କୁ ରାଜନୀତି ହସ୍ତାନ୍ତର କରିବୁ ନାହିଁ, ଆମେ ଏହାକୁ ଲୋକମାନଙ୍କୁ ହସ୍ତାନ୍ତର କରିବୁ ।"
ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିନାହିଁ ଯେ ସେନା ମଧ୍ୟରେ ଡୋମ୍ବୋୟାଙ୍କୁ କେତେ ସମର୍ଥନ କରୁଛନ୍ତି କିମ୍ବା ଏକ ଦଶନ୍ଧିରୁ ଅଧିକ ସମୟ ଧରି ରାଷ୍ଟ୍ରପତିଙ୍କ ପ୍ରତି ବିଶ୍ୱସ୍ତ ଥିବା ଅନ୍ୟ ସୈନିକମାନେ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିବେ କି ନାହିଁ ।
କମାଣ୍ଡର ନେବେ ଗଭର୍ଣ୍ଣରଙ୍କ ସ୍ଥାନ
ସୋମବାର ଏକ କାର୍ଯ୍ୟକ୍ରମରେ ଗିନିର ସେନା 'ଜୁଣ୍ଟା' ଘୋଷଣା କରିଛି ଯେ ଗିନିର ସମସ୍ତ ଗଭର୍ଣ୍ଣରଙ୍କ ସ୍ଥାନ ସ୍ଥାନୀୟ କମାଣ୍ଡର ନେବେ । ସେ ଚେତାବନୀ ଦେଇଛନ୍ତି ଯେ କୌଣସି ପ୍ରକାରର ପ୍ରତ୍ୟାଖ୍ୟାନ ଦେଶର ନୂତନ ସାମରିକ ନେତାଙ୍କ ବିରୁଦ୍ଧରେ ବିଦ୍ରୋହ ବୋଲି ମନେ କରାଯିବ । ପଶ୍ଚିମ ଆଫ୍ରିକାର ଆଞ୍ଚଳିକ ଗୋଷ୍ଠୀ 'ECOWAS' ଏହି ଘଟଣାକୁ ନିନ୍ଦା କରିଛି ଓ ଯଦି କଣ୍ଡେ ତୁରନ୍ତ ମୁକ୍ତ ନହୁଏ ତେବେ ଦେଶ ଉପରେ କଟକଣା ଲାଗୁ କରାଯିବ ବୋଲି କହିଛି ।
ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଟ୍ୱିଟ୍ କରି କହିଛନ୍ତି ଯେ ବନ୍ଧୁକ ମୁନରେ ସରକାରଙ୍କ ଅପସାରଣକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ।
ସେନା ହେପାଜତରେ କଣ୍ଡେ
ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ହିଂସା ନ ହେଉଁ ଓ ଗିନି ଅଧିକାରୀମାନଙ୍କୁ କହିଛି ଯେ ସମ୍ବିଧାନ ବାହାରେ ସେମାନଙ୍କର କାର୍ଯ୍ୟକଳାପ ଗିନିର ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତାର ସମ୍ଭାବନାକୁ ଦୂର କରିବ । ମନ୍ତ୍ରଣାଳୟର ମୁଖପାତ୍ର ନେଡ୍ ପ୍ରାଇସ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଜୁଣ୍ଟାର କାର୍ଯ୍ୟକଳାପ ଆମେରିକା ଓ ଗିନିର ଅନ୍ୟ ଅନ୍ତର୍ଜାତୀୟ ସହଯୋଗୀ ଦଳ ତାଙ୍କୁ ସମର୍ଥନ କରିବାର କ୍ଷମତାକୁ ସୀମିତ କରିବ ।
ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇ ପରେ ରବିବାର ଅନେକ ଘଣ୍ଟା ଧରି ୮୩ ବର୍ଷୀୟ କଣ୍ଡେଙ୍କ କୌଣସି ସୂଚନା ନଥିଲା । ତା’ପରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସେନାର ହେପାଜତରେ ନଜର ଆସିଛନ୍ତି । ପରେ ଜୁଣ୍ଟା ଏକ ବିବୃତ୍ତି ଜାରି କରି କହିଛି ଯେ କଣ୍ଡେ ତାଙ୍କ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି, କିନ୍ତୁ ତାଙ୍କୁ କେବେ ମୁକ୍ତ କରାଯିବ ତାହା କହି ନାହାଁନ୍ତି ।
ଏକ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା କଣ୍ଡେଙ୍କ ତୃତୀୟ କାର୍ଯ୍ୟକାଳ କିଛି ସମୟ ପାଇଁ ଅନେକ ସମାଲୋଚନାର ଶିକାର ହେଉଥିଲା । ଅନ୍ୟପକ୍ଷରେ କଣ୍ଡେ କହିଥିଲେ ଯେ ତାଙ୍କ କ୍ଷେତ୍ରରେ ସାମ୍ବିଧାନିକ ଅବଧି ସୀମା ଲାଗୁ ହୁଏ ନାହିଁ । ରବିବାରର ଘଟଣାକ୍ରମରୁ ସୂଚନା ମିଳେ ଯେ ସେନା ଭିତରେ ମଧ୍ୟ ଅସନ୍ତୋଷ କେତେ ପରିମାଣରେ ବଢିଛି । ସେନାର ସ୍ୱତନ୍ତ୍ର ବାହିନୀ ୟୁନିଟର କମାଣ୍ଡୋ ଡୋମ୍ବୋୟା ଅନ୍ୟ ସୈନିକମାନଙ୍କୁ ଲୋକମାନଙ୍କ ପକ୍ଷରେ ରଖିବାକୁ ଆହ୍ୱାନ କରିଥିଲେ ।
୧୯୫୮ରେ ଫ୍ରାନ୍ସରୁ ସ୍ୱାଧୀନ ହୋଇଥିଲା ଗିନି
୧୯୫୮ ମସିହାରେ ଫ୍ରାନ୍ସଠାରୁ ଗିନି ସ୍ୱାଧୀନତା ଲାଭ କରିଥିଲା । କଣ୍ଡେ ପ୍ରଥମେ ୨୦୧୦ରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ, ଯାହା ୧୯୫୮ରେ ଫ୍ରାନ୍ସରୁ ସ୍ୱାଧୀନତା ପରଠାରୁ ଦେଶର ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ଥିଲା । ଅନେକ ଲୋକ ତାଙ୍କର ରାଷ୍ଟ୍ରପତି ହେବା ଦେଶ ପାଇଁ ଏକ ନୂତନ ଆରମ୍ଭ ଭାବରେ ଦେଖିଥିଲେ, କିନ୍ତୁ ପରେ ତାଙ୍କ ଶାସନରେ ଦୁର୍ନୀତି, ନିରଙ୍କୁଶତାର ଅଭିଯୋଗ ଲାଗିଥିଲା ।
ଅଧିକ ପଢ଼ନ୍ତୁ:-ରାସନ କାର୍ଡ ନିୟମରେ ହେଲା ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ନଚେତ୍ ରାସନ ମିଳିବାରେ ହୋଇପାରେ ସମସ୍ୟା!
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ୧ ଟଙ୍କାର କଏନ ତ ରାତାରାତି ହୋଇପାରିବେ କୋଟିପତି? RBI ଦେଲା ବଡ଼ ସୂଚନା
ଅଧିକ ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ୫ ଦିନ ପରେ ଦେଶରେ ୪୦ ହଜାରରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ