ନୂଆଦିଲ୍ଲୀ: ଧର୍ମ ନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ରବିବାର(ଜୁଲାଇ ୧୯, ୨୦୨୦) ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିରର ଭୁମି ପୂଜନ ତାରିଖ ସହିତ ମଡେଲର ପରିବର୍ତ୍ତନ ଉପରେ ମଧ୍ୟ ଏକ ବଡ ନିଷ୍ପତ୍ତି ନିଆଯାଇଛି । ରାମ ମନ୍ଦିରର ଉଚ୍ଚତା ଏବଂ ଆକାର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଦିନ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ, ସେବେଠାରୁ ପ୍ରାୟ ସାଢେ ୩ ବର୍ଷ ଏହାକୁ ଶେଷ କରିବାକୁ ଲାଗିବ । ଏହା ବ୍ୟତୀତ ମନ୍ଦିର ନିର୍ମାଣ ପାଇଁ ସମାଜରୁ ପାଣ୍ଠି ସଂଗ୍ରହ କରାଯିବ।


COMMERCIAL BREAK
SCROLL TO CONTINUE READING

ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି ପ୍ରସ୍ତାବିତ ରାମ ମନ୍ଦିର ମଡେଲର ଉଚ୍ଚତା ୧୨୮ଫୁଟ, ଯାହାକୁ ୧୬୧ ଫୁଟ ଉଚ୍ଚକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ମନ୍ଦିରର ଗର୍ଭଗୃହ ପରିସରରେ 5ଟି ଗମ୍ବୁଜ ନିର୍ମାଣ କରାଯିବ । ପ୍ରଥମେ ୩ଟି ଗମ୍ବୁଜ ନିର୍ମାଣ କରାଯିବାର ଥିଲା ।


ରାମ ମନ୍ଦିରର ମଡେଲ 
ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି, ମନ୍ଦିରର ତଳ ମହଲାର ପଥର ଖୋଦନ କାର୍ଯ୍ୟ ଶେଷ ହୋଇଛି। ରାମ ମନ୍ଦିରର ତଳ ମହଲାରେ ସିଂହଦ୍ୱାର, ଗର୍ଭଗୃହ, ନୃତ୍ୟଦ୍ୱାର, ରଙ୍ଗମଣ୍ଡପ ରହିବ। ପ୍ରଥମ ମହଲାରେ ରାମଙ୍କ ଦରବାର ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯିବ। କେବଳ ଏତିକି ନୁହେଁ, ପ୍ରସ୍ତାବିତ ରାମ ମନ୍ଦିରର ମଡେଲ ଅନୁଯାୟୀ, ମନ୍ଦିରରେ ୨୪ଟି କବାଟ ରହିବ, ଯାହା ମାର୍ବଲରେ ନିର୍ମିତ ହେବ। ରାଜସ୍ଥାନର ମକରାନ ଠାରୁ ଏହି ମାର୍ବଲ ପଥର ଅଣାଯିବ। ପ୍ରସ୍ତାବିତ ରାମ ମନ୍ଦିରର ଲମ୍ବ ୨୬୮ଫୁଟ, ମୋଟେଇ ୧୪୦ଫୁଟ ଏବଂ ଉଚ୍ଚତା ୧୨୮ ଫୁଟ ସ୍ଥିର କରାଯାଇଛି। ଏହା ବ୍ୟତୀତ ମନ୍ଦିରରେ ୨୧୨ଟି ସ୍ତମ୍ଭ ରହିବ । ସେଥିମଧ୍ୟରୁ ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ୧୦୬ଟି ଲେଖାଁଏ ସ୍ତମ୍ଭ ନିର୍ମାଣ କରାଯିବ । ପ୍ରତ୍ୟେକ ସ୍ତମ୍ଭରେ ୧୬ଟି ପ୍ରତିମା ଏବଂ ମନ୍ଦିରରେ ଦୁଇଟି ପ୍ଲାଟଫର୍ମ ମଧ୍ୟ ରହିବ ।



ଚାରି ଦିଗରେ ରହିବ କବାଟ
କାମେଶ୍ୱର ଚୌପାଲ କହିଛନ୍ତି ଏହି ମନ୍ଦିରରେ ୪ଟି ଫାଟକ ରହିବ ଯାହା ଚାରି ଦିଗରେ ଖୋଲିବ। ଟେଢି ବଜାରରୁ ଗୋଟିଏ ଫାଟକ, ଦ୍ୱିତୀୟ ଦ୍ୱାର କ୍ଷୀରେଶ୍ୱରନାଥ ମନ୍ଦିର, ତୃତୀୟ ଦ୍ୱାର ଗୋକୁଲ ଭବନ ଏବଂ ଚତୁର୍ଥ ଦ୍ୱାରା ଦଶରଥ ମହଲରୁ ରହିବ।  ପ୍ରସ୍ତାବିତ ମନ୍ଦିରର ଭୂତଳ ଭାଗରେ ରାମଲାଲା, ପ୍ରଥମ ମହଲାରେ ରାମ ଦରବାର ରହିଛି । ଏହାର ନିର୍ମାଣ କାର୍ଯ୍ୟରେ ସିମେଣ୍ଟ ବ୍ୟବହାର କରାଯିବ ନାହିଁ ।



ରାମ ମନ୍ଦିର କମ୍ପ୍ଲେକ୍ସ
ରାମ ମନ୍ଦିର ପରିସରରେ ଥିବା ୪୫ ଏକର ଜମିରେ ରାମକଥା କୁଞ୍ଜ ନିର୍ମାଣ କରାଯିବ। ଏଠାରେ ୧୨୫ ମୂର୍ତ୍ତି ପ୍ରଭୁ ରାମଙ୍କ ଜୀବନ ସମୟରୁ ନିର୍ମିତ ହେବ । ଜନ୍ମ ଠାରୁ ଆରମ୍ଭ କରି ଲଙ୍କା ବିଜୟ ଏବଂ ସିଂହାସନ ଆରୋହଣ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏହା ବ୍ୟତୀତ ଧର୍ମଶାଳା ଏବଂ ଗୋଶାଳା ମଧ୍ୟ ମନ୍ଦିର ପରିସରରେ ନିର୍ମାଣ କରାଯିବ ।



ଭୁମି ପୂଜନର ସାମ୍ଭାବ୍ୟ ତାରିଖ
କାମେଶ୍ୱର ଚୌପାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଗସ୍ତରେ ଆସିବେ। ଏହା ନିଶ୍ଚିତ ହୋଇଛି । ଅଗଷ୍ଟ ୩ କିମ୍ବା ୫ ତାରିଖରେ ମନ୍ଦିରର ମୂଳଦୁଆ ପ୍ରଧାନମନ୍ତ୍ରଙ୍କ ଦ୍ୱାରା ରଖାଯିବ। ଏନେଇ ତାଙ୍କୁ ଅନୁରୋଧ କରାଯାଇଛି। ଏନେଇ ସାମ୍ଭାବ୍ୟ ତାରିଖ ବାବଦରେ ଅବଗତ କରାଯାଇଛି, ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ପିଏମଓ ପକ୍ଷରୁ ନିଆଯିବ ।