ୱାଶିଂଟନ୍: ସୋମବାର ଆମେରିକାର ବାୟୋଟେକ୍ ଫାର୍ମା ମଡର୍ନା କୋରୋନା ଟିକାକୁ ନେଇ ତାର ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଉଥିବା ଟିକା ୯୪.୫ ପ୍ରତିଶତ ପ୍ରଭାବଶାଳୀ ବୋଲି ଘୋଷଣା କରାଯାଇଛି। ତେବେ କୋରୋନା ମୁକାବିଲା ପ୍ରତିଷେଧକ ତାଲିକାରେ ମଡର୍ଣ୍ଣା ଏବେ ଶୀର୍ଷ ସ୍ଥାନ ହାସଲ କରିଛି।


COMMERCIAL BREAK
SCROLL TO CONTINUE READING


ଫାଇଜର ଏବଂ ଜର୍ମାନ ସହଯୋଗୀ ବାୟୋନଟେକ୍ ଗତସପ୍ତାହରେ ସେମାନଙ୍କ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି କହିଥିଲେ। ଏବେ ମଡର୍ନା ତାର ଟିକା ପ୍ରାୟ ୯୫ ପ୍ରତିଶତ କୋରୋନା ନିବାରଣକାରୀ ବୋଲି ଦାବି କରିଛି। ୩୦୦୦୦ରୁ ଅଧିକ ସ୍ୱଚ୍ଛାସେବୀଙ୍କ ଠାରେ କ୍ଲିନିକାଲ୍ ପରୀକ୍ଷଣ ପରେ ପ୍ରାରମ୍ଭିକ ଫଳାଫଳ ପ୍ରକାଶ କରି କମ୍ପାନୀ ଏହା କହିଛି।


ଆଗଧାଡିରେ ଥିବା ଉଭୟ ଟିକା ନୂଆ ପ୍ଲାଟଫର୍ମ ବା ମେସେଞ୍ଜର  RNA ଉପରେ ଆଧାରିତ। ଯାହା ପାରମ୍ପାରିକ ଟିକା ଅପେକ୍ଷା ଅଧିକ ଦୃତ ଗତିରେ ମାନବ ଶରୀରରେ କୋଷ ତିଆରି କରେ। କେବଳ କୋରୋନା ନୁହେଁ ଅନ୍ୟନ୍ୟ ରୋଗର ନିରାକରଣ ପାଇଁ ବି ମଡର୍ନା ଟିକା ଫଳପ୍ରଦ ବୋଲି ଦାବି କରାଯାଉଛି।


ସେପଟେ କମ୍ପାନୀ ସପ୍ତାହ ମଧ୍ୟରେ ଜରୁରୀକାଳୀନ ଅନୁମୋଦନ ପାଇଁ ଆମେରିକାରେ ଆବେଦନ କରିବାକୁ ଯୋଜନା କରିଛି। ବର୍ଷ ଶେଷ ସୁଦ୍ଧା ଆମେରିକା ପାଇଁ ପ୍ରାୟ ୨୦ ନିୟୁତ ଡୋଜ ପ୍ରସ୍ତୁତ ହେବ ବୋଲି ଆଶା କରୁଛି। ସେପଟେ ନିକଟରେ ଏହି ମଡର୍ନା ଟିକାରେ ପାଶ୍ୱପ୍ରତିକ୍ରୀୟ ହେଉଥିବା ଖବର ମିଳିଥିଲା। ତୃତୀୟ ପର୍ଯ୍ୟୟରେ ଜଣେ ସ୍ୱସ୍ଥାସେବୀଙ୍କୁ ଜ୍ୱର, ଦେହବିନ୍ଧା ଓ ଦୁର୍ବଳତା ଅନୁଭବ ହେଉଥିବା ଅଭିଯୋଗ ହୋଇଥିଲା।


ଗତବର୍ଷ ଶେଷରେ ଚୀନରେ ଏହି କରୋନା ଭୂତାଣୁ ଉତ୍ପନ୍ନ ହେବା ପରଠୁ ସଂକ୍ରମଣ ସଂଖ୍ୟା ଦୃତଗତିରେ ବଢିଚାଲିଥିଲା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୪୦ ଲକ୍ଷକୁ ବୃଦ୍ଧି ପାଇଲାଣି। ସେହିପରି ମୃତ୍ୟୁ ସଂଖ୍ୟା ୧୩ ଲକ୍ଷ ଛୁଇଁଛି।