ଦେଶର ପ୍ରଥମ ୨୪ ଘଣ୍ଟା ସୌରଶକ୍ତି ଚାଳିତ ଗାଁ ହେଲା ମୋଧେରା ; ବିଜୁଳି ବିଲ୍ ରୁ ମିଳିବ ନିସ୍ତାର
![ଦେଶର ପ୍ରଥମ ୨୪ ଘଣ୍ଟା ସୌରଶକ୍ତି ଚାଳିତ ଗାଁ ହେଲା ମୋଧେରା ; ବିଜୁଳି ବିଲ୍ ରୁ ମିଳିବ ନିସ୍ତାର ଦେଶର ପ୍ରଥମ ୨୪ ଘଣ୍ଟା ସୌରଶକ୍ତି ଚାଳିତ ଗାଁ ହେଲା ମୋଧେରା ; ବିଜୁଳି ବିଲ୍ ରୁ ମିଳିବ ନିସ୍ତାର](https://hindi.cdn.zeenews.com/hindi/sites/default/files/styles/zm_500x286/public/2022/10/09/1361939-modi.jpg?itok=jmnnJfdx)
ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧିଲାଭ କରିଥିବା ମୋଧେରା ଝଲସିବ ସୌରଶକ୍ତିରେ । ମୋଧେରାକୁ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ମାନ୍ୟତା ମିଳିଛି । ପ୍ରଧାନମନ୍ତ୍ରୀ ଆଜି ଏହାର ଘୋଷଣା କରିଥିବାବେଳେ ଆତ୍ମନିର୍ଭର ଭାରତର ଏକ ନମୁନା ବୋଲି କହିଛନ୍ତି ।
ଗାନ୍ଧୀନଗର : ଆତ୍ମନିର୍ଭର ଭାରତର ନୂଆ ପ୍ରୟାସ । ଗୁଜୁରାଟର ମେହେସାନା(Mehsana) ଜିଲ୍ଲାର ମୋଧେରା(Modhera) ଗ୍ରାମକୁ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ମାନ୍ୟତା ମିଳିଛି । ଗୁଜୁରାଟର ମୋହସାନା ଜିଲ୍ଲା ମୋଧେରା ଗାଁକୁ ଦେଶର ପ୍ରଥମ ୨୪ ଘଣ୍ଟା ସୌର ଶକ୍ତି ଚାଳିତ ଗାଁ(India's first solar powered village) ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi )। ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଦିନରେ ଗୁଜୁରାଟକୁ ଏହି ଉପହାର ଦେଇଛନ୍ତି।
ଗୁଜୁରାଟରେ ପହଞ୍ଚିବା ପରେ ମୋଧେରା ଯାଇ ଗାଁକୁ ଭାରତ ପ୍ରଥମ ଅକ୍ଷୟ ଉର୍ଜା ଚାଳିତ ଗାଁ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୌର ଶକ୍ତି ବ୍ୟବହାର କରି ମୋଧେରାର ଲୋକମାନେ ୬୦ରୁ ୧୦୦ ପ୍ରତିଶତ ଇଲେକ୍ଟ୍ରିକ୍ ବିଲ୍ ବଞ୍ଚାଇ ପାରିବେ ବୋଲି ମୋଦୀ କହିଛନ୍ତି । ଗ୍ରାମବାସୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ” ବର୍ତ୍ତମାନ ଆମେ ଆଉ ବିଜୁଳି ବିଲ୍ ପାଇଁ ଦେୟ ଦେବାନି। ବରଂ ବିଜୁଳି ବିକ୍ରି କରି ଆମେ ଆୟ କରିପାରିବା । କିଛି ଦିନ ପୂର୍ବରୁ ସରକାର ଲୋକମାନଙ୍କୁ ବିଜୁଳି ଦେଉଥିଲେ। ହେଲେ ବର୍ତ୍ତମାନ ଲୋକେ ନିଜ ଆବଶ୍ୟକ ମୁତାବକ ବିଜୁଳି ଉତ୍ପାଦନ କରିପାରିବେ।” ବର୍ତ୍ତମାନ ମୋଧେରା ଗାଁକୁ ଲୋକମାନେ ସୂର୍ଯ୍ୟଗ୍ରାମ ହିସାବରେ ଜାଣିବେ ବୋଲି ମୋଦୀ ଘୋଷଣା କରିଛନ୍ତି। ଏହାସହିତ ଚାଷ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଯାନ ଚାର୍ଜ କରିବା ପର୍ଯ୍ୟନ୍ତ ସବୁ ସୌର ଶକ୍ତିରୁ ହିଁ କରାଯିବ ।
ମୋଧେରା ପୁର୍ବରୁ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ଲାଭ କରିଛି । ଆଉ ଏହା ଏବେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମର ମାନ୍ୟତା ପାଇଛି । ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଥିବା ମୋଧେରାର ମନ୍ଦିର ପରିସରରେ ଏହି ଐତିହ୍ୟ ପ୍ରକଳ୍ପର ଏକ ଅଂଶବିଶେଷ ଭାବେ ଲାଇଟ ଶୋ’ର ଆୟୋଜନ କରାଯାଇଛି । ଯାହାକି ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାର ଲୋକାର୍ପିତ ହୋଇଛି ।
ସାଧାରଣ ପର୍ଯ୍ୟଟକ ସକାଳ ୬ରୁ ରାତି ୧୦ ଯାଏ ଏହି ମନ୍ଦିର ହେରିଟେଜ ପ୍ରକଳ୍ପ ପରିଦର୍ଶନ କରିପାରିବେ । ସେହିପରି ପ୍ରତ୍ୟେହ ସଂଧ୍ୟାରେ ଏକ ଲାଇଟ ଶୋ’ ମଧ୍ୟ ଆୟୋଜିତ ହେବ । ଯାହା ସମ୍ପୂର୍ଣ୍ଣ ସୌରଶକ୍ତି ଦ୍ବାରା ହିଁ କରାଯିବ । ସୌରଶକ୍ତି ସାହାଯ୍ୟରେ ସୂର୍ଯ୍ୟ ମନ୍ଦିର ହେରିଟେଜ ପ୍ରକଳ୍ପରେ ଆଲୋକୀକରଣ ଓ ୩-ଡି ଲାଇଟ ଶୋ’ର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆଜି ମୋଧେରା, ମେହସାନା ସମେତ ସମଗ୍ର ଉତ୍ତର ଗୁଜୁରାଟ(Gujarat) ରେ ବିକାଶର ନୂତନ ଉର୍ଜା ସଂଚାର ହୋଇଛି । ଆଜି ବିଦ୍ୟୁତ୍, ଜଳ ଠାରୁ ସଡକ, ରେଳ ଏବଂ ଦୁଗ୍ଧ ଠାରୁ ଆରମ୍ଭ କରି ଦକ୍ଷତା ବିକାଶ ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଅନେକ ପ୍ରକଳ୍ପର ଉଦଘାଟନ କରାଯାଇଛି ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଗତ କିଛି ଦିନ ହେବ ସୂର୍ଯ୍ୟ ଗ୍ରାମ ମୋଧେରା ବିଷୟରେ ସାରା ଦେଶରେ ଆଲୋଚନା ଚାଲିଛି । ଲୋକମାନେ କହୁଛନ୍ତି ଯେ ଏହି ସ୍ୱପ୍ନ ଆମ ଆଖି ସାମ୍ନାରେ ସାକାର ହୋଇପାରେ ବୋଲି ଚିନ୍ତା କରାଯାଇନଥିଲା । ଆଜି ଆମେ ସମସ୍ତେ ଦେଖୁଛୁ ଏହି ସ୍ୱପ୍ନ ସାକାର ହୋଇଛି ।
ଏହାଭିତରେ ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନ କଥା ମଧ୍ୟ ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଗୁଜୁରାଟର ଲୋକମାନେ ଗତ ଦୁଇ ଦଶନ୍ଧି ଧରି ମୋତେ ଆଶୀର୍ବାଦ ଦେଇଛନ୍ତି ଏବଂ ଆଗକୁ ଜିତେଇବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।