National Doctor’s Day 2024 : ଡାକ୍ତରମାନଙ୍କୁ ସୈନିକଙ୍କ ସହ ତୁଳନା କରାଯାଏ। ସେମାନେ ସିନା ସୀମାରେ ଯୁଦ୍ଧ କରନ୍ତି ନାହିଁ କିନ୍ତୁ ରୋଗରେ ପୀଡିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରନ୍ତି।ମାନବ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର। ଜନ୍ମଠୁ ମୃତ୍ୟୁ ମଧ୍ୟରେ ଯନ୍ତ୍ରଣାରେ ଜର୍ଜରିତ ମଣିଷ ଡାକ୍ତରଙ୍କ ସେବା ଦ୍ୱାରା ହିଁ ସୁସ୍ଥ ହୋଇଥାଏ। ତେଣୁ ଦ୍ୱିତୀୟ ଭଗବାନଙ୍କୁ ସମ୍ମାନ ଜଣାଇବାକୁ ଆଜିର ଦିନକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି।
ଆସନ୍ତୁ ଏହାର ଇତିହାସ, ଓ ଗୁରୁତ୍ୱ ବିଷୟରେ ଜାଣିନେବା-


COMMERCIAL BREAK
SCROLL TO CONTINUE READING

ଗତ ୩୨ ବର୍ଷ ଧରି ଭାରତରେ ପ୍ରତିବର୍ଷ ଜୁଲାଇ ୧ରେ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଉଛି। ଏହି ଦିନକୁ ପ୍ରସିଦ୍ଧ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସମ୍ମାନାର୍ଥେ ପାଳନ କରାଯାଉଛି। ସେ ଜଣେ ରାଜନେତା, ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାର ଜଣେ ସମର୍ଥକ ପରି ଅନେକ କ୍ଷେତ୍ରରେ କାମ କରିଥିଲେ।


ଥିମ୍-
ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ।ତେବେ ଚଳିତ ବର୍ଷ ପାଇଁ ଥିମ୍ ହେଉଛି ‘ହେଲିଙ୍ଗ୍ ହ୍ୟାଣ୍ଡସ୍, କେୟାର୍ ହାର୍ଟସ୍'।ଏହି ଥିମ୍ ଡାକ୍ତରଙ୍କ ଦୟା ଏବଂ ସେମାନଙ୍କର ରୋଗୀମାନଙ୍କ ପ୍ରତି ଉତ୍ସର୍ଗୀକୃତତା ଉପରେ ଗୁରୁତ୍ୱ ଦେଇଥାଏ।


ମହତ୍ତ୍ୱ:
ସମାଜରେ ଡାକ୍ତରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେମାନେ ଅନ୍ୟମାନଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି। ସେମାନେ ଡାକ୍ତରୀ ବିଜ୍ଞାନ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତି ଯାହା ଦ୍ୱାରା ସେମାନେ ପ୍ରତ୍ୟେକ ରୋଗକୁ ଠିକ୍ ଭାବରେ ଆରୋଗ୍ୟ କରିପାରିବେ। ଡାକ୍ତର ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ। ବେଳେବେଳେ ଡାକ୍ତରମାନେ ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ନିଜ ଖୁସିକୁ ମଧ୍ୟ ବଳି ଦେବାକୁ ପଛାଇ ନଥାନ୍ତି।


ଇତିହାସ:
ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇବା ପାଇଁ ୧ ଜୁଲାଇ ୧୯୯୧ରେ ପ୍ରଥମେ ଭାରତରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ମନେରଖିବା ପାଇଁ ଏହି ଦିନ ପାଳନ କରାଯାଇଥିଲା। ଡା. ରାୟ ୧ ଜୁଲାଇ ୧୮୮୨ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧ ଜୁଲାଇ ୧୯୬୨ରେ ମୃତ୍ୟୁ ବରଣ କରିଥିଲେ। ଉଭୟ ଜନ୍ମ ଓ ମୃତ୍ୟୁ ଜୁଲାଇ ୧, ଯାହା ଏକ ଅଦ୍ଭୁତ ସଂଯୋଗ। ଡା. ରାୟଙ୍କୁ ତାଙ୍କର କାର୍ଯ୍ୟ ଏବଂ ସଫଳତା ପାଇଁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।