ନୂଆଦିଲ୍ଲୀ, ଦିଲ୍ଲୀର ବିବେକବିହାର ସ୍ଥିତ ନ୍ୟୁ ବର୍ଣ୍ଣ ବେବି କେୟାର ସେଣ୍ଟରରେ ଶନିବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୭ନବଜାତ ଦଗ୍ଧ ହେବା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ହେଲେ କେୟାର ସେଣ୍ଟର ମାଲିକ ଡା. ନଭୀନ ଖିଚି ଓ ଉକ୍ତ ସମୟରେ ହସ୍ପିଟାଲରେ ସିଫ୍ଟ ଦାୟିତ୍ୱରେ ଥିବା ଡା. ଆକାଶଙ୍କୁ ବି ବାନ୍ଧିଛି ପୁଲିସ। ଏହି ଘଟଣାର ତଦନ୍ତ ବେଳେ ବେବି କେୟାର ସେଣ୍ଟରରେ ସାଂଘାତିକ ତ୍ରୁଟି ଥିବା ଜଣାପଡ଼ିଛି। ଏପରିକି ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ ନିୟମକୁ ଆଖି ବୁଜିଦେଇ ସେଠାରେ ଶିଶୁଙ୍କ ଜୀବନ ସହ ଖେଳି ଚାଲିଥିଲେ ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ବେବି କେୟାର ସେଣ୍ଟରର ଲାଇସେନ୍ସର ସମୟ ସୀମା ସରି ଯାଇଥିବା ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା। ଏହାସହ ଉକ୍ତ ସେଣ୍ଟରରେ ଅନୁମତି ଠାରୁ ଅଧିକ ଶିଶୁଙ୍କୁ ରଖି ଚିକିତ୍ସିତ କରାଯାଉଥିବା ବେଳେ ଡାକ୍ତରମାନଙ୍କର ଆବଶ୍ୟକ ଯୋଗ୍ୟତା ନଥିବା ମଧ୍ୟ ଅଭିଯୋଗ ହୋଇଛି। ଡେପୁଟି କମିସନର ସୂଚନା ଦେଇଛନ୍ତି ଯେ, ବେବି କେୟାର ସେଣ୍ଟର ବିଲ୍ଡିଂରେ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା ନ ଥିଲା। ଯାହା ଫଳରେ ଅଘଟଣ ଘଟିଲେ ତୁରନ୍ତ ବାହାରିବାକୁ ଏମରଜେନ୍ସି ଦ୍ୱାର ବି ନ ଥିଲା।


ଅଗ୍ନିଶମ ଅଧିକାରୀ ଦେଇଥିବା ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ନିଆଁ ଲାଗିଥିବା ଖବର ମିଳିଥିଲା। ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗର ପ୍ରାୟ ୧୬ଟି ନିଆଁ ଲିଭା ଗାଡ଼ି। ପ୍ରାୟ ଦେଢ଼ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଥିଲା । ଅଗ୍ନିକାଣ୍ଡ ସମୟରେ ବେବି କେୟାର୍ ସେଣ୍ଟରରେ ପ୍ରାୟ ୧୨ ଜଣ ନବଜାତ ଆଡମିଟ୍ ଥିଲେ ବୋଲି ଜଣାପଡ଼ିଛି । ସେଥିରୁ ଜଣଙ୍କ ମୃତ୍ୟୁ ନିଆଁ ଲାଗିବା ପୂର୍ବରୁ ହୋଇ ଯାଇଥିଲା ।


ନିଆଁ ଲାଗିବା ଫଳରେ ହସ୍ପିଟାଲ୍ ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ହସ୍ପିଟାଲ୍ ଭିତରେ ଧୂଆଁ ସମସ୍ତଙ୍କୁ ଅଣନିଶ୍ୱାସୀ କରି ଦେଇଥିଲା । ଫଳରେ ଆଡମିଟ୍ ହୋଇଥିବା ୧୧ ନବଜାତଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗମ୍ଭୀର ହୋଇ ପଡ଼ିଥିଲା । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ ସେଥିରୁ ୭ଜଣଙ୍କ ମୃତ୍ୟୁ ହୋଇଛି ।