Quetta Bomb Blast:  ଫେବୃଆରୀ ୫ ତାରିଖ ରବିବାର ବୋମା ବିସ୍ଫୋରଣରେ କମ୍ପି ଉଠିଛି ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟା ସହର। ରବିବାର ସହରର ଏକ ପୋଲିସ ପୋଷ୍ଟ ନିକଟରେ ଘଟିଯାଇଛି  ଏକ ବଡ଼ ଧରଣର ବୋମା ବିସ୍ଫୋରଣ। କ୍ୱେଟା ପୋଲିସ ଲାଇନ୍ସ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୫ ଜଣ ଲୋକ ଆହତ ହୋଇଥିବା କହିଛନ୍ତି ଉଦ୍ଧାର ଅଭିଯାନରେ ନିୟୋଜିତ ହୋଇଥିବା ଅଧିକାରୀ। 


COMMERCIAL BREAK
SCROLL TO CONTINUE READING

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଉଥିବା ଜିଶାନ ଅହମ୍ମଦ ନାମକ ଜଣେ କାର୍ଯ୍ୟକର୍ତ୍ତା ପାକିସ୍ତାନୀ ଗଣମାଧ୍ୟମକୁ (Pakistani Media) କହିଛନ୍ତି ଯେ ଆହତଙ୍କୁ କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲ (Quetta Civil Hospital) ଠାରେ ଭର୍ତ୍ତି କରାଯାଇଛି। ପୋଲିସ ବାହିନୀ ଏବଂ ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ ପରେ ପୋଲିସ ପୋଷ୍ଟ ରହିଥିବା ଅଞ୍ଚଳକୁ କର୍ଡନ କରାଯାଇଛି। ରବିବାର ହୋଇଥିବା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (Tehreek-e-Taliban Pakistan)। 


ଏନେଇ ସଙ୍ଗଠନ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ସୁରକ୍ଷା ଅଧିକାରୀଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଥିଲା। ରବିବାର ହୋଇଥିବା ବିସ୍ଫୋରଣ ଏଫସି ମୁସା ଚୌକ (FC Mussa Checkpoint) ନିକଟରେ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୱେଟା ପୋଲିସ ମୁଖ୍ୟାଳୟ (Quetta Police Headquarter) ଏବଂ କ୍ୱେଟା କ୍ୟାଣ୍ଟନମେଣ୍ଟ (Quetta Cantonment) ପ୍ରବେଶ ଦ୍ୱାର ନିକଟସ୍ଥ ଏକ ସୁରକ୍ଷିତ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଯାଇଛି। ବିସ୍ଫୋରଣର ଅନେକ ଫୁଟେଜ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। 


ପେଶୱାର ପୋଲିସ ଲାଇନ୍ସ ଅଞ୍ଚଳରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର (Peshawar Police Line Area Suicide Blast) କିଛି ଦିନ ପରେ କ୍ୱେଟା ଠାରେ ହୋଇଛି ବୋମା ବିସ୍ଫୋରଣ (Quetta Bomb Blast)। ପେଶୱାର ଠାରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ଥିଲେ। ଜାନୁଆରୀ ୩୦ ତାରିଖ ସୋମବାର ପାକିସ୍ତାନ (Pakistan) ଖାଇବର ପାଖତୁନଖ୍ୱା ପ୍ରଦେଶର ରାଜଧାନୀ (Khyber Pakhtunkhwa Province Capital) ପେଶୱାର ସହରର (Peshawar City) ଉଚ୍ଚ ସୁରକ୍ଷା ଅଞ୍ଚଳରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ମସଜିଦ ପରିସରରେ ବିସ୍ଫୋରଣକାରୀ ଜଣଙ୍କ ନିଜକୁ ଉଡ଼ାଇ ଦେଇଥିଲା।


ଏହି ବିସ୍ଫୋରଣ ପାଇଁ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଥିଲା। ହେଲେ ପରେ ସଙ୍ଗଠନ ନିଜ ଦାବିରୁ ଓହରି ଯାଇଥିଲା। ଗତ ବୁଧବାର ଖାଇବର ପାଖତୁନଖ୍ୱା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୧୦୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ହେଲେ ଖାଇବର ପାଖତୁନଖ୍ୱା ପୋଲିସ ପକ୍ଷରୁ କୁହାଯାଇଛି ଯେ ବିସ୍ଫୋରଣରେ ୮୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।