Pakistan Crisis: ବନ୍ୟା ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ଭାରତ ସହିତ ବାଣିଜ୍ୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛି। ପାକିସ୍ତାନର ଅର୍ଥମନ୍ତ୍ରୀ (Pakistan Finance Minister) ମିଫ୍ତା ଇସ୍ମାଇଲ (Miftah Ismail) ଏହା ଘୋଷଣା କରିଛନ୍ତି। ମିଫ୍ତା ଇସ୍ମାଇଲ କହିଛନ୍ତି, ବନ୍ୟା ଏବଂ ଖାଦ୍ୟ ମୂଲ୍ୟରେ ବୃଦ୍ଧି ହେତୁ ଆମେ ଭାରତ ସହିତ ବାଣିଜ୍ୟର ରାସ୍ତା ଖୋଲିବୁ।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍ତା ଇସ୍ମାଇଲ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ସମ୍ପ୍ରତି ବନ୍ୟା ଯୋଗୁଁ ଫସଲ ନଷ୍ଟ ହେତୁ ଲୋକଙ୍କ ସୁବିଧା ପାଇଁ ସରକାର ଭାରତରୁ ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଆମଦାନୀ କରିବାକୁ ବିଚାର କରିପାରନ୍ତି। ରେଡିଓ ପାକିସ୍ତାନ ଅନୁଯାୟୀ, ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ମିଫ୍ତା ଇସ୍ମାଇଲ ଏକ ପ୍ରଶ୍ନର ଉତ୍ତରରେ ଏହି ଜବାବ ଦେଇଛନ୍ତି।


ସୂତ୍ରରୁ ପ୍ରକାଶ ଯେ, ପାକିସ୍ତାନର ପୂର୍ବତନ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ଭାରତ ସହ ବାଣିଜ୍ୟ ସମ୍ବନ୍ଧରେ କିଛି ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି। ଏଥି ସହ ପାକିସ୍ତାନର ପୂର୍ବତନ ବାଣିଜ୍ୟ ପରାମର୍ଶଦାତା ରଜାକ ଦାୱଦ୍ ମଧ୍ୟ ଅନେକ ଥର ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇସାରିଛନ୍ତି।


ମାର୍ଚ୍ଚ ୨୦୨୧ରେ ପାକିସ୍ତାନର ଆର୍ଥିକ ସମନ୍ୱୟ କମିଟି କହିଛି ଯେ, ଦେଶର ନିକଟତମ କ୍ଷେତ୍ରକୁ ୱାଘା ସୀମା ଦେଇ ଭାରତରୁ ୦.୫ ମିଲିୟନ୍ ଟନ୍ ଚିନି ଓ କପା ଆମଦାନୀ କରିବାକୁ ଅନୁମତି ଦେବ। ଯଦିଓ କିଛି ଦିନ ମଧ୍ୟରେ ଏହି ନିଷ୍ପତ୍ତିକୁ ରଦ୍ଦ କରିଦିଆଯାଇଥିଲା। ବାସ୍ତବରେ ଏହି ନିଷ୍ପତ୍ତିକୁ PMLN ଏବଂ PPP ବିରୋଧ କରିଥିଲା, ଯେଉଁମାନେ ବର୍ତ୍ତମାନ ପାକିସ୍ତାନରେ ଏକ ମିଳିତ ସରକାର ଚଳାଉଛନ୍ତି।



ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ବନ୍ୟା ଫଳରେ ପାକିସ୍ତାନରେ ପନିପରିବାର ମୂଲ୍ୟ ଆକାଶ ଛୂଆଁ ହୋଇଛି। ଲାହୋରର ବଜାରରେ ପିଆଜ କିଲୋଗ୍ରାମ ପିଛା ୫୦୦ ଟଙ୍କାରେ ଓ ଟମାଟୋ କେଜି ପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଛି। ଆଗାମୀ ଦିନରେ ଖାଦ୍ୟ ପଦାର୍ଥର ଦର ପ୍ରବଳ ବଢିବାର ଆଶଙ୍କା ରହିଛି, କାରଣ ବନ୍ୟା ପାଇଁ ବଲୁଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରୁ ପନିପରିବା ଯୋଗାଣରେ ବ୍ୟାପକ ପ୍ରଭାବ ପକାଇଛି। 


ବର୍ତ୍ତମାନ ଆଫଗାନିସ୍ତାନରୁ ଲାହୋର ଓ ପଞ୍ଜାବ ସହରକୁ ପିଆଜ ଏବଂ ଟମାଟୋ ଯୋଗାଣ କରାଯାଉଛି। ତୋରଖମ ସୀମା ମାଧ୍ୟମରେ ଏହାର ଆବଶ୍ୟକତାକୁ ମେଣ୍ଟାଯାଉଛି। ଏହା ପୂର୍ବରୁ ଲାହୋର ବଜାର ସମିତିର ସଚିବ ଶାହାଜାଦ ଚିମା ମଧ୍ୟ କହିଥିଲେ ଯେ, ସରକାର ଭାରତରୁ ପିଆଜ ଓ ଟମାଟୋ ଆମଦାନୀ କରିପାରିନ୍ତି।