Pakistan Politics: ଗାଦି ବଞ୍ଚାଇବା ଲାଗି ଇମ୍ରାନ ଖାନ୍ ସରକାରଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି
ତାଙ୍କୁ ଗାଦିରୁ ହଟାଇବା ପାଇଁ ବିଦେଶୀ ସହାୟତା ନିଆଯାଉଥିବା କହିସାରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।
ଇସଲାମାବାଦ: ବିଗତ କିଛି ଦିନ ହେବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧିନ ସରକାରରେ ସୃଷ୍ଟି ହୋଇଥିବା ସଂକଟ ସମଗ୍ର ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସରକାର ବିପଦରେ ପଡ଼ିବା ପରେ ଆନ୍ତର୍ଜାତୀୟ ଗଣମାଧ୍ୟମ ନଜର ଏବେ ପାକିସ୍ତାନ ରାଜନୀତି ଉପରେ ରହିଛି। ଏନେଇ କୁହାଯାଉଛି ଯେ ବର୍ତ୍ତମାନ ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କ ସରକାର ସଂଖ୍ୟାଲଘୁ ହୋଇସାରିଛି। ଆସନ୍ତା ଅପ୍ରେଲ ୩ ତାରିଖରେ ପାକିସ୍ତାନ ସଂସଦରେ ବହୁମତ ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।
ତାଙ୍କୁ ଗାଦିରୁ ହଟାଇବା ପାଇଁ ବିଦେଶୀ ସହାୟତା ନିଆଯାଉଥିବା କହିସାରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଯାହାର ପର୍ଦ୍ଦାଫାଶ ଯଥା ଶୀଘ୍ର କରାଯିବ ବୋଲି କହିଛନ୍ତି ସେ। ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ଏଭଳି ବୟାନବାଜି କରି ସେ ତାଙ୍କ ସପକ୍ଷରେ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୁଧବାର ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏଭଳି ପରିସ୍ଥିତିରେ ସେ ଇସ୍ତଫା ଦେବେ ନାହିଁ ବୋଲି ତାଙ୍କ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି। ହେଲେ ଆଶା କରାଯାଉଛି ଯେ ଦେଶରେ କ୍ଷମତାସୀନ ପିଟିଆଇ ସରକାର (PTI Govt in Pakistan) ଜରୁରୀକାଳୀନ ପରିସ୍ଥିତି ଜାରି କରିବା ଭଳି କୌଣସି ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇପାରେ। ଦେଶବାସୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏପରି ଏକ ସମୟରେ ସମ୍ବୋଧିତ କରିବାକୁ ଯାଉଛନ୍ତି ଯେତେବେଳେ ସେ ସଂସଦରେ ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ତାଙ୍କ ସରକାରରେ ସାମିଲ ଥିବା ମେଣ୍ଟ ସହଯୋଗୀ ଦଳର ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
Also Read: PTI ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ MQM; ବୁଧବାର ଗାଦି ଛାଡିପାରନ୍ତି ଇମ୍ରାନ ଖାନ!
ପିଟିଆଇ ସରକାରରେ ସାମିଲ ଥିବା ଏମକ୍ୟୁଏମ (MQM) ଦଳର ୨ ମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସରକାରରେ ଏମକ୍ୟୁଏମ ସହଯୋଗୀ ଥିଲା। ହେଲେ ବୁଧବାର ଏମକ୍ୟୁଏମ ବିରୋଧୀ ପିପିପି ସହ ଏକ ଚୁକ୍ତି କରିଛି।
ମୋଟ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଜାତୀୟ ସଂସଦରେ କୌଣସି ଦଳକୁ ବହୁମତ ସାବ୍ୟସ୍ତ କରିବା ଲାଗି ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ପିଟିଆଇ ସରକାରରୁ ଏମକ୍ୟୁଏମ ସମର୍ଥନ ପ୍ରତ୍ୟାହାର କରିବା ପରେ ବିରୋଧି ଦଳକୁ ଏବେ ୧୭୭ ସଦସ୍ୟଙ୍କ ସମର୍ଥନ ମିଳିଯିବ। ଅନ୍ୟପଟେ ଶାସକ ପିଟିଆଇ ପାଖରେ ଏବେ ୧୬୪ ସଦସ୍ୟଙ୍କ ସମର୍ଥନ ରହିଛି।
ଗତ ସୋମବାର ପାକିସ୍ତାନ ଜାତୀୟ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ ବିପକ୍ଷ ନେତା ଶହୱାଜ ସରିଫ୍। ଯାହାକୁ ପାକିସ୍ତାନ ସଂସଦ ପକ୍ଷରୁ ମଞ୍ଜୁରୀ ମିଳିସାରିଛି। ଏହି ପ୍ରସ୍ତାବ ଉପରେ ଆସନ୍ତା ୩୧ ମାର୍ଚ୍ଚରେ ହେବାକୁ ଯାଉଛି ବିତର୍କ। ଏହି ପ୍ରସ୍ତାବ ଉପରେ ଅପ୍ରେଲ ୩ କିମ୍ବା ୪ ତାରିଖରେ ହେବ ଭୋଟ୍।