ନୂଆଦିଲ୍ଲୀ: ମହାରାଷ୍ଟ୍ର ପୋଲିସ ପାଇଁ ବଢିଲା ଅଡୁଆ। ବହୁଚର୍ଚ୍ଚିତ ପାଲଘର ସାଧୁ ହତ୍ୟାକାଣ୍ଡ ମାମଲାରେ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ। ପାଲଘରଠାରେ ଦୁଇ ଜଣ ସାଧୁଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ଆଜି ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ଗୁରୁବାର ଶୁଣାଣି ସମୟରେ ମହାରାଷ୍ଟ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ।


COMMERCIAL BREAK
SCROLL TO CONTINUE READING

ଜବାବରେ ମହାରାଷ୍ଟ୍ର ସରକାର କହିଛନ୍ତି ଯେ ଏହି ମାମଲାରେ ଦୁଇଟି ଚାର୍ଜସିଟ ଦାଖଲ କରାଯାଇଛି। ତୃତୀୟଟି ସୋମବାର ସୁଦ୍ଧା ଦାଖଲ ହେବ। ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ଚାର୍ଜସିଟ୍  କୋର୍ଟରେ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ୩ ସପ୍ତାହ ମଧ୍ୟରେ ସରକାର ଏହି ଚାର୍ଜସିଟ୍ ଦାଖଲ ହେବା ଉଚିତ୍। ଏଥି ସହିତ ଆବେଦନକାରୀଙ୍କ ପରାମର୍ଶଦାତା ମଧ୍ୟ ଏନେଇ ତଦନ୍ତ କରିବାକୁ ଦାବି କରିଛନ୍ତି।


ଏଠାରେ କହି ରଖୁଛୁ ଯେ, ପାଲଘରରେ ଏପ୍ରିଲ ୧୬ ତାରିଖରେ ଦୁଇ ଜଣ ସାଧୁଙ୍କ ସହିତ ୩ ଜଣଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି ହତ୍ୟା କରିଥିଲେ। ଏହି ମାମଲାରେ ସ୍ଥାନୀୟ ଦହାଣୁ କୋର୍ଟରେ ଦୁଇଟି ଚାର୍ଜ ସିଟ ଦାଖଲ କରାଯାଇଛି। ୧୨୬ ଜଣଙ୍କ ବିରୋଧରେ ୪୯୯୫ ପୃଷ୍ଠାର ପ୍ରଥମ ଚାର୍ଜ ସିଟ ପ୍ରସ୍ତୁତ କରିଛି ସିଆଇଡ଼ି। ସେହିପରି ୫୯୨୧ ପୃଷ୍ଠାର ଦ୍ୱିତୀୟ ଚାର୍ଜସିଟ ଦାଖଲ କରାଯାଇଛି। ଏହି ଚାର୍ଜ ସିଟରେ ସିଆଇଡ଼ି ଗୁଜବକୁ ମୁଖ୍ୟ କାରଣ ବୋଲି ଦର୍ଶାଇଛି। ମାମଲାରେ ୧୬୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୮୦୮ ଜଣଙ୍କୁ ଜେରା କରାଯାଇଥିବା ସୂଚନା ରହିଛି। 


ବିଶେଷ କଥା ହେଉଛି ଏହି ଚାର୍ଜସିଟ୍ ଅନୁଯାୟୀ ସିଆଇଡି ଏହାର ତଦନ୍ତ ସମୟରେ ସ୍ୱୀକାର କରିଛି ଯେ ପାଲଘର ସାଧୁ ହତ୍ୟା ମାମଲାରେ କୌଣସି ସାମ୍ପ୍ରଦାୟିକ କାରଣ ନାହିଁ। କିନ୍ତୁ ଏହି ଛାତିଥରା ହତ୍ୟା ପଛରେ କିଛି ଗୁଜବ ରହିଥିବା ନେଇ ମଧ୍ୟ କୁହାଯାଉଛି। ସିଆଇଡି ଅନୁଯାୟୀ, କିଛି ଦିନ ହେବ ଏହି ଅଞ୍ଚଳରେ ଏକ ଗୁଜବ ଥିଲା ଯେ "କିଛି ଲୋକ ସାଧୁ, ଡାକ୍ତର, କିମ୍ବା ପୋଲିସ ବେଶରେ ଆସି ପିଲାମାନଙ୍କୁ ଅପହରଣ କରିବା ସହିତ ଶରୀରରୁ କିଡ଼ନୀ କାଢି ନେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଗୁଜବ ବ୍ୟାପିଯାଇଥିଲା। ଏହି ଗୁଜବ ଯୋଗୁଁ ସ୍ଥାନୀୟ ଲୋକ ସାଧୁମାନଙ୍କୁ ଅପହରଣକାରୀ ଭାବରେ ଗ୍ରହଣ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ମହାରାଷ୍ଟ୍ର ରାଜ୍ୟ ସରକାର ସାଧୁଙ୍କ ହତ୍ୟା ତଥା ମବଲିଞ୍ଚିଂ ବା ଭିଡ଼ହତ୍ୟା ପାଇଁ ସାମ୍ପ୍ରଦାୟିକ କାରଣକୁ ଖାରଜ କରିଥିଲେ।