ବିଦେଶ ଗସ୍ତରୁ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଅନେକ ଉପହାର,ଜାଣନ୍ତୁ କେଉଁ କାମରେ ହେଉଛି ବିନିଯୋଗ
ଗତ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୌପ୍ୟ ମୁଦ୍ରା, ଘଡ଼ି, ସ୍ମାରିକା, ହସ୍ତନିର୍ମିତ ଧୂପଦାନୀ, ମାଲଦ୍ୱୀପର ହସ୍ତଶୀଳ୍ପ ସାମଗ୍ରୀ, ଗୌତମ ବୁଦ୍ଧଙ୍କ ସମ୍ପର୍କିତ ସୂଚୀପତ୍ର ଓ ମୂର୍ତ୍ତି, ପ୍ରସିଦ୍ଧ କଳାକାର ଓଲାଫ ୱାନ କ୍ଲିଫଙ୍କ ଗଣେଶ ଫଟୋ ଆଦି ଉପହାରରେ ମିଳିଛି ।
ନୂଆଦିଲ୍ଲୀ: ବୈଦେଶିକ ସମ୍ପର୍କ କ୍ଷେତ୍ରରେ ଭାରତର ସ୍ଥାନ ଆଗରେ । ବିଶ୍ୱର ବିଭିନ୍ନ ଦେଶ ସହିତ ସମ୍ପର୍କ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ତତ୍ପର । ସମ୍ପର୍କ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧ ବର୍ଷରେ ଅନେକ ଦେଶ ଗସ୍ତ କରିଛନ୍ତି । ଏହି ସବୁ ଗସ୍ତ ସମୟରେ ତାଙ୍କୁ ଅନେକ ସ୍ମରଣୀୟ ଉପହାର ମଧ୍ୟ ମିଳିଛି । ଗତ ୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଦେଶରୁ ପ୍ରାୟ ୧୫ ଲକ୍ଷ ୬୫ ହଜାର ଟଙ୍କାର ୩୦ରୁ ଅଧିକ ଉପହାର ମିଳିଛି । ଏହି ଉପହାର ଗୁଡ଼ିକ ମଧ୍ୟରେ ରହିଛି ଧୂପଦାନି, ଗଣେଶଙ୍କ ମୂର୍ତ୍ତି, ଗୌତମ ବୁଦ୍ଧଙ୍କ ସମ୍ପର୍କିତ ପ୍ରତୀକ ଚିହ୍ନ, କମ୍ବଳ, ଦରି, ସ୍ୱେଟର ଏବଂ ଟୋପି । ତେବେ ମିଳୁଥିବା ଏହି ଉପହାର ଗୁଡ଼ିକ ପାଇଁ କିଛି ସ୍ୱତନ୍ତ୍ର ନିୟମ ରହିଛି । ନିୟମ ଅନୁଯାୟୀ ଏହି ସବୁ ସ୍ମରଣୀୟ ଉପହାରକୁ ବୈଦେଶିକ ବିଭାଗର ଟ୍ରେଜର ହାଉସ୍ (ଭଣ୍ଡାରଘର)ରେ ଜମା ଦିଆଯାଇଛି ।
ବିଦେଶ ମନ୍ତ୍ରାଳୟଙ୍କ ଟ୍ରେଜର ହାଉସ୍ (ଭଣ୍ଡାରଘର) ବିବରଣୀ ଅନୁଯାୟୀ ଗତ ଏପ୍ରିଲ ୨୦୨୧ରୁ ଚଳିତ ବର୍ଷ ଏପ୍ରିଲ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଦେଶ ଯାତ୍ରା କାଳରେ ଓ ଅନ୍ୟ ମାଧ୍ୟମରୁ ୩୦ରୁ ଅଧିକ ଉପହାର ମିଳିଛି । ଏହି ସମୟଭିତରେ ପ୍ରଧାନମନ୍ତ୍ରୀ ଡେନମାର୍କ, ଫ୍ରାନ୍ସ,,ଜର୍ମାନୀ, ଇଟାଲୀ, ବ୍ରିଟେନ, ଆମେରିକା ଏବଂ ବାଂଲାଦେଶ ଆଦି ଦେଶ ଗୁଡ଼ିକୁ ଯାତ୍ରା କରିଥିଲେ । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ମୂଲ୍ୟବାନ ଉପହାର ମିଳିଛି । ବିଭିନ୍ନ ଧାତୁରେ ନିର୍ମିତ ଏହି ସବୁ ଉପହାରରେ କାଷ୍ଟ, ରୂପା, ସୁନା ନିର୍ମିତ ଅନେକ ଉପହାର ରହିଛି । ଏହି ଉପହାର ଭିତରେ ଥିବା ସୁନାରେ ନିର୍ମିତ ଚେସ୍ ବୋର୍ଡର ମୂଲ୍ୟ କେବଳ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ପିଏମଙ୍କୁ ୪ ସେଟ୍ ବାସନ ମଧ୍ୟ ଉପହାର ମିଳିଛି , ଯାହାର ମୂଲ୍ୟ ପାଖାପାଖି ସାଢେ ୪ଲକ୍ଷ ଟଙ୍କା ହେବ । ବିଦେଶ ମନ୍ତ୍ରାଳୟ ଟ୍ରେଜର ହାଉସ୍ (ଭଣ୍ଡାରଘର)ବିବରଣୀ ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୌପ୍ୟ ମୁଦ୍ରା, ଘଡ଼ି, ସ୍ମାରିକା, ହସ୍ତନିର୍ମିତ ଧୂପଦାନୀ, ମାଲଦ୍ୱୀପର ହସ୍ତଶୀଳ୍ପ ସାମଗ୍ରୀ, ଗୌତମ ବୁଦ୍ଧଙ୍କ ସମ୍ପର୍କିତ ସୂଚୀପତ୍ର ଓ ମୂର୍ତ୍ତି, ପ୍ରସିଦ୍ଧ କଳାକାର ଓଲାଫ ୱାନ କ୍ଲିଫଙ୍କ ଗଣେଶ ଫଟୋ ଆଦି ଉପହାରରେ ମିଳିଛି ।
ସେହିପରି କାଚ ନିର୍ମିତ ଗିନା,କଲମ, ଅଷ୍ଟ୍ରେଲିଆର ସ୍ୱତନ୍ତ୍ର ଅକୁର୍ବା ଟୋପି, କାଷ୍ଟରେ ନିର୍ମିତ କପ୍, ଗୋଲାପ ଜଳ, ଅଲିଭ ତେଲ, କାଚର ଫୁଲଦାନୀ, ଗଣେଶଙ୍କ ଛୋଟ ମୂର୍ତ୍ତି, କାଷ୍ଟ ନିର୍ମିତ ବାକ୍ସ, ଷ୍ଟିଲ ଜଗ, କାଷ୍ଟ ନର୍ମିତ ଦରି ଓ ଇଣ୍ଡିପେଣ୍ଡେଣ୍ଟ ଓଭର ହ୍ୟାପିନେସ ନାମକ ପୁସ୍ତକ ଆଦି ଉପହାର ସ୍ୱରୂପ ମିଳିଛି । ଏହା ଛଡା ଏହି ଲିଷ୍ଟରେ, କମ୍ବଳ, ସ୍ୱେଟର,ନବବର୍ଷ ଉପହାର, କଲମ ସେଟ୍ ଆଦି ମଧ୍ୟ ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ୨୦୧୦() ଅନୁସାରେ ଯେତେବେଳେ କୌଣସି ଭାରତୀୟ ପ୍ରତିନିଧି ମଣ୍ଡଳର କୌଣସି ସଦସ୍ୟଙ୍କୁ ଦାନ ଅଥବା ଉପହାର ଆକାରରେ ବିଦେଶୀ ଉପହାର ପ୍ରାପ୍ତ ହୋଇଥାଏ,ସେହି ଦାନ ଓ ଉପହାରକୁ ୩୦ ଦିନ ମଧ୍ୟରେ ସମ୍ପର୍କିତ ମନ୍ତ୍ରାଳୟ ଅଥବା ବିଭାଗକୁ ଦେଇଦେବାକୁ ହୋଇଥାଏ । ତାହାକୁ ବିଦେଶ ମନ୍ତ୍ରାଳୟର ଟ୍ରେଜର ହାଉସ୍ (ଭଣ୍ଡାରଘର)କୁ ପଠାଇ ଦିଆଯାଇଥାଏ ।