ସରକାରୀ ଅର୍ଥରେ ପଢାଯିବନି କୁରାନ, ନଭେମ୍ବରରୁ ଆସାମରେ ବନ୍ଦ ହେବ ସରକାରୀ ମଦ୍ରାସା!
ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ନଭେମ୍ବରରୁ ରାଜ୍ୟରେ ଥିବା ସମସ୍ତ ସରକାରୀ ମଦ୍ରାସାକୁ ବନ୍ଦ କରାଯିବ।
ଗୌହାଟୀ: ରାଜ୍ୟରେ ରହିଥିବା ଧାର୍ମିକ ଶିକ୍ଷାନୁଷ୍ଠାନ (Religious Education Institute) କୁ ନେଇ ସଜାଗ ହୋଇଉଠିଛନ୍ତି ଆସାମ ସରକାର (Assam Govt)। ସରକାରୀ ଅର୍ଥରେ କୁରାନ ପଢାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି।
ଏନେଇ ଆସାମ ସରକାରଙ୍କ ଶିକ୍ଷା ମନ୍ତ୍ରୀ (Assam Education Minsiter) ହିମନ୍ତ ବିଶ୍ୱ ଶର୍ମା (Himant Biswa Sharma) ଜଣାଇଛନ୍ତି, " ଏଣିକି ସରକାରୀ ଅର୍ଥରେ କୁରାନ ପଢାଯାଇ ପାରିବ ନାହିଁ। ଯଦି କୁରାନ ପଢା ଯାଇପାରିବ ତାହେଲେ ଗୀତା କିମ୍ବା ବାଇବେଲ କାହିଁକି ପଢାଯାଇ ପାରିବ ନାହିଁ। ଆମେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ସହ ଏପରି ପ୍ରଥାକୁ ବନ୍ଦ କରିବାକୁ ଚାହୁଁଛୁ। ରାଜ୍ୟରେ ସମସ୍ତ ମଦ୍ରାସାକୁ ନିୟମିତ ବିଦ୍ୟାଳୟରେ ପରିଣତ କରାଯିବ। "
ଯଦି ସରକାରୀ ଅର୍ଥରେ କୁରାନ ପଢାଯାଇ ପାରୁଛି ତାହେଲେ ଗୀତା କିମ୍ବା ବାଇବେଲ କାହିଁକି ପଢାଯାଇ ପାରିବ ନାହିଁ ବୋଲି ଆସାମ ଶିକ୍ଷାମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ ବିଶ୍ୱଶର୍ମାଙ୍କ ଏପରି ବୟାନ ଆସିବା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସରକାରୀ ଅର୍ଥରେ କେବଳ ଗୋଟିଏ ଧର୍ମର ଧାର୍ମିକ ଶିକ୍ଷାନୁଷ୍ଠାନ କିମ୍ବା ଧର୍ମଗ୍ରନ୍ଥ ପଢାଯାଇ ପାରିବ ନାହିଁ। ଆସନ୍ତା ନଭେମ୍ବରରୁ ରାଜ୍ୟରେ ଥିବା ମଦ୍ରାସା ବନ୍ଦ କରିବା ଲାଗି ଆସାମ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି।
ଏ ପ୍ରସଙ୍ଗରେ ମତ ରଖି ଆସାମ ଶିକ୍ଷାମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ନଭେମ୍ବରରୁ ରାଜ୍ୟରେ ଥିବା ସମସ୍ତ ସରକାରୀ ମଦ୍ରାସାକୁ ବନ୍ଦ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ନଭେମ୍ବର ମାସରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବ।
ଆସାମରେ ୬୧୪ ସରକାରୀ, ୯୦୦ ଘରୋଇ ମଦ୍ରାସା ରହିଛି। ଯାହାକୁ ଇସଲାମିକ ଧାର୍ମିକ ସଙ୍ଗଠନ (Islamic religious organizations) ଜମିୟତ ଉଲେମା ଏ ହିନ୍ଦ୍ (Jamiat Ulema-e-Hind) ପକ୍ଷରୁ ପରିଚାଳନା କରାଯାଉଛି। ରାଜ୍ୟରେ ଥିବା ସମସ୍ତ ମଦ୍ରାସା ଲାଗି ଆସାମ ସରକାର ବାର୍ଷିକ ୩-୪ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାରୀ ମଦ୍ରାସାକୁ ନିୟମିତ ବିଦ୍ୟାଳୟରେ ପରିଣତ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ଆସାମ ସରକାର।
ସମ୍ବିଧାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ (Minority Community) ଲାଗି କୌଣସି ସଂଜ୍ଞା ନାହିଁ। ସେମାନଙ୍କୁ ସମ୍ବିଧାନର ୨୯-୩୦ ଧାରା ଆଧାରରେ ସ୍ୱତନ୍ତ୍ର ସଂରକ୍ଷଣ ଦିଆଯାଇଛି। ଧାରା ୨୯ ଅନୁସାରେ ଭାଷା, ଲିପି କିମ୍ବା ସଂସ୍କୃତି ବଜାୟ ରଖିବାର ଅଧିକାର ମିଳିଛି। ସରକାରୀଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଧର୍ମ, ଜାତି ଏବଂ ଭାଷା ଉପରେ କୌଣସି ଭେଦଭାବ ରହିବା ଠିକ ନୁହେଁ । ଧାରା ଅନୁସାରେ ଧର୍ମ, ଭାଷା ଆଧାରରେ ଶିକ୍ଷାନୁଷ୍ଠାନ ପରିଚାଳନା କରିବାକୁ ଅଧିକାର ମିଳିଛି।