Dera Sacha Sauda Chief Gurmeet Ram Rahim Singh: ତିନୋଟି ହତ୍ୟା ଏବଂ ଯୌନ ଶୋଷଣ ମାମଲାରେ ୨୦-୨୦ ବର୍ଷର କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ହରିୟାଣା ସରକାରଙ୍କ ନୂତନ ନିୟମରୁ ଆଶ୍ୱସ୍ତି ମିଳିଛି। ତାଙ୍କର ୯୦ ଦିନିଆ ଦଣ୍ଡ ହ୍ରାସ କରାଯାଇଛି। କୌଣସି ମାମଲାରେ ୧୦ ବର୍ଷରୁ ଅଧିକ ସମୟ ପାଇଁ ଦଣ୍ଡିତ ହୋଇଥିବା ବନ୍ଦୀଙ୍କୁ ୯୦ ଦିନର କ୍ଷମା ଦିଆଯିବ ବୋଲି ହରିୟାଣା ସରକାର ସାଧାରଣତନ୍ତ୍ର ଦିବସରେ ନିଷ୍ପତ୍ତି ନେଇଛନ୍ତି। ଗୁରମିତ ରାମ ରହିମ ସିଂହ ୨୦୧୭, ୨୫ ଅଗଷ୍ଟରୁ କାରାଗାରରେ ଅଛନ୍ତି। ସେବେ ଠାରୁ ତାଙ୍କୁ ୪ ଥର ପାରୋଲ ମିଳିସାରିଛି। ସେ ଏବେ ମଧ୍ୟ ପାରୋଲରେ ଅଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ସେ ହରିୟାଣା ସରକାରଙ୍କ ନୂତନ ନିୟମରୁ ତାଙ୍କୁ ପଞ୍ଚମ ଥର ଲାଗି ଆଶ୍ୱସ୍ତି ମିଳିବାକୁ ଯାଉଛି। 


COMMERCIAL BREAK
SCROLL TO CONTINUE READING

ସାଧାଣତନ୍ତ୍ର ଦିବସ ଅବସରରେ ହରିୟାଣା ସରକାର ଏକ ନୂତନ ନିଷ୍ପତ୍ତି ନେଇଛନ୍ତି। କୌଣସି ମାମଲାରେ ୧୦ ବର୍ଷରୁ ଅଧିକ ସମୟ ପାଇଁ ଦଣ୍ଡିତ ହୋଇଥିବା ବନ୍ଦୀଙ୍କୁ ୯୦ ଦିନର କ୍ଷମା ଦିଆଯିବ ବୋଲି ନିଆଯାଇଛି ନିଷ୍ପତ୍ତି। ରାଜ୍ୟରେ ଅପରାଧିକ କ୍ଷେତ୍ରରେ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିବା କଏଦୀଙ୍କୁ ୩ ମାସର ସ୍ୱତନ୍ତ୍ର କ୍ଷମା ପ୍ରଦାନ କରାଯିବ। ୧୦ ବର୍ଷ କିମ୍ବା ଏହା ଠାରୁ ଅଧିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କୁ ୯୦ ଦିନ, ୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ୬୦ ଦିନ ଏବଂ ୫ ବର୍ଷରୁ କମ୍ ସମୟ ପାଇଁ ଦଣ୍ଡିତ ହୋଇଥିବା ଲୋକଙ୍କୁ ୩୦ ଦିନର ଆଶ୍ୱସ୍ତି ପ୍ରଦାନ କରାଯିବ। 


ହରିୟାଣାର ଜେଲ ମନ୍ତ୍ରୀ ଚୌଧୁରୀ ରଣଜିତ ସିଂହ ଚୌଟାଲା କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସରେ କାରାଗାରରୁ ପାରୋଲରେ ଆସିବାକୁ ଯାଉଥିବା ସମସ୍ତ ଦୋଷୀ ଏବଂ ପୂର୍ବରୁ ପାରୋଲରେ ରହିଥିବା ସମସ୍ତ ଅପରାଧୀଙ୍କୁ ମଧ୍ୟ ଏହି ରିହାତି ପ୍ରଦାନ କରାଯିବ। ହେଲେ ଏନେଇ ହରିୟାଣା ସରକାର ଏକ ସର୍ତ୍ତ ରଖିଛନ୍ତି। ତାହା ହେଉଛି ଯେ କଏଦୀ ନିର୍ଦ୍ଧାରିତ ସମୟରେ ସମ୍ପୃକ୍ତ କାରାଗାରରେ ଆତ୍ମସମର୍ପଣ କରିବେ। ସେହି କ୍ଷେତ୍ରରେ ଅବଶିଷ୍ଟ କାରବାସ ପାଇଁ ଏହି ଆଶ୍ୱସ୍ତି ପ୍ରଦାନ କରାଯିବ। ହରିୟାଣା ସରକାରଙ୍କ ଏହି ଘୋଷଣାକୁ ନେଇ ଆରମ୍ଭ ହୋଇଛି ବିବାଦ। ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ହରିୟାଣା ଜେଲ ମନ୍ତ୍ରୀ କହିଛନ୍ତି ଯେ, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହ ହରିୟାଣା ସରକାରଙ୍କ ନିଷ୍ପତ୍ତି ଅଧିରେ ଆସୁଛନ୍ତି ନା ନାହିଁ ତାହା କହିବା କଷ୍ଟକର। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତାଙ୍କ ସହ କଥା ହେବେ। କେବଳ ସେତେବେଳେ ଯାଇ କିଛି ଜବାବ ଦିଆଯାଇ ପାରିବ ବୋଲି କହିଛନ୍ତି ହରିୟାଣା ଜେଲ ମନ୍ତ୍ରୀ। 


କେବେ କେବେ ମିଳିଛି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ଆଶ୍ୱସ୍ତି 


  • ୨୦୨୨, ୭ ଫେବୃଆରୀରେ ମିଲିଥିଲା ୨୧ ଦିନର ପାରୋଲ 

  • ୨୦୨୨, ୧୭ ଜୁନରେ ମିଲିଥିଲା ୩୦ ଦିନର ପାରୋଲ  

  • ୨୦୨୨ ଅକ୍ଟୋବରରେ ମିଳିଥିଲା ୪୦ ଦିନର ପାରୋଲ

  • ୨୦୨୩, ୨୧ ଜାନୁୟାରୀରେ ମିଳିଲା ୪୦ ଦିନ ପାରୋଲ

  • ପ୍ରଥମ ଥର ପାଇଁ ୨୦୨୦ ପଞ୍ଜାବ-ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ମିଳିଥିଲା ​ଆଶ୍ୱସ୍ତି 


ଗତ ୨୦୨୨ ଫେବୃଆରୀରେ ଯେତେବେଳେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କୁ ପ୍ରଥମ ଥର ପାଇଁ ଆଶ୍ୱସ୍ତି ମିଳିଥିଲା, ସେତେବେଳେ ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିଲା। ଏହି ନିର୍ବାଚନ ସମୟରେ ଗୁରମିତ ରାମ ରହିମ ସିଂହଙ୍କୁ ୨୧ ଦିନର ପାରୋଲ ମିଳିଥିଲା। ଏହି ସମୟରେ ଡେରା ସଚ୍ଚା ସୌଦା ମୁଖ୍ୟ ତାଙ୍କ ଗୁରୁଗ୍ରାମସ୍ଥିତ ଡେରା ଠାରେ ରହିଥିଲେ।