General Election: ଭୁବନେଶ୍ୱର (ଜୀ ଓଡ଼ିଶା): ସେପ୍ଟେମ୍ବର ମଧ୍ୟଭାଗଆଡ଼କୁ ପୁଣିଥରେ ସଂଦର ଅଧିବେଶନ ଡକାଯାଇପାରେ। ଏହା ସ୍ୱତନ୍ତ୍ର ଅଧିବେଶନ ହେବ।  ପୁଣି ଏହି ଅଧିବେଶନ ନୂଆ ସଂସଦ ଭବନରେ ହୋଇପାରେ ବୋଲି ସୂଚନା ମିଳିଛି। ବିଶ୍ୱସ୍ତ ସୁତ୍ର ଅନୁସାରେ ସଂସଦର ଉଭୟ ଗୃହର ସଚିବାଳୟ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ କ’ଣ ପାଇଁ ଏ ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକତା ପଡ଼ିଲା ଓ ଏଥିରେ କେତୋଟି କାର୍ଯ୍ୟଦିବସ ରହିବ ସେ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଆଗାମୀ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। 'ଅମୃତକାଳ' ମଧ୍ୟରେ ଏକ ସକରାତ୍ମକ ଆଲୋଚନାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଅଧିବେସନ ଡକାଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ୧୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ସ୍ୱଭାବିକ ଭାବେ ଶେଷ ହୋଇଥିଲା। ସାଧାରଣତଃ ସେପ୍ଟମ୍ବର ମାସରେ କୌଣସି ଅଧିବେଶନ ହୁଏ ନାହିଁ। କିନ୍ତୁ ଏହି ସ୍ୱତନ୍ତ୍ର ଅଧିବେଶନ ବାବଦରେ ଗୁଞ୍ଜରଣ ସୃଷ୍ଟି ହେବାପରେ ଏବେ ଏନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେହି କେହି ଏହି ସ୍ୱତନ୍ତ୍ର ଅଧିବେଶନକୁ ନୂତନ ସଂସଦ କୋଠା ସହ ସାଂସଦମାନଙ୍କୁ ଜଣାଇବା ଲାଗି ଉଦ୍ଦିଷ୍ଟ ବୋଲି କହୁଥିବାବେଳେ ଆଉ କେହି ଏହାକୁ ରାଜନୀତିକ କାରଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହୁଛନ୍ତି। କାରଣ ଆସନ୍ତା ଡିସେମ୍ବର ଓ ଜାନୁୟାରୀରେ ହେବାକୁ ଥିବା ରାଜ୍ୟଗୁଡ଼ିକର ନିର୍ବାଚନ ସହ ସଂସଦ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଥିବାରୁ ଏପରି ଏକ ଯୋଜନା କରାଯାଇଥିବା ଆଲୋଚନା ହେଉଛି।


ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ପାଇଁ ଜାନୁୟାରୀରେ  ନିର୍ବାଚନ ହେବ। ଏହା ପୂର୍ବରୁ ମିଜୋରାମ ନିର୍ବାଚନ ଶେଷ ହେବ।  ଏହି ୫ଟି ରାଜ୍ୟର ନିର୍ବାଚନ ଶେଷ ହେବା ପରେ ସିଧାସଳଖ ସାଧାରଣ ନିର୍ବାଚନର ତାରିତଖ ସ୍ଥିର  ହୋଇଥାଏ। କିନ୍ତୁ ଏହି ୫ଟି ରାଜ୍ୟ ଭିତରୁ ମଧ୍ୟପ୍ରଦେଶକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ଏନ୍‍ଡିଏ ବା ବିଜେପିର ସ୍ଥିତି ଭଲ ନଥିବା ଆଲୋଚନା ହେଉଛି। ଏଣୁ ଏହି ନିର୍ବାଚନରେ ଖରାପ ପ୍ରଦର୍ଶନ କଲେ ତାହାର ନକରାତ୍ମକ ପ୍ରଭାବ ସାଧାରଣ ନିର୍ବାଚନରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏଣୁ କ୍ଷମତାସୀନ ଏନ୍‍ଡିଏ ଏହି ନିଷ୍ପତ୍ତି ନେଇପାରେ ବୋଲି ଆଲୋଚନା ହେଉଛି। ତେବେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦଳ ଏମିତି ଆଗୁଆ ନିର୍ବାଚନ କରାଇ ଅଠାକାଠିରେ ଫଶିଥିଲା। ଆଉ କ୍ଷମତାକୁ ଫେରି ନଥିଲା। ଏବେ ମଧ୍ୟ ଏମିତି ନିଷ୍ପତ୍ତି ନେଲେ ତାହା ବୁମେରାଂ ହୋଇପାରେ ବୋଲି କିଛି  ରାଜନୀତିକ ବିଶେଷଜ୍ଞ ତଥା ସାମ୍ବାଦିକ ଆଶଙ୍କା ପ୍ରକାଶ କରିଛନ୍ତି।


ଅପରପକ୍ଷେ ସମ୍ବିଧାନର ଧାରା ୮୩ ଅନୁସାରେ କେନ୍ଦ୍ରର କ୍ଷମତାସୀନ ସରକାର ତଥା ପ୍ରଧାନମନ୍ତ୍ରୀ ଚାହିଁଲେ   ରାଷ୍ଟ୍ରପତିଙ୍କୁ ସରକାର ଭଙ୍ଗ ପାଇଁ ପ୍ରସ୍ତାବ ଦେଇ ପାରନ୍ତି। ଏହାପରେ ଲୋକସଭାରେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଥିବା କୌଣସି ବିଲ୍‍ ବା ଲୋକସଭାରୁ ପାରିତ ହୋଇ ରାଜ୍ୟସଭାରେ ପଡ଼ି ରହିଥିବା କୌଣସି ବିଲ୍‍ ଆଉ ଆଲୋଚନା ହେବ ନାହିଁ। ଏସବୁ ବିଲ୍‍ ସ୍ୱତଃ ନିଜ ନିଜର ସତ୍ତା ହରାଇବେ। ଏବେ ସରକାରଙଘ୍କ ଗୁରୁତ୍ୱପୂର୍ଣ୍ଣ ବିଲ୍‍ସବୁ ସରକାର ପାରିତ କରାଇ ସାରିଛନ୍ତି। ଏକକ ଆଚରରଣ ସଂହିତା ବା ୟୁନିଫର୍ମ ସିଭିଲ୍‍ କୋଡ୍‍ ଭଳି ବିଲ୍‍ ଏଯାଏ ସରକାର ଉପସ୍ଥାପନ କରି ନାହାନ୍ତି। ଏହି ବିଲ୍‍ ଏକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକତା କରୁଥିବାରୁ ଏଥିରେ ରାଜ୍ୟଗୁଡ଼ିକର ସମର୍ଥନ ଆବଶ୍ୟକ ପଡ଼ିଥାଏ। ହେଲେ ସରକାରଙ୍କ ପାଖରେ ସେତିକି କ୍ଷମତା ନଥିବାରୁ ଏବେ ସରକାର ତାହାକୁ ଆଣିବାକୁ ଚାହୁ ନାହାନ୍ତି। କାରଣ ପୂର୍ବରୁ ଦିଲ୍ଲୀର ରାଜଧାନୀ ଅଞ୍ଚଳ ବିଲ୍‍କୁ ନେଇ ବିଜେପି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ଏଣୁ ୟୁନିଫର୍ମ ସିଭିଲ୍‍ କୋଡ୍‍  ବିଲ୍‍  କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇପାରେ।


ଅପରପକ୍ଷେ ସରକାର ଭଙ୍ଗ ପାଇଁ ଅଧିବେଶନର ଆବଶ୍ୟକତା ନଥାଏ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍‍ ଏ ବିଷୟରେ ପ୍ରସ୍ତାବ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରନ୍ତି। ଏଣୁ ଏହି ସ୍ୱତନ୍ତ୍ର ଅଧିବେଶନର ଲକ୍ଷ୍ୟ ଆଗୁଆ ନିର୍ବାଚନ ହୋଇ ନପାରେ ବରଂ ନୂଆ ସଂସଦ ଭବନ ସହ ସାଂସଦଙ୍କୁ ପରିଚିତ କରାଇବା ହୋଇଥାଇପାରେ। ଏହି ଅଧିବେଶନରେ କୌଣସି ସମସ୍ୟା ଆସିଲେ ତାହାକୁ ଶୀତ କାଳୀନ ଅଧିବେଶନ ପୂର୍ବରୁ ସମାଧାନ କରିବା ପାଇଁ ସରକାର ଆଶା ରଖିଥାଇପାରନ୍ତି।