Supreme Court on Hijab Ban: କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ଗୁରୁବାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ହେଲେ ଏହି ମାମଲାର ଶୁଣାଣି କରିଥିବା ଦୁଇ ଜଣ ବିଚାରପତିଙ୍କ ରାୟ ଭିନ୍ନ ରହିଛି। ବର୍ତ୍ତମାନ ଏହି ମାମଲାକୁ ଦେଶର ମୁଖ୍ୟ ବିଚାରପତି ୟୁୟୁ ଲଲିତଙ୍କ ପାଖକୁ ପଠାଯାଇଛି। ଏକ ବଡ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିବାକୁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ରାୟ ଆସିବା ହିଜାବ ନିଷେଧାଦେଶ ଉପରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଇଥିବା ରାୟ ପୂର୍ବ ଭଳି ବଳବତ୍ତର ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହିଜାବ ଉପରେ ନିଷେଧାଦେଶ ଲାଗୁ ହେବ।


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକରେ ହିଜାବ ନିଷେଧାଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଗୁରୁବାର ଖଣ୍ଡିତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ହିଜାବ ନିଷେଧାଦେଶ ଉପରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ରାୟ ଭିନ୍ନ ରହିଛି। ସୁପ୍ରିମକୋର୍ଟ ରାୟ ଆସିବା ପରେ କର୍ଣ୍ଣାଟକରେ ହିଜାବ ଉପରେ ନିଷେଧାଦେଶ ଜାରି ରହିବ।


କୋର୍ଟରେ ଜଷ୍ଟିସ ହେମନ୍ତ ଗୁପ୍ତା ପ୍ରଥମେ ତାଙ୍କ ରାୟ ଶୁଣାଇଥିଲେ। ଏନେଇ କହିଥିଲେ ଯେ ସେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରୁଛୁ। ଅନ୍ୟ ପଟେ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଭିନ୍ନ ମତ ରହିଛି। ସେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି। ଏହା ସହିତ ସେ ସରକାରୀ ଆଦେଶକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ, ଯେଉଁଥିରେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କଟକଣା ଲଗା ଯାଇଥିଲା। ଜଷ୍ଟିସ୍ ଧୁଲିଆ କହିଛନ୍ତି ଯେ ତାଙ୍କ ବିଚାରରେ ସେ ମୁଖ୍ୟତଃ ବାଧ୍ୟତାମୂଳକ ଧାର୍ମିକ ପ୍ରଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯାହା ବିବାଦର ମୂଳ ନୁହେଁ। କର୍ଣ୍ଣାଟକ ହାଇକୋର୍ଟ ଭୁଲ ରାସ୍ତା ଆପଣାଇଛନ୍ତି। ହିଜାବ ପିନ୍ଧିବା ଶେଷରେ ପସନ୍ଦଯୋଗ୍ୟ ବିଷୟ। ଏଥିରେ କମ କିମ୍ବା ବେଶୀ କିଛି ନାହିଁ।


ଗତ ୨୪ ମାର୍ଚ୍ଚରେ ଆବେଦନକାରୀ କର୍ଣ୍ଣାଟକ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟରେ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ବେଞ୍ଚରେ ୧୦ ଦିନ ଧରି ହିଜାବ ବିବାଦକୁ ନେଇ ଜୋରଦାର ବିତର୍କ ହୋଇଥିଲା। ଏହି ସମୟରେ ମୁସଲିମ ପକ୍ଷ ହିଜାବକୁ ପଗଡି ଏବଂ କ୍ରସ ସହିତ ତୁଳନା କରିଥିଲେ। ହେଲେ ଜଷ୍ଟିସ ଗୁପ୍ତା ଏହା ଉପରେ ଜୋରଦାର ଟିପ୍ପଣୀ କରିଥିଲେ। ୧୦ ଦିନ ଧରି ଚାଲିଥିବା ଶୁଣାଣି ପରେ ବେଞ୍ଚ ୨୨ ସେପ୍ଟେମ୍ବରରେ ନିଜ ନିଷ୍ପତ୍ତି ସଂରକ୍ଷିତ କରି ରଖିଛନ୍ତି।


କର୍ଣ୍ଣାଟକ ହାଇକୋର୍ଟ ୧୫ ମାର୍ଚ୍ଚରେ ଏକ ଯାଚିକାକୁ ଖାରଜ କରି ଦେଇଥିଲେ। ଯେଉଁଥିରେ ରାଜ୍ୟର ଉଡୁପି ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ ଶିକ୍ଷାନୁଷ୍ଠାନରେ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧିବା ଲାଗି ଅନୁମତି ଦିଆ ଯାଇଥିଲା। ଏନେଇ ହାଇକୋର୍ଟ କହିଥିଲେ ହିଜାବ ପିନ୍ଧିବା ଇସଲାମରେ ଆବଶ୍ୟକୀୟ ଧାର୍ମିକ ପ୍ରଥାର ଏକ ଅଂଶ ନୁହେଁ।  


କେବେ ଆରମ୍ଭ ହୋଇଥିଲା ହିଜାବ ବିବାଦ?
ଚଳିତ ବର୍ଷ ଜାନୁଆରୀରୁ କର୍ଣ୍ଣାଟକ ଉଡୁପି ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିଲା ହିଜାଜ ବିବାଦ। ଯେଉଁଠାରେ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ଏହାକୁ ୟୁନିଫର୍ମ କୋଡ ବିରୋଧୀ ବୋଲି ଦର୍ଶାଇଥିଲା। ଏହା ପରେ କର୍ଣ୍ଣାଟକର ଅନ୍ୟ ସହରକୁ ଏହି ବିବାଦ ବ୍ୟାପି ଯାଇଥିଲା। ଶେଷରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। କର୍ଣ୍ଣାଟକ ହାଇକୋର୍ଟ ଶ୍ରେଣୀରେ ହିଜାବ ପିନ୍ଧିବାକୁ ଦାବି କରୁଥିବା ଛାତ୍ରୀଙ୍କ ଏହି ଆବେଦନକୁ ଖାରଜ କରି ଦେଇଥିଲେ। ପରେ ୧୫ ମାର୍ଚ୍ଚରେ ଏହି ମାମଲାରେ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ଏନେଇ କୋର୍ଟ କହିଥିଲେ ହିଜାବ ପିନ୍ଧିବା ଇସଲାମର ଅତ୍ୟାବଶ୍ୟକ ଅଭ୍ୟାସର ଏକ ଅଂଶ ନୁହେଁ। ଶିକ୍ଷାନୁଷ୍ଠାନରେ ୟୁନିଫର୍ମ କୋଡ ଅନୁସରଣ କରିବା ପାଇଁ ରାଜ୍ୟ ସରକାର ଦେଇଥିବା ଆଦେଶ ଠିକ୍। ହେଲେ କର୍ଣ୍ଣାଟକ ହାଇକୋର୍ଟ ରାୟ ଆସିବା ପରେ ମଧ୍ୟ ବନ୍ଦ ହୋଇନଥିଲା ହିଜାବ ବିବାଦ। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଯେଉଁ ମାମଲା ବର୍ତ୍ତମାନ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚରାଧିନ ରହିଛି।