Gujurat Accident: ଗାନ୍ଧୀନଗର: ତମାମ ଦେଶରେ ଛଟ ପୂଜାର (Chhat Puja) ମାହୋଲ ଥିବା ବେଳେ ଗୁଜୁରାଟରୁ (Gujurat) ଆସିଛି ଏକ ହୃଦୟ ବିଦାରକ ଖବର। ଗୁଜରାଟର (Gujurat) ମୋରବୀ ଦେଇ ବହି ଯାଇଥିବା ମଚ୍ଛୁ ନଦୀ ଉପରେ ନିର୍ମାଣ ହୋଇଥିବା ଝୁଲା ପୋଲ ( Hanging Bridge) ଛିଡ଼ି ଯାଇଛି। ଏହି ଘଟଣାରେ ପ୍ରାୟ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ଏହି ଘଟଣା ଘଟିଥିବା ବେଳେ ପୋଲ ଉପରେ ପ୍ରାୟ ୪ ଶହରୁ ୫ ଶହ ଲୋକ ଉପସ୍ଥିତ ଥିଲେ। ତେବେ ଖବର ପାଇବା କ୍ଷଣି ପୋଲିସ ପ୍ରଶାସନ ସେଠାରେ ପହଞ୍ଚିକି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ଏହି ପୋଲ ଶହେ ବର୍ଷରୁ ଅଧିକ ପୂରୁଣା । ତେବେ ନିକଟରେ ଏହାର ମରାମତି କାର୍ଯ୍ୟ କରାଯାଇଥିଲା। ଛଟ ପୂଜା ପାଇଁ ୫ ଦିନ ପୂର୍ବରୁ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ତେବେ ଏହି ପୋଲଟିକୁ ଦେଖିବାକୁ ପାଇଁ ଏଠାରେ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ପହଞ୍ଚିଥାନ୍ତି। ରବିବାର ଛୁଟି ଦିନ ଥିବାରୁ ଏଠାରେ ଲୋକମାନଙ୍କର ଭିଡ଼ ଜମିଥିଲା। 


୨୩୦ ମିଟର ଲମ୍ବା ବିଶିଷ୍ଟ ଏହି ଐତିହାସିକ ପୋଲ ଉନ୍ନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ ସମୟରେ ଏହି ପୋଲକୁ ନିର୍ମାଣ କରାଯାଇଥିଲା। ତେବେ ନବୀକରଣ ଓ ମରାମତି ପାଇଁ ବିଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହାକୁ ସର୍ବସାଧାରଣ ପାଇଁ ବନ୍ଦ କରିଦିଆ ଯାଇଥିଲା। ତେବେ ମରାମତି କାର୍ଯ୍ୟ ସରିବା ପରେ ଗତ ସପ୍ତାହରେ ଲୋକମାନଙ୍କ ପାଇଁ ଖୋଲାଯାଇଥିଲା। 


ତେବେ ମୃତାହତଙ୍କ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଦୁଃଖ ପ୍ରକାଶ କରିବା ସହିତ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ସେହିପରି ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରାହତ ପାଣ୍ଠିରୁ ମୃତକଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଯୋଗାଇ ଦିଆଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ। 


ଅଧିକାରୀ କହିଛନ୍ତି ଯେ ମରାମତି ପରେ ନିକଟରେ ଜନସାଧାରଣଙ୍କ ନିକଟରେ ଖୋଲାଯାଇଥିବା ଏହି ବ୍ରିଜଟି ଏହା ଉପରେ ଠିଆ ହୋଇଥିବା ଲୋକଙ୍କ ଭାର ବହନ କରିପାରୁ ନ ଥିବାରୁ ଭୁଶୁଡି ପଡିଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ବ୍ରିଜେଶ ମର୍ଜା କହିଛନ୍ତି ଯେ ବ୍ରିଜ ଭୁଶୁଡ଼ିବା କାରଣରୁ ଅନେକ ଲୋକ ନଦୀରେ ପଡ଼ିଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି। ତାଙ୍କୁ ଡାକ୍ତରଖାନା ନିଆଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବ୍ରିଜଟି ଭୁଶୁଡ଼ିବା ବେଳେ ସେଠାରେ ଅନେକ ମହିଳା ଓ ଶିଶୁ ଥିଲେ।


ଅଧିକ ପଢନ୍ତୁ: Newcastle Disease: ବ୍ରିଟେନର ରହସ୍ୟଜନକ ପାରା, ବେକ ବଙ୍କା କରି ଦେଖାଉଛି ଅସ୍ୱାଭାବିକ ଆଚରଣ