ଚୀନର ଏ ଉତପାତ୍ କାହିଁକି ? ଜାଣନ୍ତୁ ସତ...
ସତରେ କ`ଣ ଏହା ଆମ ଦୁର୍ବଳତା ? ଜାଣନ୍ତୁ ସଂଘର୍ଷ ପଛର ଅସଲ କାହାଣୀ...
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ କାହିଁକି ? ଚୀନ କାହିଁକି ଭାରତ ଉପରେ ରକ୍ତଚାଉଳ ଚୋବାଉଛି ? ସୀମାରେ ଏପ୍ରକାର ପରିସ୍ଥିତି ସୃଷ୍ଟି କରିବା ପଛର ଅସଲ କାରଣ କ'ଣ ହୋଇପାରେ ? ଗତ କିଛି ବର୍ଷ ହେବ ଲଦାଖର କେତେକ ସମ୍ବେଦନଶୀଳ ଅଞ୍ଚଳରେ ବିବାଦ ବଢ଼େଇଛି ଚୀନ । ଆମେରିକା ସହ ଭାରତର ସମ୍ପର୍କ ବୃଦ୍ଧି ଏହାର କାରଣ କି ? ନା ଏହା ଆମ ଦୁର୍ବଳତା ଏବଂ ଚୀନ ସହ ଖରାପ ସମ୍ପର୍କର ସଙ୍କେତ ! ୧୯୭୫ ମସିହାରୁ ଶାନ୍ତ ଥିବା ଚୀନ ସୀମାରେ ଏବେ କାହିଁକି ସଂଘର୍ଷ ହେଲା, ତାକୁ ନେଇ ଚର୍ଚ୍ଚା ।
ସତରେ କ'ଣ ଏହା ଆମ ଦୁର୍ବଳତା ? ଜମା ବି ନୁହେଁ । ଆମ ପେଟ୍ରୋଲିଂ ସିଷ୍ଟମରେ ଉନ୍ନତି ଏବଂ ବୃଦ୍ଧି ହିଁ ବିବାଦର ଏକ ପ୍ରମୁଖ କାରଣ । ଆଉ ଏହାର ପ୍ରତ୍ୟକ୍ଷ ଫଳଫଳା ହେଉଛି ଏହି ସଂଘର୍ଷ । ଯଦି ନିକଟ ଅତୀତର କିଛି ବିଷୟବସ୍ତୁ ଉପରେ ନଜର ପକାଇବା, ତେବେ ଏକଥା ଭଲରେ ବୁଝିପାରିବା । ଏବେ ଭାରତୀୟ ସେନା ସୀମାରେ ପୂର୍ବପେକ୍ଷା ବହୁତ ଶକ୍ତିଶାଳୀ ହୋଇସାରିଛି । ଭିତ୍ତିଭୂମିରେ ଉନ୍ନତି ହୋଇଚାଲିଛି । ସୀମାରେ ପେଟ୍ରୋଲିଂ ବଢ଼ିଛି । ଭାରତ ଯେ ସୀମାରେ ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେଉଛି, ଚୀନ ଭଲ ଭାବେ ବୁଝିସାରିଛି ।
ତେବେ ପୁରା ଘଟଣା ସମ୍ପର୍କରେ ବୁଝିବାକୁ ହେଲେ, ଆମକୁ ୨୦୧୪ ମସିହାକୁ ଯିବାକୁ ପଡ଼ିବ । ମୋଦି ସରକାର କ୍ଷମତାକୁ ଆସିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଜୁଲାଇ ୨୦୧୪ରେ ସୀମା ସଡ଼କ ସଙ୍ଗଠନ ଦ୍ୱାରା LACର ୧୦୦ କିମି ଦୂରରେ ଏକ ରୋଡ ନେଟୱାର୍କ ନିର୍ମାଣ ପାଇଁ ସ୍ୱୀକୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ପରବର୍ତ୍ତୀ ସମୟରେ ସୀମା ସୁରକ୍ଷା ସମ୍ବନ୍ଧିତ ଭିତ୍ତିଭୂମି ଯେପରିକି ସୀମା ପୋଷ୍ଟ, ବନ୍ୟାଜଳ, ଫେସିଙ୍ଗ ଇତ୍ୟାଦି ପ୍ରକଳ୍ପ ତ୍ୱରାନ୍ୱିତ ହୋଇଥିଲା । MHAର ପାରା ମିଲିଟାରି ସଙ୍ଗଠନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପକୁ ବୃଦ୍ଧି କରାଯାଇଥିଲା ।
ୟୁପିଏ ସରକାର ଗ୍ରହଣ କରିଥିବା ସମସ୍ତ ପଦକ୍ଷେପର ଏହା ବିପରୀତ ଥିଲା । କାହିଁକିନା ୟୁପିଏ ସରକାର ବେଳେ ବିଭିନ୍ନ କାରଣରୁ ଏଭଳି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅଟକେଇ ରଖାଯାଇଥିଲା । ଏହି କାରଣ ଗୁଡ଼ିକ ମଧ୍ୟରେ ଏକ ପ୍ରମୁଖ କାରଣ ଥିଲା ପରିବେଶ ମଞ୍ଜୁରୀ । ବିଶେଷକରି ଜୟନ୍ତୀ ନଟରାଜନ ଏବଂ ଜୟରାମ ରମେଶ ମନ୍ତ୍ରୀ ଥିବା ବେଳେ ଏପରି କିଛି ଦେଖିବାକୁ ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୦୪ରୁ ୨୦୧୪ ମଧ୍ୟରେ ଅଧା ସମୟ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପରିବେଶ ମନ୍ତ୍ରାଳୟ ସମ୍ଭାଳିଥିଲେ । ମାତ୍ର ମନ୍ତ୍ରାଳୟର ସ୍ୱୀକୃତି ଅଭାବରୁ ସୀମା ସୁରକ୍ଷା ସମ୍ବନ୍ଧିତ ପ୍ରକଳ୍ପ ଠପ୍ ହୋଇଯାଇଥିଲା ।
ତେବେ ମୋଦି କ୍ଷମତାକୁ ଆସିବା ପରେ ଡିଜିଙ୍କୁ କ୍ଷମତା ପ୍ରଦାନ କରି ଭାରତ-ଚୀନ ସୀମାରେ ୬୬ଟି ରାସ୍ତା ନିର୍ମାଣ ପାଇଁ ପଥ ପରିଷ୍କାର କରିଛନ୍ତି । ସେହିପରି ୨୦୧୭ରୁ ୨୦୨୦ ମଧ୍ୟରେ ବହୁ ପରିମାଣରେ ଅତ୍ୟାଧୁନିକ ନିର୍ମାଣ ଉପକରଣ କିଣିଛନ୍ତି ସରକାର । ୨୦୧୭ପରେ ଚିକୁନର ବ୍ୟବହାର କରି ସୀମାକୁ ନିର୍ମାଣ ଉପକରଣ ଏବଂ ଅନ୍ୟନ୍ୟ ଜିନିଷ ଏୟାରଲିପ୍ଟ ହେଉଛି । ସୀମାରେ ଭାରତର ଏ ତମାମ ପଦକ୍ଷେପ ଚୀନର ଦେହସୁହା ହେଉନି ।
ଏବେ କିଛି ପରିସଂଖ୍ୟାନ ଦେଖିଲେ ଆପଣ ଆହୁରି ପ୍ରାଞ୍ଜଳ ଭାବେ ବୁଝିପାରିବେ ।
ଫରମେଶନ କଟିଙ୍ଗ
୨୦୦୮ରୁ ୧୭: ବର୍ଷକୁ ୨୩୦ କିମି
୨୦୧୭ରୁ ୨୦: ବର୍ଷକୁ ୪୭୦ କିମି
ସରଫେସିଙ୍ଗ
୨୦୦୮ରୁ ୧୭: ବର୍ଷକୁ ୧୭୦ କିମି
୨୦୧୭ରୁ ୨୦: ବର୍ଷକୁ ୩୮୦ କିମି
ଟନେଲ ନିର୍ମାଣ
୨୦୦୮ରୁ ୧୪: ୧
୨୦୧୪ରୁ ୨୦୨୦: ୬ଟି
ସମ୍ପୂର୍ଣ୍ଣ ହୋଇଥିବା ବ୍ରିଜ
୨୦୦୮ରୁ ୧୪: ୩୬୧୦ କିମି
୨୦୧୪ରୁ ୨୦: ୪୭୬୪ କିମି
ଏବେ ନଜର ପକାନ୍ତୁ ପ୍ରତିରକ୍ଷା ବଜେଟ ଉପରେ...
୨୦୦୮ରୁ ୧୬ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ବଜେଟ ୩୩୦୦ରୁ ୪୬୦୦ କୋଟି ମଧ୍ୟରେ ରହିଥିଲା । ୨୦୧୭-୧୮ରେ ଏହା ୫୪୫୦ କୋଟି ହୋଇଥିଲା । ୨୦୧୮-୧୯ରେ ଏହା ଥିଲା ୬୭୦୦ କୋଟି । ୨୦୧୯-୨୦ରେ ଏହା ୮୦୫୦ କୋଟି ରହିଥିଲା । ତେବେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ପ୍ରତିରକ୍ଷା ବଜେଟ ୧୧ହଜାର ୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଏବେ ଚିନ୍ତା କରନ୍ତୁ, ସୀମାରେ ଭାରତର ଶକ୍ତି ବୃଦ୍ଧି ହେଲେ ଅହଙ୍କାରୀ ଚୀନ ଏହାକୁ କେମିତି ଦେଖୁଥିବ । ବିଶ୍ୱକୁ ନିଜ ଆୟତ୍ତକୁ ଆଣିବା ପାଇଁ ଦିବାସ୍ୱପ୍ନ ଦେଖିଥିବା ଚୀନକୁ ଏବେ ଅଡ଼ୁଆ ସାଜିଛି ଭାରତ । ଆମେରିକା ସହ ଭାରତର ସମ୍ପର୍କ ବୃଦ୍ଧି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପୂର୍ବପେକ୍ଷା ମଜଭୁତ ହେବା ଘଟଣାକୁ ହଜମ କରିପାରୁନି ଚୀନ । କୋରୋନା ଭଳି ସଙ୍କଟ ସମୟରେ ଆମ ଦୁର୍ବଳତାର ସୁଯୋଗ ନେବାକୁ ଚୀନ ଅପଚେଷ୍ଠା କରୁଛି । ହେଲେ ଆମ ବୀର ଯବାନ ଚୀନକୁ କଡ଼ା ଜବାବ ଦେବାରେ ସାମାନ୍ୟତମ ଅବହେଳା କରିନାହାଁନ୍ତି ।