Superstition: ଏକବିଂଶ ଶତାଦ୍ଦୀରେ ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଅନେକ ଆଗେଇ ସାରିଛି। ନୂତନ ଟେକ୍ନୋଲୋଜି ଦ୍ୱାରା ଅନେକ ପ୍ରକାର ଜଟିଳ ରୋଗର ଚିକିତ୍ସା ମଧ୍ୟ କରାଯାଇପାରୁଛି। କୌଣସି ବ୍ୟକ୍ତି ଯେପରି ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ନ ହେବ ସେଥିପାଇଁ ଗାଁ ଗାଁରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ମାନ ଖୋଲାଯାଇଛି। ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ଆଜି ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସର ଚଢେଇ ବସା ବାନ୍ଧି ରହିଛି। ଗାଁ ଗହଳିରେ ଅନ୍ଧବିଶ୍ୱାସ(Superstition) ପାଇଁ ଚାଲି ଯାଉଛି ଅନେକଙ୍କ ଜୀବନ । କେଉଁଠି ବଳି ଦିଆ ଯାଉଛି ତ ଆଉ କେଉଁଠି ଛୋଟ ଛୁଆକୁ ଚେଙ୍କ ଦିଆଯାଉଛି । ଏଭଳି ବହୁ ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଥିବା ବେଳ ସେହିପରି ଏକ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଗୁଜୁରାଟରେ ସାମାନ୍ୟ କାଶ ଜ୍ୱର ଭଲ କରିବା ପାଇଁ ଏକ ନିରୀହ ନିଷ୍ପାପ ଶିଶୁକୁ ତାତିଲା ଛଡ଼ରେ ଚେଙ୍କ ଦିଆଯାଇଛି। ସୂଚନା ଅନୁଯାୟୀ, ଗୁଜୁରାଟର ପୋରବନ୍ଦରଠାରେ (Gujurat Porbandar) ଏକ ୨ ମାସର ଶିଶୁ କନ୍ୟାର କାଶ ଭଲ କରିବା ପାଇଁ ଜଣେ ନକଲି ବୈଦ୍ୟ ତାକୁ ଗରମ ଲୁହା ଛଡ଼ରେ ଚେଙ୍କ ଦେଇଥିଲା। ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫଳରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ପୋଲିସ ଅଧିକ୍ଷକଙ୍କ କହିବା ଅନୁସାରେ, ଶିଶୁ କନ୍ୟାର ଏକ ସପ୍ତାହ ଧରି କାଶ ହେଉଥିଲା। ଶିଶୁଟିର ବାପା ମାଆ ଘରୋଇ ଉପଚାର କରିବା ପରେ କୌଣସି ସୁଫଳ ନ ମିଳିନଥିଲା । ପରେ ଶିଶୁର  ମାଆ ତାକୁ ଦେବରାଜ ଭାଇ କଟାରା ନାମକ ଏକ ନକଳି ବୈଦ୍ୟ ପାଖକୁ ନେଇ ଯାଇଥିଲେ। ସେଠାରେ ସେ ନକଲି ବୈଦ୍ୟ ଶିଶୁଟିର ଛାତି ଓ ପିଠିରେ ଗରମ ଲୁହା ଛଡ଼ରେ ଚେଙ୍କ ଦେଇଥିଲା। ପରେ ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେବାରୁ କୌଣସି ଉପାୟ ନ ପାଇ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କହିଛନ୍ତି ଯେ, ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା। ତେଣୁ ୯ ତାରିଖ ଦିନ ତାର ପରିବାର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁ କନ୍ୟାଟିକୁ ଆଇସିୟୁରେ ଅକ୍ସିଜେନ ଲଗାଇ ରଖାଯାଇଥିଲା। ପରେ  ତା ଶରୀରରେ ଗରମ ଲୁହା ଚେଙ୍କ ଦିଆଯାଇଥିବା ସେମାନେ ଜାଣିବାକୁ ପାଇଥିଲେ । ଘଟଣାଟି ଜଣାପଡି଼ବା ପରେ ଶିଶୁର ବାପାଙ୍କ ଲିଖିତ ଅଭିଯୋଗ ପରେ ରବିବାର ଦିନ ଅଭିଯୁକ୍ତ ବୈଦ୍ୟକୁ ଗିରଫ କରାଯିବା ସହ ଶିଶୁଟିର ମାଆ ଉପରେ ଆଇପିସି ଧାରା ୩୨୪ ଅନୁସାରେ ଥାନାରେ ମାମଲା ରୁଜୁ କରାଯାଇଛି ।


ଚଳିତ ମାସ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର ସହଡୋ଼ଲ ଜିଲ୍ଲାରେ ମଧ୍ଯ ସମାନ ଘଟଣା ଦେଖିବାକୁ ମିଳିଥିଲା। ଏକ ଅଢେଇ ମାସର ଶିଶୁ କନ୍ୟାକୁ ଆରୋଗ୍ୟ କରିବା ପାଇଁ ତାର ଶରୀରରେ ୫୦ରୁ ଅଧିକ ଥର ଗରମ ଲୁହାରେ ଚେଙ୍କ ଦିଆଯାଇଥିଲା। ଫଳରେ ଯନ୍ତ୍ରଣା ସହି ନ ପାରି ଶିଶୁଟିର ମୃତ୍ୟୁ ଘଟିଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।