Ukraine Independence Day: ବୁଧବାର ୟୁକ୍ରେନର ସ୍ୱାଧୀନତା ଦିବସ (Ulraine Independence Day) ଓ ରୁଷ ସହିତ ହେଉଥିବା ଯୁଦ୍ଧକୁ ୬ ମାସ ପୂର୍ତ୍ତି ଅବସରରେ ୟୁରୋପର ଦେଶମାନେ (European Country) ୟୁକ୍ରେନକୁ ଅତୁଟ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ୟୁରୋପୀୟ ଦେଶର ନେତାମାନେ ୟୁକ୍ରେନବାସୀଙ୍କ ବଳିଦାନ ଏବଂ ସାହସକୁ ପ୍ରଶଂସା କରିବା ସହ ତାଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଜାରି ରଖିବେ ବୋଲି ସଂକଳ୍ପବଦ୍ଧ ହେବା ସହ ଏହି ଆକ୍ରମଣ ପାଇଁ ରୁଷକୁ ନିନ୍ଦା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

୧୯୯୧ରେ ସୋଭିଏତ ୟୁନିଅନରୁ ୟୁକ୍ରେନ ସ୍ବାଧୀନ ହେବାନେଇ ଘୋଷଣା କରିଥିଲା। ବ୍ରିଟେନ ମଧ୍ୟ ୟୁକ୍ରେନ ସହିତ ଥିବା ଏକତା ପ୍ରଦର୍ଶିତ କରିଛି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍କଟସ୍ ଗାର୍ଡ୍ସ ବ୍ୟାଣ୍ଡର ଏକ ଭିଡିଓ ଟ୍ୱିଟ୍ କରିଛି। ଯାହା ସାଧାରଣତଃ ବକିଙ୍ଗହମ୍ ପ୍ୟାଲେସରେ ସୁରକ୍ଷା ଅଦଳବଦଳ କରିବା ପାଇଁ ଏକ ସଂଗୀତମୟ ପ୍ରଦର୍ଶନ କରିଥାଏ।



ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟର ପ୍ରବେଶ ଦ୍ୱାରକୁ ସୂର୍ଯ୍ୟମୁଖୀରେ ଫୁଲରେ ସଜାଯାଇଥିଲା। ସୂର୍ଯ୍ୟମୁଖୀ ହେଉଛି ୟୁକ୍ରେନର ଜାତୀୟ ଫୁଲ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (Boris Johnson) ତାଙ୍କ ସହଯୋଗୀ ମାନଙ୍କୁ ୟୁକ୍ରେନକୁ ଆବଶ୍ୟକୀୟ ସମସ୍ତ ସାମରିକ, ମାନବିକ, ଅର୍ଥନୈତିକ ଏବଂ କୂଟନୈତିକ ସହାୟତା ପ୍ରଦାନ ଜାରି ରଖିବାକୁ ଅନୁରୋଧ କରିଛନ୍ତି।


ବୋରିସ୍ ଜନସନ ବୁଧବାର ଦିନ କିବ ଠାରେ ୟୁକ୍ରେନ ରାଷ୍ଟ୍ରପତି ଭଲୋଦମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି। ଜନସନ କିବର ମାରିନସ୍କି ପ୍ୟାଲେସ ବାହାରେ ଜେଲେନସ୍କିଙ୍କ ସହ କଥା ହୋଇଥିଲେ ଏବଂ କହିଥିଲେ ଯେ, ଏହି ଯୁଦ୍ଧରେ ୟୁକ୍ରେନ ନିଶ୍ଚୟ ଜିତିବ। 


ବ୍ରିଟେନ ପରି ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ମଧ୍ୟ ୟୁକ୍ରେନ ସହିତ ଏକତା ପ୍ରଦର୍ଶନ କରାଯାଇଥିଲା। ବ୍ରସେଲ୍ସର ଅନେକ ୟୁରୋପିୟ ୟୁନିୟନ (EU)ର ମୁଖ୍ୟାଳୟକୁ ୟୁକ୍ରେନ ପତାକା ରଙ୍ଗରେ ସଜାଯାଇଥିଲା। ବ୍ରସେଲ୍ସର ଏୈତିହାସିକ ଗ୍ରାଣ୍ଡ ପ୍ୟାଲେସରେ ୟୁକ୍ରେନ ଏକ ବଡ ପତାକା ଉଡାଯାଇଥିଲା।


ୟୁକ୍ରେନର ସ୍ବାଧୀନତା ଦିବସ ଅବସରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମହତ୍ବପୂର୍ଣ୍ଣ ନୂତନ ସାମରିକ ସହାୟତା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅନେକ ୟୁକ୍ରେନବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଦୁଖଦାୟକ, କାରଣ ସେମାନେ କ୍ଷତି ସହୁଛନ୍ତି। ସେପଟେ ରୁଷର ନିରନ୍ତର ଆକ୍ରମଣ ସହ ନିରନ୍ତର ଲଢି ବାସିନ୍ଦା ମାନେ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି।


ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ଟ୍ୱିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଛନ୍ତି ଯେ, ରୁଷ ଯୁଦ୍ଧର ଛାଇରେ ଦିନକୁ ଦିନ ଜୀବନ ହରାଉଥିବା, ପଙ୍ଗୁ ଓ ଆହତଙ୍କ ପାଇଁ ମୋ ହୃଦୟ କାନ୍ଦୁଛି।


ଚାନସେଲର କହିଛନ୍ତି ଯେ, ଯେଉଁମାନେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ହରାଇଛନ୍ତି, ଯେଉଁମାନେ ପଳାୟନ କରିଛନ୍ତି, ଯେଉଁମାନେ ନିଜ ପ୍ରିୟ ମାତୃଭୂମିରୁ ଅଲଗା ହୋଇଛନ୍ତି, ଯେଉଁମାନେ ରୁଷର ବୋମା, ରକେଟ୍ ଏବଂ ଆର୍ଟିଲେରିରେ ନିଜର ଜିନିଷ ହରାଇଛନ୍ତି, ସେମାନଙ୍କ ପାଇଁ ଆମେ ଶୋକ ପ୍ରକାଶ କରୁଛୁ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏକ ବାର୍ତ୍ତାରେ କହିଛନ୍ତି ଯେ, ୟୁକ୍ରେନର ସ୍ବାଧୀନତା ଦିବସ ନିଶ୍ଚିତ ଭାବେ ଏକ ଗର୍ବର ଦିନ। କିନ୍ତୁ, ଆଜି ଉତ୍ସବ ବଦଳରେ ଆମେ ମୃତ୍ୟୁ ତଥା ଯୁଦ୍ଧାଙ୍କ ବିଷୟରେ ଚିନ୍ତା କରୁଛୁ।