Haridwar Mosque Fine: ଶବ୍ଦ ପ୍ରଦୂଷଣ କରିବା ପାଇଁ ସାତୋଟି ମସଜିଦ ବିରୋଧରେ ଜରିମାନା ଲଗାଇଛି ଉତ୍ତରାଖଣ୍ଡର ହରିଦ୍ୱାର ପ୍ରଶାସନ। ହେଲେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ 
ଉଠାଇଛନ୍ତି ଜମିୟତ୍ ଉଲେମା ଉତ୍ତରାଖଣ୍ଡ ସଭାପତି ମୌଲାନା ମହମ୍ମଦ ଆରିଫ। ଏନେଇ ପ୍ରତିକ୍ରିୟା ରଖି ମୌଲନା କହିଛନ୍ତି ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ହେଉଛି ଧ୍ରୂବୀକରଣ କରିବା ଭଳି ନିଷ୍ପତ୍ତି। ଅନ୍ୟପଟେ ପ୍ରଶାସନ  ପକ୍ଷରୁ କୁହାଯାଇଛି ଯେ ମସଜିଦ ଠାରେ ଉଚ୍ଚ ସ୍ୱରରେ ଲାଉଡ ସ୍ପୀକର ବଜାଯାଉଥିଲା। 


COMMERCIAL BREAK
SCROLL TO CONTINUE READING

ଉତ୍ତରାଖଣ୍ଡ ହରିଦ୍ୱାରସ୍ଥିତ ପାଥରୀ ପୋଲିସ ଥାନା ଅଧୀନସ୍ଥ ଅଞ୍ଚଳରେ ଅବସ୍ଥିତ ଅନେକ ମସଜିଦ ଉଦ୍ଦେଶ୍ୟରେ କୁହାଯାଇଥିଲା ଯେ ମସଜିଦ ଠାରେ ସ୍ୱଳ୍ପ ସ୍ୱରରେ ଲାଉଡ ସ୍ପୀକର ମାଧ୍ୟମରେ ଆଜାନ କରିବାକୁ କୁହାଯାଇଥିଲା। ଏନେଇ ଏସଡିଏମ ପୁରନ ସିଂହ କହିଛନ୍ତି ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରାଯାଇ ନାହିଁ। ଯେଉଁ କାରଣରୁ ମସଜିଦ ଉପରେ ୫ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି। ଏବା ସହିତ ଦୁଇଟି ମସଜିଦକୁ ଚେତାବନୀ ଦିଆଯାଇଛି। ଯଦି ସେମାନେ ପ୍ରଶାସନ ନିର୍ଦ୍ଦେଶ ମାନନ୍ତି ନାହିଁ, ତାହେଲେ ସେହି ମସଜିଦ ବିରୋଧରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


ହେଲେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ମୌଲାନା। ଏନେଇ ଜମିୟତ୍ ଉଲେମା ଉତ୍ତରାଖଣ୍ଡ ସଭାପତି ମୌଲାନା ମହମ୍ମଦ ଆରିଫ କହିଛନ୍ତି ଯେ ପ୍ରତ୍ୟେକ ଥାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଲାଉଡ ସ୍ପୀକର ସ୍ୱରକୁ ହ୍ରାସ କରାଯିବ। ମସଜିଦ ବିରୋଧରେ ଜରିମାନା ଲଗାଇବା ଉପରେ ପ୍ରଶ୍ନ ଉଠାଇ ମୌଲନା କହିଛନ୍ତି ଯେ ଶବ୍ଦ ପ୍ରଦୂଷଣ ହେବ ନାହିଁ ବୋଲି ଆମେ ପ୍ରତିଶୃତି ଦେଇଥିଲୁ। ହେଲେ ତଥାପି ଟଙ୍କା ମଗାଯାଉଛି।


ମୌଲାନା ମହମ୍ମଦ ଆରିଫ କହିଛନ୍ତି ଯେ ନିକଟରେ ଅନୁଷ୍ଠିତ ହୋଇଥିବା କାଉଡ଼ି ଯାତ୍ରା ସମୟରେ ଡିଜେ ଏବଂ ଲାଉଡ ସ୍ପୀକର ଶବ୍ଦ ବଢାଇବାକୁ ସରକାର ଅନୁମତି ଦେଇଥିଲେ। ଯାହା ଅଧ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳୁଥିଲା। ସେତେବେଳେ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହା ପଛରେ ରାଜନୀତି ରହିଛି। ଯଦି ଶବ୍ଦ ପ୍ରଦୂଷଣ ପ୍ରକୃତରେ ଏକ ଚିନ୍ତାର ବିଷୟ, ତାହେଲେ ଯାନ ବାହନ କାରଣରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଛନ୍ତି। ଆମର ଆଜାନ୍ ମାତ୍ର ୨ ମିନିଟ୍ ପାଇଁ ହୋଇଥାଏ। ପ୍ରଶାସନ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି। ଲାଉଡ ସ୍ପୀକର ସବୁ ସ୍ଥାନରେ ପୂର୍ଣ୍ଣ ସ୍ୱରରେ ବଜାଯାଉଛି। ହେଲେ କେବଳ ମସଜିଦଉପରେ ଜରିମାନା ଲଗାଯାଇଛି। ଏ ସମ୍ପର୍କରେ  ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି ମୌଲନା।


ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସଡିଏମ ପୁରନ ସିଂହ। ଏନେଇ ଏସଡିଏମ କହିଛନ୍ତି ଯେ ପ୍ରଶାସନକୁ ଅଭିଯୋଗ ମିଳିବା ପରେ ତଦନ୍ତ କରାଯାଇ ଜରିମାନା ଲଗାଯାଇଛି। ଯଦି ପ୍ରଶାସନର ଆଦେଶ ପାଳନ କରାଯାଏ ନାହିଁ, ତାହେଲେ ଜରିମାନା ପରିମାଣ ବୃଦ୍ଧି କରାଯିବ। ଏହି ନିଷ୍ପତ୍ତି ପଛରେ ହାଇକୋର୍ଟ ଦେଇଥିବା ଆଦେଶ ବାବଦରେ ଉଲ୍ଲେଖ କରିଛନ୍ତି ଏସଡିଏମ।