Vice President Election : କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ହୋଇପାରନ୍ତି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ପଞ୍ଜାବର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ (PLC)ର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ରାଜନୈତିକ ମହଲାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାସହିତ କ୍ୟାପଟେନଙ୍କ ଦ୍ୱାରା ଗଠିତ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ଯେତେବେଳେ ବିଜେପି ସହ ବିଲୀନ ହେବା ନେଇ ଆଲୋଚନା ହେଉଛି ଠିକ୍ ସେତିକି ବେଳେ କ୍ୟାପଟେନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଜେପି ସୁଯୋଗ ଦେଇପାରେ ବୋଲି ଆକଳନ କରାଯାଉଛି । ଯଦି ଦେଖିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କ୍ୟାପଟେନଙ୍କର ଭଲ ସଂପର୍କ ଥିବାରୁ କ୍ୟାପଟେନ ତୁରନ୍ତ ନିଜ ପାର୍ଟିକୁ ବିଜେପି ସହ ମିଶ୍ରଣ କରିବେ ବୋଲି ଚର୍ଚ୍ଚା ଧରିଛି । ତେବେ ଅନ୍ୟପଟେ ମେରୁଦଣ୍ଡ ଅସ୍ତ୍ରୋପଚାର କରିବାପାଇଁ କ୍ୟାପଟେନ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ତେବେ କ୍ୟାପଟେନ ଚଳିତମାସ ଦ୍ୱିତୀୟ ସପ୍ତାହରେ ପଞ୍ଜାବ ଫେରିବେ ବୋଲି ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଗତ ଶନିବାର କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଯାହାକୁ ନେଇ ରାଜନୈତିକ ସଂଶୟ ଦ୍ୱିଗୁଣିତ ହୋଇଛି । ତେବେ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଅମରିନ୍ଦର ସିଂଙ୍କୁ ଡାକ୍ତରଖାନାର ଏକ ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରିଛନ୍ତି ବୋଲି କ୍ୟାପଟେନଙ୍କ ପତ୍ନୀ ପ୍ରିନିତ କୌର (Preneet Kaur) ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ୟାପଟେନ ଅତି ଶିଘ୍ର ସୁସ୍ଥ ହେବେ । ଟ୍ୱିଟ୍ କରି ସ୍ୱାସ୍ଥ୍ୟ ବିଷୟରେ ଅପଡେଟ୍ ଦେବା ସହିତ ଶ୍ରୀମତୀ କୌର ଅମରିନ୍ଦରଙ୍କୁ ଭଲ ପାଉଥିବା ତଥା ଶୁଭେଚ୍ଛୁମାନଙ୍କ ପ୍ରାର୍ଥନା ଏବଂ  ସୁସ୍ଥତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।


ଅନ୍ୟପଟେ ଏବେ ଦେଶରେ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟାକାଳ ସମାପ୍ତ ହେବାକୁ ଯାଉଛି । କୁହାଯାଉଛି କି ଏହାପରେ ଭେଙ୍କୟାଙ୍କୁ ବିଜେପିର ମାର୍ଗଦର୍ଶକ ଭାବେ ଦଳ ନିଯୁକ୍ତ କରିବ । ସେପଟେ ପଞ୍ଜାବରେ ବିଜେପିର ସ୍ଥିତି ନଥିବା ବେଳେ କ୍ୟାପଟେନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ପଞ୍ଜାବରେ ନିଜର ସ୍ଥିତି ଦୃଢ କରିବାକୁ ଚେଷ୍ଟା କରିପାରେ । ଏନେଇ ପଞ୍ଜାବ ବିଜେପି ଅଧ୍ୟକ୍ଷ ଅଶ୍ୱିନୀ ଶର୍ମା କହିଛନ୍ତି କି ଏ ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ କରିବେ । ହେଲେ ସେ କ୍ୟାପଟେନଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ବିରୋଧ କରି ନାହାଁନ୍ତି । ଅମରିନ୍ଦର ସିଂ ୨୦୦୨-୨୦୦୭ ଏବଂ ତା’ପରେ ୨୦୧୭-୨୦୨୧ ସମେତ ନଅ ବର୍ଷରୁ ଅଧିକ ସମୟ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ସେ  କଂଗ୍ରେସରୁ ଇସ୍ତଫା ଦେଇ ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ଗଠନ କରିଥିଲେ ।


ଏହା ବି ପଢ଼ନ୍ତୁ: କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କ ସହିତ ରହିଛି ବିଜେପିର ଲିଙ୍କ? ଜାଣନ୍ତୁ ଭାଇରାଲ୍ ହେଉଥିବା ଫଟୋର ସତ୍ୟତା