Wall collapsed in rain, ଲକ୍ଷ୍ନୌ: ଗରିବଙ୍କ ପାଇଁ କାଳ ସାଜିଛି ଲଗାଣ ବର୍ଷା। ଗତ ୨୪ ଘଣ୍ଟାରେ ଉତ୍ତର ପ୍ରଦେଶର ପୃଥକ ପୃଥକ ସ୍ଥାନରେ କାନ୍ଥ ପଡି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉନ୍ନାଓରେ ଦୁଇ ନାବଳକ ସହ ତିନି ଜଣ ପ୍ରାଣ ହରାଇଥିବା ବେଳେ ଲକ୍ଷ୍ନୌରେ ୯ ଜଣଙ୍କ ଜୀବନ ଦୀପ ଲିଭିଯାଇଛି। ସେପଟେ ସରକାର କ୍ଷତିପୂରଣ ରାଶି ଘୋଷଣା କରି କାମ ସାରିଦେଇଛନ୍ତି। ଉଭୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୁ ଆଦିତ୍ୟନାଥ କରିଛନ୍ତି। ସେପଟେ ଦିଲ୍ଲୀରେ ଏକ ଦୁଇ ମହଲା କୋଠା ଭୂଷୁଡିବା ଫଳରେ ଅନେକ ଲୋକ ଫସିଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ଦେଶରେ ମୌସୁମୀ ପୁଣିଥରେ ସକ୍ରୀୟ ହୋଇଛି। ଫଳରେ କିଛି ଦିନ ହେଲା ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଯାହାର ପରିମାଣ ଜୀବନ ଦେଇ ଗରିବଙ୍କୁ ଭୋଗିବାକୁ ପଡିଛି। ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଅଘଟଣ ଘଟିଛି। ଶୋଇଥିବା ବେଳେ ଘରର ଛପର ଓ କାନ୍ଧପଡି ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ନାବଳକ ଅଛନ୍ତି। କଚ୍ଚା ଘର ହୋଇଥିବାରୁ ଅଘଟଣ ଘଟିଛି। ପକ୍କା ଘର ନହେବା ପର୍ଯ୍ୟନ୍ତ ପୀଡିତ ପରିବାର ଅନ୍ୟ ସଦସ୍ୟମାନଙ୍କୁ ଅସ୍ଥାୟୀ ଘରେ ରହିବାର ବ୍ୟବସ୍ଥା କରାଯିବ। ଏହା ସହ ପ୍ରତିମୃତକଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପାରାଶୀ ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। 


Also Read: ଡାକ୍ତରଖାନା ନା କଂସେଇଖାନା? ପେଟର ପିଲା ମାରିବାକୁ ଡାକ୍ତର ନେଉଛନ୍ତି ସୁପାରୀ


ଲକ୍ଷ୍ନୌ କଣ୍ଟେନମେଣ୍ଟ ଅଞ୍ଚଳସ୍ଥିତ ଦିଲକୁଶରେ କାନ୍ଥ ପଡି ୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣ ଆକତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କୁ ୪ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଲେଖାଏ ଅନୁକମ୍ପା ରାଶୀ ଦେବାକୁ ଘୋଷଣା କରିଛନ୍ତି। ସେପଟେ ଲଗାଣ ବର୍ଷା ପାଇଁ ରାଜଧାନୀ ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଶନିବାର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


ଅନ୍ୟପଟେ ଜାତୀୟ ରାଜଧାନୀ ଦିଲ୍ଲୀର ଗୋକୁଲପୁରା ଅଞ୍ଚଳରେ ଏକ ଦୁଇ ମହଲା କୋଠା ଭୁଷୁଡି ଯାଇଛି। ପରିବାରର କିଛି ଲୋକ ଘରର ଭଗ୍ନାଂଶ ତଳ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହୀନି ଓ ପୋଲିସ ନିୟୋଜିତ ଅଛନ୍ତି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ କାହାରି ମୃତ୍ୟୁ ନେଇ କୌଣସି ସୂଚନା ମିଳିନଥିଲା।