ଆଗାମୀ ସିରିଜରେ ବଦଳିବ ଟିମ ଇଣ୍ଡିଆ ଓ ଅଷ୍ଟ୍ରେଲିଆର ଜର୍ସୀ!
ନୂଆ ରୂପରେ ନଜର ଆସିବ ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆ ଟୁରରେ ବଦଳିବ ଜର୍ସୀ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେଉଛି।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟୁରରେ ବଦଳିବ କି ଟିମ ଇଣ୍ଡିଆର ଜର୍ସୀ। ପିନ୍ଧି ପାରନ୍ତି ୧୯୯୨ ବିଶ୍ୱକପ ବେଳର ରେଟ୍ରୋ ଜର୍ସୀ। ଅଷ୍ଟ୍ରେଲିଆକୁ ଉଡାଣ ବେଳେ ଏହାର ହିଣ୍ଟ୍ ମିଳିଛି। କାରଣ ଏହି ସମୟରେ ଟିମ ଇଣ୍ଡିଆ ଖେଳାଳି ରେଟ୍ରୋ ଜର୍ସୀର ପ୍ରିଣ୍ଟ୍ ଥିବା କିଟ୍ ପିନ୍ଧିଥିଲେ।
ଟିମ ଇଣ୍ଡିର ଜର୍ସୀ ପରିବର୍ତ୍ତନକୁ ନେଇ ବିବିସିଆଇ ପକ୍ଷରୁ କୌଣସି ସ୍ପଷ୍ଟତା ମିଳିନାହିଁ। କିନ୍ତୁ ନୂଆ ଜର୍ସୀର ଅନେକ ଗୁଡାଏ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରେ ଏହି ଜର୍ସୀ ପିନ୍ଧିବେ ବୋଲି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି।
ସେପଟେ ଭାରତ ବିପକ୍ଷରେ ଖେଳିବାକୁ ଥିବା ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ପୁରଷ ଦଳ ନୂଆ ଜର୍ସୀ ସହ ପଡିଆକୁ ଓହ୍ଲାଇବ। ଯାହାର ଡେମୋ କ୍ରିକେଟ ଅଷ୍ଟ୍ରେଲିଆ ତାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି। ଫାଷ୍ଟ ନେସନ୍ସ ଉତ୍ସବ ପାଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଜର୍ସୀର ରଙ୍ଗ କଳା ହୋଇଥିବା ବେଳେ ତଳଆଡୁ ସବୁଜ ଓ ନାରଙ୍ଗୀରଙ୍ଗର ପ୍ରିଣ୍ଟିଂ ରହିଛି।
ସୂଚନାଯୋଗ୍ୟ, ନଭେମ୍ବର ୨୭ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ସମସ୍ତ ତିନୋଟି ଫର୍ମାଟରେ ସିରିଜ ଖେଳିବ। ଏଥିରେ ମୋଟ ୧୦ଟି ମ୍ୟାଚ ଖେଳାଯିବ। ଯେଉଁଥିରେ ୩ଟି ଦିନିକିଆ, ୩ଟି ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ ରହିଛି। ତେବେ ପ୍ରଥମ ଥର ଅଷ୍ଟ୍ରେଲିଆରେ ପିଙ୍କ୍ ବଲ ଦିବାରାତ୍ର ମ୍ୟଚ ଖେଳାଯିବ।