6 million teenage girls give birth annually in the South East Asia Region:  କମ୍ ବୟସରେ ଗର୍ଭବତୀ ହେବା ଏବଂ ଗର୍ଭ ନଷ୍ଟ କରିବା ଚିନ୍ତାର କାରଣ ପଲଟିଲାଣୀ। ବର୍ତ୍ତମାନ୍ ରାଜ୍ୟରେ କମ୍ ବୟସରେ ବହୁ କିଶୋରୀ ବାଳିକା ଗର୍ଭବତୀ ହେଉଛନ୍ତି।ଏହାର ଅନେକ କାରଣ ରହିଥିଲେ ମଧ୍ୟ ଅଭିଭାବକଙ୍କ ପିଲାପ୍ରତି ଦୃଷ୍ଟିନଥିବା ଏକ ପ୍ରମୁଖ କାରଣ।


COMMERCIAL BREAK
SCROLL TO CONTINUE READING

ତେବେ ପ୍ରତିବର୍ଷ ରାଜ୍ୟରେ ଯେତିକି ସଂଖ୍ୟକ ଗର୍ଭବତୀ ମହିଳା ପଞ୍ଜୀକୃତ ହେଉଛନ୍ତି ସେଥି ମଧ୍ୟରୁ କିଶୋରୀ ବାଳିକାଙ୍କ ସଂଖ୍ୟା ପ୍ରାୟ ସାଢ଼େ ୪ ପ୍ରତିଶତ। ତେବେ ବାଲ୍ୟବିବାହ ଓ ଵିଵାହ ପୂର୍ବରୁ ବୈଧ ସମ୍ପର୍କ ଏହା ପଛର ଏକ ପ୍ରମୁଖ କାରଣ କୁହାଯାଇ ପାରିବ। ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀଙ୍କ କହିବା ମୁତାବକ ସାଢେ଼ ୪ ପ୍ରତିଶତ ରୁ ଅଧିକ ହୋଇଥିବ ବୋଲି ଅନୁମାନ କରାଯାଉଛି ହେଲେ ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ।


ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସର୍ଭେ କରାଯାଇଥିଲା।ଯେଉଁଥିରେ ୧୫-୧୯ବର୍ଷର ୬୦ଲକ୍ଷ କିଶୋରୀ ବାଳିକା ଭାରତ ସମେତ ଏସିଆ ମହାଦେଶରେ  କିଶୋରୀ ପ୍ରତିବର୍ଷ ଗର୍ଭଧାରଣ କରୁଥିବା ସୂଚନା ଦିଆଯାଇଛି। WHO ର ରିପୋର୍ଟ ଅନୁସା‌ରେ, ଏହି ବର୍ଗର ଯୁବତୀ ଗର୍ଭଧାରଣ କରିବା ଫଳରେ ସେମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଢ଼ୁଛି।


ସର୍ଭେ ଅନୁଯାୟୀ ୨୦ବର୍ଷ ବୟସର ଜଣେ ଯୁବତୀ ଗର୍ଭଧାରଣ କଲେ ଯେତିକି ବିପଦ ରହିଥାଏ ୧୬ବର୍ଷର କିଶୋରୀଠାରେ ଏହି ହାର ୪ଗୁଣା ଅଧିକ ଦେଖାଯାଏ।ଏହାସହ କମ୍ ବୟସର ମା’ଠାରୁ ଯେଉଁ ଶିଶୁ ଜନ୍ମ ନେଉଛନ୍ତି ସେମାନଙ୍କ ବୟସ ଅନୁଯାୟୀ ସ୍ବାସ୍ଥ୍ୟରେ ବିକାଶ କିମ୍ୱା ଶରୀର ବିକାଶରେ ସମସ୍ୟା ଦେଖାଯାଉଛି।ସ୍ବାସ୍ଥ୍ୟ , ମସ୍ତିସ୍କ ବୃଦ୍ଧି ରେ ମଧ୍ୟ ଉନ୍ନତି ଦେଖାଯାଉନି। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳିପାରୁ ନଥିବା  ରିପୋର୍ଟରେ ଦର୍ଶାଯାଇଛି। 


ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ରାଜ୍ୟରେ ୬ଲକ୍ଷ ୪୫ହଜାର ୫୭୬ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଛି।ସେଥି ମଧ୍ୟରୁ ୧୫ବର୍ଷରୁ କମ୍ କିଶୋରୀଙ୍କ ସଂଖ୍ୟା ହେଉଛି ୫୫୬। ଏହାସହ ୧୫-୧୯ବର୍ଷ ଭିତରେ ୨୭ହଜାର ୫୨୪। ଯାହାକି ପ୍ରସବ ପାଇଁ ପଞ୍ଜୀକୃତ ହୋଇଥିବା ମହିଳାଙ୍କ ସଂଖ୍ୟାର ୪.୪%।
ସେହିପରି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ ଅନୁଯାୟୀ ଏହି ସଂଖ୍ୟା ହେଉଛି ୭.୬%। 


ଅନ୍ୟପଟେ ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁର ଯତ୍ନ ପାଇଁ ଓଡ଼ିଶାରେ ‘ମମତା’ ଯୋଜନା କାର୍ଯ୍ୟକାରୀ ହେଉଛି। ଯେଉଁଥିରେ ୧୦ହଜାର ଟଙ୍କା ଦିଆଯାଉଛି। ତେଣୁ ଗ୍ରାମାଞ୍ଚଳରେ ଗର୍ଭଧାରଣ କରୁଥିବା କମ୍ ବୟସର ଅନେକ ଯୁବତୀ ଏହି ଅର୍ଥ ପାଇବା ଲାଗି ସେମାନଙ୍କ ପରିବାର ପ୍ରକୃତ ବୟସ ଲୁଚାଉଥିବା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି। ତେଣୁ ଗର୍ଭବତୀଙ୍କ ପ୍ରକୃତ ବୟସ ଜାଣିବା ଲାଗି ଲେବର ରୁମ୍‌ରୁ ବୟସଜନିତ ତଥ୍ୟ ସଂଗ୍ରହ କରିବା ଲାଗି ଚେଷ୍ଟା କରାଯାଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।