Nepal debt trap:ଇତିହାସ ପଢ଼ିନି ମାଲଦ୍ୱୀପ,ଚୀନ ଋଣଜାଲରେ ଯିଏ ପଡିଛି ସିଏ ବରବାଦ ହୋଇଛି
ଭାରତ ସହ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ଚୀନ୍ର ସୁରକ୍ଷା ଚାହୁଁଛି । ଚୀନ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ୍କୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛନ୍ତି। ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହା
Nepal debt trap:
ଭାରତ ସହ ବିବାଦ ପରେ ମାଲଦ୍ୱୀପ ବର୍ତ୍ତମାନ ଚୀନ୍ର ସୁରକ୍ଷା ଚାହୁଁଛି । ଚୀନ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ୍କୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅନୁରୋଧ କରିଛନ୍ତି। ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହା ଚୀନ୍ର ସେହି କୁଖ୍ୟାତ ପ୍ରକଳ୍ପ,ଯାହା ଜାଲରେ ପଡି ବିଶ୍ୱର ଅନେକ ଛୋଟ ଦେଶ ବରବାଦ ହୋଇଛନ୍ତି । ଏହି ଦେଶଗୁଡିକ ପାଇଁ ଚୀନର ଋଣ ଉପରେ ସୁଧ ହାର ଏତେ ଅଧିକ ହୋଇଯାଏ ଯେ ସେମାନେ ସୁଧ ଦେବାକୁ ଅସମର୍ଥ ହୋଇ ପଡନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ମାଲଦ୍ୱୀପର ପଡ଼ୋଶୀ ଶ୍ରୀଲଙ୍କା ଏବଂ ପାକିସ୍ଥାନ। ବର୍ତ୍ତମାନ ଭାରତର ପଡୋଶୀ ରାଷ୍ଟ୍ର ନେପାଳର ନାମ ମଧ୍ୟ ଚୀନର ଋଣ ଜାଲରେ ଫସି ରହିଥିବା ଦେଶ ତାଲିକାରେ ସାମିଲ ହୋଇଛି।
ଋଣ ଟଙ୍କାରେ ଏୟାରପୋର୍ଟ,କିନ୍ତୁ ବିମାନ ଓହ୍ଲାଇଛନ୍ତି ମାତ୍ର ୫
ଚୀନ ଆର୍ଥିକ ଋଣରେ ନେପାଳ ପୋଖରା ଅନ୍ତର୍ଜାତୀୟ ଏୟାରପୋର୍ଟ ନିର୍ମାଣ କରିଛି । କିନ୍ତୁ ଚମକାଇବା ଭଳି କଥା ହେଉଛି ଯେ, ଏହି ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ମାତ୍ର ୫ଟି ବିମାନ ଅବତରଣ କରିଛନ୍ତି । ଏହି ବିମାନବନ୍ଦରରେ କାର୍ଯ୍ୟ୧ ଜାନୁୟାରୀ ୨୦୨୩ ରେ ଆରମ୍ଭ ହୋଇଥିଲା । ପୋଖରାରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କଲାବେଳେ ଚୀନ ନେପାଳକୁ ଅନେକ ସୁନେଲି ସ୍ୱପ୍ନ ଦେଖାଇଥିଲା । ୧୦ ଲକ୍ଷ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଚୀନ୍ ଏହି ବିମାନବନ୍ଦର ନିର୍ମାଣ କରିଛି। କିନ୍ତୁ ଏହି ବିମାନବନ୍ଦର ବର୍ତ୍ତମାନ ନେପାଳ ପାଇଁ ଏକ ବୋଝ ପାଲଟିଛି । ଏହାର ଅବସ୍ଥା ଶ୍ରୀଲଙ୍କାର ହମ୍ବନଟୋଟା ବିମାନବନ୍ଦର ଭଳି ହୋଇଛି । ଯାହା ଗତ କିଛି ବର୍ଷ ଧରି ପରିତ୍ୟକ୍ତ ହୋଇ ରହିଛି । ଚାଇନା ଦ୍ୱାରା ଏହାର ନିର୍ମାଣ ହୋଇଥିଲା । ଏହି ବିମାନ ବନ୍ଦରର ବାର୍ଷିକ ବିଦ୍ୟୁତ୍ ବିଲ୍ ଯେତିକି ସେତିକି ଏହାର ରୋଜଗାର ନୁହେଁ ।
ଆରମ୍ଭ ପରଠାରୁ କେବଳ ଗୋଟିଏ ବ୍ୟବସାୟିକ ବିମାନ ପୋଖରାରେ ପହଞ୍ଚିଛି
ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ଭାବେ ୮ ସେପ୍ଟେମ୍ବରରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୁଟାନରୁ ଏକ ବିମାନ ପହଞ୍ଚିଥିଲା । ଏହା ଭୁଟାନର ପାରୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା। ବିମାନଟି କେବଳ ତିନି ଜଣ ଯାତ୍ରୀଙ୍କୁ ନେଇ ପୋଖରା ଆସିଥିଲା । ରିଟର୍ଣ୍ଣ ଫ୍ଲାଇଟରେ ଏହା ୪୨ ବିଦେଶୀ ଯାତ୍ରୀଙ୍କ ସହିତ ଉଡାଣ ଭରିଥିଲା । ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAAN) ଏହାକୁ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରଥମ ବିଦେଶୀ ବ୍ୟବସାୟିକ ବିମାନ ଭାବରେ ଉଲ୍ଲେଖ କରିଛି । ତେବେ ପୋଖରାକୁ ଆସୁଥିବା ଯାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ନେପାଳର ବିମାନବନ୍ଦର କର୍ତ୍ତୃପକ୍ଷ ଗଭୀର ନିରାଶ ଅଛନ୍ତି ।
ରିଲିଫ୍ ବିମାନକୁ ବାଣିଜ୍ୟକ ବିମାନ ଭାବେ ଗଣୁଛି ନେପାଳ !
ନଭେମ୍ବର୮ ରେ ଦୁଇଟି ବିମାନ ପୋଖରାରେ ଓହ୍ଲାଇଥିଲେ । ଚାଇନାର ମାଲବାହୀ ବିମାନ ଜାଜାର୍କୋଟ ଏବଂ ରୁକୁମର ଭୂକମ୍ପରେ ପୀଡିତଙ୍କ ପାଇଁ ଚୀନ୍ ସରକାର ଯୋଗାଇ ଦେଇଥିବା ରିଲିଫ୍ ସାମଗ୍ରୀ ନେଇ ପୋଖରାରେ ପହଞ୍ଚିଥିଲେ। ମାନବିକତା ପ୍ରୟାସରେ ଏହି ବିମାନବନ୍ଦରର ଅବଦାନକୁ ଚୀନ୍ ସେତେବେଳେ ବହୁତ ପ୍ରଶଂସା କରିଥିଲା ।ବଡ କଥା ହେଉଛି ଚୀନ୍ରୁ ନେପାଳରେ ପହଞ୍ଚିଥିବା ସହାୟତା ବିମାନକୁ ମଧ୍ୟ ଏକ ବିଦେଶୀ ବିମାନ ଭାବରେ ଗଣାଯାଇଥିଲା। ପରବର୍ତ୍ତୀ ସମୟରେ ୨୩ ନଭେମ୍ବରରେ ପଞ୍ଚମ ବିମାନ ଭାବେ ହିମାଳୟ ଏୟାରଲାଇନ୍ସର ଏକ ବିମାନ ସେଠାରେ ଅବତରଣ କରିଥିଲା । ଯେଉଁଥିରେ ଚୀନ୍ ଆଥଲେଟ୍ସଙ୍କ ଏକ ଦଳ ପୋଖରାକୁ ଆସିଥିଲେ। ଏହି ବିମାନରେ ଖେଳାଳି ଏବଂ କ୍ରୀଡା ଟେକ୍ନିସିଆନଙ୍କ ସମେତ୯୫ ଜଣ ଲୋକ ଥିଲେ ।
ପୋଖରା ବିମାନବନ୍ଦର ଉପରେ କେତେ ଋଣ?
ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଚାଇନାର ଏକ୍ସମ ବ୍ୟାଙ୍କ ୨୨ ବିଲିୟନ ଟଙ୍କା ଋଣ ଭାବେ ଦେଇଥିଲା । ନେପାଳ ସରକାର ସାତ ବର୍ଷ ତଳେ ଚାଇନାର ଏକ୍ସମ ବ୍ୟାଙ୍କ ସହିତ ୧.୩୭ ବିଲିୟନ ୟୁଆନ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ସରକାରଙ୍କୁ ଋଣର ୨୫ ପ୍ରତିଶତ ଉପରେ ସୁଧ ଛାଡ କରିଛନ୍ତି ଅର୍ଥାତ୍ ୩୪୪.୪୬ ମିଲିୟନ ୟୁଆନ ଉପରେ ସୁଧ ଦେବାକୁ ପଡିବ ନାହିଁ, ଅବଶିଷ୍ଟ ରାଶି ଉପରେ ୨ ପ୍ରତିଶତ ସୁଧ ଦେବାକୁ ପଡିବ। ଏହି ଋଣର ଅନୁଗ୍ରହ ଅବଧି ୭ ବର୍ଷ ଏବଂ ଏହାକୁ ମୋଟ ୨୦ ବର୍ଷରେ ପରିଶୋଧ କରିବାକୁ ପଡିବ । ତେବେ ପ୍ରଶ୍ନ ହେଲା ଯେଉଁ ବିମାନ ବନ୍ଦରକୁ ଯାତ୍ରୀ ଆସୁନାହାନ୍ତି ସେହି ବିମାନବନ୍ଦର ଅର୍ଥ କେମିତି ଶୁଝିବ ?