ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ...ବରଷକେ ଥରେ ଆସିଛି ରଜ...ଆସିଛି ରଜ ଲୋ ଘେନି ନୂଆ ସଜବାଜ...


COMMERCIAL BREAK
SCROLL TO CONTINUE READING

ଏମିତି କିଛି ଗୀତ ବାଜୁଥାନ୍ତା । ଗାଁ ମୁଣ୍ଡରେ କୁମାରୀ ଝିଅ ସଜବାଜ ହୋଇ ଦୋଳିରେ ବସିଥାନ୍ତେ । ଫ୍ରକ ଗୋଟିଏ ଗୋଟିଏ ପିନ୍ଧି ପୁଚି ଖେଳୁଥାନ୍ତେ । ଆଉ ଲୁଡ଼ୁ ଖେଳ, ପୋଡ଼ ପିଠା, ରଜ ପାନର ଆସର ଜମିଥାନ୍ତା । ପାଖ ଗାଁରୁ ମାଇକରେ ଶୁଭିଥାନ୍ତା...ଆର ଗାଁ ଇଶ୍ୱର ବେହେରା ଝିଅ । ଆଉ ଏ ଗାଁର ଟୋକା ମଣ୍ଡପରେ ତାସ୍ ଖେଳୁଥାନ୍ତେ । ପାନ ଖଣ୍ଡେ ଖଣ୍ଡେ ଚୋବାଇ ଝିଅଙ୍କ ଲିପଷ୍ଟିକ ସହ ନିଜ ପାନଖିଆ ଓଠକୁ ତୁଳନା କରୁଥାନ୍ତେ । କୁନି କୁନି ଛୁଆ ଘଣ୍ଟାକରେ ୩ ଥର ଡେଇଁ ଡେଇଁକି ଘରୁ ବାହାରକୁ ହେଉଥାନ୍ତେ । ଦାଣ୍ଡ ପିଣ୍ଡାରେ ଅଜା ବସି ତାଙ୍କ ସମୟର ରଜ କଥା ଟିକେ ବଢ଼େଇ ଚଢ଼େଇ ଗପୁଥାନ୍ତେ ।



ହେଲେ ଏତେ ସପନକୁ ରାତି କାହିଁ । ସବୁ ଫିକା କରିଦେଲା କୋରୋନା ମହାମାରୀ । ଗାଁରେ ରଜର ଆସର ନାହିଁ କି ଦୋଳି ଖେଳର ମଉଜ ନାହିଁ । ହେଲେ ଝିଅଙ୍କ ସଜବାଜରେ କିଛି ଫରକ ପଡ଼ିନି । ବରଂ ଅଧିକ ସମୟ ମିଳିଛି, ସଜ ବି ଜମେଇ କି ହେଇଛି । ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ହେଉଛି ଆଷାଢ଼ । ବର୍ଷାର ଆଗମନରେ ମେଘ ଓ ମାଟିର ହୁଏ ମିଳନ । ରଜସ୍ୱଳା ହୁଏ ମାଟି ମାଆ । ପ୍ରଜନନ ପୂର୍ବରୁ ୩ ଦିନର ମିଳେ ବିଶ୍ରାମ । ଯାହାକୁ ଆମେ ରଜ କହୁଛେ । କୁମାରୀଙ୍କ ପାଇଁ ତ ଏକ ତାଲିମ ପ୍ରଦାନକାରୀ ପର୍ବ । ଜଣେ ନାରୀ ଭାବେ ଆଗକୁ ସେମାନଙ୍କୁ ଯେ ଏମିତି କିଛି କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ, ଏହି ପର୍ବ ତାହା ଶିଖାଇ ଦେଇଥାଏ । ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ କାଳିଦାସଙ୍କ ରଚିତ 'ମେଘଦୂତ' ସତରେ ଆଜି କାହିଁ ମନେପଡ଼ୁଛି ।



ରଜ-୨୦୨୦ । କୋଭିଡ୍ ନିୟମ ମାନି ଚାଲିଛି ସେଲିବ୍ରେସନ । ତେବେ ମହାମାରୀ କଟକଣା ସହ ରଜ ପାଳନରୁ ଏକ ନିଆରା ଅନୁଭୂତି ମିଳିଛି । କୁମାରୀ ଝିଅର ଧଳା ମାସ୍କରେ ନାଲି ଲିପଷ୍ଟିକ ଲାଗି ଅଦ୍ଭୁତ ଦେଖାଯାଉଛି । ପୁଚି ଖେଳରେ ପ୍ରଥମ ହେବ ବୋଲି ନିକଟତର ପ୍ରତିଯୋଗୀର ଗୋଡ଼କୁ ଆଘାତ ଦେଉଥିବା ଚଗଲିର ଫର୍ମୁଲା ଏଥର ଫେଲ ମାରିଛି । ଚକା ପାରି ଲୁଡ଼ୁ ଖେଳୁଥିବା ଚକରା ଏଥର ବିଛଣାରେ ଶୋଇ ଆଣ୍ଡ୍ରଏଡ୍ ମୋବାଇଲରୁ ରିକ୍ୟୁଷ୍ଟ ପଠାଉଛି । ଅବଶ୍ୟ କେହି ଆସେପ୍ଟ କରୁନାହାନ୍ତି । ସେପଟେ ଫେସବୁକରେ ଝିଅଙ୍କ ରଜ ଫଟୋ ଛାଇ ଯାଇଛି । ସଫ୍ଟ କପି ଦେଖି ଦେଖି ସମୟ କଟି ଯାଉଛି ।



ବନ୍ୟା, ବାତ୍ୟାର ସାମ୍ନା କରି ମଧ୍ୟ ଓଡ଼ିଆଟିଏ ଉତ୍ସବ ମନାଇପାରେ । ଏ ଜାତିର ୧୨ ମାସରେ ୧୩ ପର୍ବ । ହେଲେ ଆଷାଢ଼ରେ ପଡ଼ୁଥିବା ରଜ ଓ ରଥଯାତ୍ରା ବେଶ ଜନାଦୃତ । ଏଥର କିନ୍ତୁ ଉଭୟ ପର୍ବ ପାଇଁ କୋରୋନା ବାଧକ । ଭିନ୍ନ ଭିନ୍ନ ସୁଗନ୍ଧର ଅତର, ସେଣ୍ଟ ଯେତେ ଲଗାଇଲେ ବି ହାତରେ ଲାଗିଥିବା ସାନିଟାଇଜରର ବାସ୍ନାରେ ସବୁ ମାଡ୍ ଖାଇଯାଉଛି । ପାନ ଖିଆ ପାଟିକୁ ଅଡ଼ୁଆ ସାଜିଛି ଛେପ ପକାଇଲେ ଫାଇନ ଗଣିବାର ଭୟ । ଡ୍ରେସରେ ସାବୁନର ଫେଣ ଛିଟିକି ପଡ଼ିଛି, କାହିଁକିନା ୨୨ ଥର ହାତ ପରା ହାତ ଧୋଇବାକୁ ପଡ଼ୁଛି ।



ସତରେ ମଉଜକୁ ପୁରା ବିଗାଡ଼ି ଦେଇଛି ମହାମାରୀ । ସଚେତନ ଓଡ଼ିଆ ଜାତି ବର୍ଷକ ପାଇଁ ଏହାକୁ ଟିକେ ସ୍କିପ କରିଦେଇଛନ୍ତି । ହେଲେ କୁମାରୀ ଝିଅଙ୍କ ସଜ କିନ୍ତୁ ଶହେରୁ ଶହେ । ବଢ଼ିଛି ବରଂ କମିନି । ଆମେ କହୁନୁ, ସୋସିଆଲ ମିଡ଼ିଆ କହୁଛି । ଅଧିକ ମଉଜ ନହେଲା ନାହିଁ, ହେଲେ ଘରେ ବସି ସଜେଇ ହେବାର ସୁଯୋଗକୁ ସତେ ଯେମିତି ହାତଛଡ଼ା କରିବାକୁ ଚାହିଁନାହାଁନ୍ତି ଏମାନେ । ଝିଅଙ୍କ ଭିତରେ ସୁନ୍ଦରତା ଯେ ଭରି ରହିଛି, ଏଥରର ରଜ ସେକଥା କହୁଛି । ଅବଶ୍ୟ ଯୌବନେ ମର୍କଟି ରମ୍ଭା !



ମେହେନ୍ଦୀ ଲଗା ହାତ, ଅଳତା ଲଗା ଗୋଡ଼, ଲିପଷ୍ଟିକ ଲଗା ଓଠ ଆଉ ମୁହଁରେ ଲାଗିଥିବା ବିନ୍ଦିର କମ୍ବିନେଶନ ଏଥର ରଜର ସଜ କଥା କହୁଛି । ବାହାରରେ ମେଳି ତ କରିହେବନି, ଘରେ ଘଣ୍ଟା ଘଣ୍ଟା ବସି ସଜେଇ ହେଇଛି କୁଆଁରୀ ଝିଅ । ଫଟୋଟିଏ ଉଠାଇଛି । ଫେସବୁକରେ ଛାଡ଼ିଛି । କମେଣ୍ଟ ବକ୍ସ ଫୁଲ ହୋଇଛି ।  ଝିଅଟି ମୁରୁକି ମୁରୁକି ହସି ଗୋଟିଏ ପରେ ଗୋଟିଏ ପଢ଼ିଚାଲିଛି ।



ରଜକୁ ଫିକା କରିଦେଇଛି କୋରୋନା । ମଉଜ, ଉଲ୍ଲାସ ସବୁ ବନ୍ଦ । ସାଙ୍ଗସାଥୀ ମେଳ ନାହିଁ । ଗାଁ ଦାଣ୍ଡରେ ଗହଳି ନାହିଁ । ହେଲେ ଆକ୍ଟିଭ ରହିଛି ସୋସିଆଲ ମିଡିଆ । ଫିକା ପଡ଼ିନି ସୁନ୍ଦରୀଙ୍କ ସଜ । ଯେତେ ଅଧିକ ଘରେ ରହିଛନ୍ତି ସେତେ ଅଧିକ ସଜ ହୋଇଛନ୍ତି । ବରଂ ଆଗ ଅପେକ୍ଷା ଏଥର ସୋସିଆଲ ମିଡିଆରେ ନିଜର ଡିମାଣ୍ଡ ବଢ଼ାଇଛନ୍ତି । କାହିଁକିନା ମନଇଚ୍ଛା ଛାଡ଼ିଛନ୍ତି ଅନେକ ସୁନ୍ଦର ଫଟୋ । ଆଉ ଲାଇକ୍ କରିବା ପାଇଁ ବି ଲାଗିଛି ପୁଅଙ୍କ ଭିଡ଼ । କାଳେ ଲାଇକୁ ଆଉ କ'ଣ କ'ଣ ବି ହୋଇଯିବ । ଫେସବୁକ୍, ଇନଷ୍ଟାଗ୍ରାମରେ ଏଥର ପାଳନ ହେଉଛି ରଜ । ସୁନ୍ଦରୀଙ୍କ ଅଗଣିତ ଫଟୋ ସହ ସଂଖ୍ୟାଧିକ ଲାଇକ ଓ କମେଣ୍ଟ ଏହା ପ୍ରମାଣ କରୁଛି ।