ଗୌରଭ ସାମଲ, ଭୁବନେଶ୍ୱର: ଶେଷ ହୋଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳା ୨-୦ରେ ଜିତିବା ପରେ ଭାରତ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ୯ଟି ଦଳକୁ ନେଇ ଆୟୋଜିତ ହେଉଥିବା ଏହି ଚାମ୍ପିଅନସିପରେ ଭାରତ ୭ଟି ମ୍ୟାଚରେ ବିଜୟ ହୋଇ ୩୬୦ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଥିବାବେଳେ ୬ଟି ମ୍ୟାଚରୁ ୩ ବିଜୟ ୨ଟି ପରାଜୟ ଓ ଗୋଟେ ଡ୍ର ରୁ ୧୧୬ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି ।


COMMERCIAL BREAK
SCROLL TO CONTINUE READING

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚାମ୍ପିଅନସିପର ପ୍ରଥମ ମ୍ୟାଚ ଖେଳିଥିବା ଭାରତ ଏପର୍ଯ୍ୟନ୍ତ ଅପରାଜିତ ଅଛି । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ମାତ ଦେବା ପରେ ଏବେ ଫେବୃଆରୀରେ ନ୍ୟୁଜିଲାଣ୍ଡରେ ଦୁଇଟି ଟେଷ୍ଟ ଖେଳିବ । ଏହାପରେ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ମ୍ୟାଚ ଖେଳିବ । ଭଲ ପ୍ରଦର୍ଶନ ସହିତ ଭାରତୀୟ ଦଳର ମନବଳ ଦୃଢ ଥିବା ବେଳେ ଆଗକୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଏକ ବଡ ଚ୍ୟାଲେଞ୍ଜ ହେବ । ଏଥି ସହ ଭାରତ ୨୦୨୧ ଜାନୁଆରୀ ମାସରେ ଇଂଲଣ୍ଡ ବିପକ୍ଷରେ ୫ଟି ଘରୋଇ ଟେଷ୍ଟ ଖେଳିବ ।


୨୦୨୧ ମସିହା ଜୁନ ମାସରେ ଫାଇନାଲ ଖେଳାଯିବାକୁ ଥିବାବେଳେ ଏଥିପାଇଁ ସବୁ ଟିମ ଯଥା ସମ୍ଭବ ପ୍ରଚେଷ୍ଟା କରୁଛି । ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଷ୍ଟାଡିଅମରେ ଖେଳାଯିବ । ଭାରତକୁ ଫାଇନାଲ ଖେଳିବାକୁ ହେଲେ ଆଗକୁ ଆସୁଥିବା ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ସବୁ ଶୃଙ୍ଖଳାରେ ୨ ରୁ ୫ଟି ମ୍ୟାଚ ଖେଳାଯାଉଥିବା ବେଳେ ସମସ୍ତ ଶୃଙ୍ଖଳାରେ ୧୨୦ ପଏଣ୍ଟ ରହିଛି ।