ଭୂ-ତାପଜ ଶକ୍ତି ଏବଂ ଏହାର ଆବଶ୍ୟକତା
ଆମ ଦେଶର ମଧ୍ୟପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ କରାଯାଉଅଛି । ତେବେ ଏହିଭଳି ସ୍ୱଚ୍ଛ ଶକ୍ତିକୁ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରାଗଲେ ଅମେ ଖୁବ ଉପକୃତ ହେଇପାରନ୍ତେ ।
ତପନ କୁମାର କର, ନୂଆଦିଲ୍ଲୀ: ପୃଥିବୀ ଗର୍ଭରେ ଥିବା ତାପଜ ଶକ୍ତିକୁ କେତେକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦ୍ଵାରା ନିୟନ୍ତ୍ରଣ କରିବା ପରେ ତାହାକୁ ବିଦ୍ୟୁତ ଉତ୍ପାଦନ କରିବାରେ ବ୍ୟବହାର କରାଯାଇପାରେ । ଆଉ ଏହାକୁ ଭୂତାପଜ ଶକ୍ତି କୁହାଯାଇଥାଏ । ପୃଥିବୀର ଅଭ୍ୟନ୍ତରିଣ ଭାଗ ବା ଗଭୀରତମ ସ୍ଥାନଗୁଡ଼ିକ ଅତ୍ୟନ୍ତ ଉତ୍ତପ୍ତ ହୋଇଥାଏ ଓ ଏହା ଭିତରେ ଥିବା ଶିଳା ତରଳ ଅବସ୍ଥାରେ ରହିଥାଏ । ଏହି ତରଳ ଶିଳାକୁ ଲାଭା କୁହାଯାଇଥାଏ ।
କେତେକ ଅଞ୍ଚଳର ଭୂଭାଗରେ ପରିବର୍ତ୍ତନ ବା ଭୁମିକମ୍ପ ଏହି ଲାଭାକୁ ଉପରକୁ ଠେଲିଦିଏ, ଯାହା ଫଳରେ ଏହା ଭୂପୃଷ୍ଠର କିଛିମାତ୍ର ଗଭୀରତାରେ ଗଚ୍ଛିତ ରହିଥାଏ । ଏହି ଉତ୍ତପ୍ତ ସ୍ଥାନଗୁଡିକ ଭୂତାପଜ ଶକ୍ତିର ଭସ୍ଥ ଭଳି କାର୍ଯ୍ୟକରେ । ଏହାର ବ୍ୟବହାର ବିଦ୍ୟୁତ ଶକ୍ତି ଉତ୍ପାଦନରେ ବ୍ୟବହାର କରାଯାଇଥାଏ । ଭୂତଳ ଜଳ ଏହି ଉତ୍ତପ୍ତ ସ୍ଥାନଗିଡ଼ିକର ସଂସ୍ପର୍ଶରେ ଆସି ବାଷ୍ପରେ ପରିଣତ ହୋଇଥାଏ । ସ୍ଥାନେ ସ୍ଥାନେ ଏହି ଉତ୍ତପ୍ତ ଜଳ ଫାଟ ପାଇ ଭୂପୃଷ୍ଠାକୁ ଚାଲି ଆସିଥାଏ । ଏହାକୁ ଉଷ୍ଣ ପ୍ରସ୍ରବଣ କୁହାଯାଏ । କେତେକ ସ୍ଥାନରେ ଏହି ବାଷ୍ପ ଶିଳା ଖଣ୍ଡ ମଧ୍ୟରେ ରହି ଉଚ୍ଚ ଚାପ ସୃଷ୍ଟିକରିଥାଏ । ଏହି ସ୍ଥାନ ପର୍ଯ୍ୟନ୍ତ ଏକ ଛିଦ୍ର କରାଯାଇ ପାଇପ ଭର୍ତ୍ତି କରି ଏହି ବାଷ୍ପକୁ ସଂଗ୍ରହ କରାଯାଇଥାଏ । ଅତ୍ୟଧିକ ଚାପରେ ଥିବା ଏହି ବାଷ୍ପ ଜେନେରେଟର ଟରବାଇନକୁ ଘୁରାଇଥାଏ ଏବଂ ସେଥିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇଥାଏ । କେତେକ ସ୍ଥାନଗୁଡ଼ିକରେ ଜଳୀୟବାଷ୍ପ ଓ ଉତ୍ତପ୍ତ ଜଳ ବିନା ପାଇପରେ ପୃଷ୍ଠଭାଗକୁ ଉପରକୁ ମଧ୍ୟ ଚାଲିଆସିଥାଏ । ଏହି ବାଷ୍ପକୁ ବ୍ୟବହାର କରି ମଧ୍ୟ ଏଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରେ ।
ବିଭିନ୍ନ ଶକ୍ତି ତୁଳନାରେ ଭୂତାପଜ ଶକ୍ତି ଅଧିକ ଉପଯୋଗୀ ହୋଇଥାଏ । ବର୍ଷର ସବୁ ସମୟରେ ଏହି ତାପଜ ଶକ୍ତି ସଂଗ୍ରହ କରାଯାଇପାରେ । ଏହା ପରିବେଶ ପ୍ରଦୂଷଣ ବିଲକୁଲ ବି କରିନଥାଏ । ଅନ୍ୟ ଉପାୟରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି ତୁଳନାରେ ଏହି ଉପାୟରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ନିମନ୍ତେ ଖୁବ କମ୍ ଖର୍ଚ୍ଚ ହୋଇଥାଏ । ନ୍ୟୁଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଶକ୍ତିର ବହୁଳ ବ୍ୟବହାର କରାଯାଉଛି । ଆମ ଦେଶର ମଧ୍ୟପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ କରାଯାଉଅଛି । ତେବେ ଏହିଭଳି ସ୍ୱଚ୍ଛ ଶକ୍ତିକୁ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରାଗଲେ ଅମେ ଖୁବ ଉପକୃତ ହେଇପାରନ୍ତେ । ଆମ ଦେଶର ବିଦ୍ୟୁତ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ ।