ନୂଆଦିଲ୍ଲୀ: ବିଜେପି ଏବଂ ଶିବସେନା ଭିତରେ ଲାଗି ରହିଛି କ୍ଷମତା ଯୁଦ୍ଧ । ମୁଖ୍ୟମନ୍ତ୍ରୀ ପଦ ନେଇ ଶିବସେନାର ୫୦/୫୦ ଫର୍ମୁଲାକୁ ବିଜେପି ଗ୍ରହଣ କରିବାକୁ ନାରାଜ । ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଆଜି ଠାକରେ ନିବାସ ବାହାର ପାର୍ଶ୍ୱରେ ଲାଗିଛି ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ  ଏକ ପୋଷ୍ଟର । ଯାହାକି ଚର୍ଚ୍ଚାର ଶିରୋନାମା ପାଲଟିଛି । 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ମୁମ୍ବାଇରେ ଥିବା ମାତୋଶ୍ରୀ(ଠାକରେ ନିବାସ)ରେ ଲାଗିଥିବା ଏହି ପୋଷ୍ଟରରେ ''ମୋ ବିଧାୟକ ମୋ ମୁଖ୍ୟମନ୍ତ୍ରୀ'' ଲେଖାହୋଇଛି । ଯେଉଁଥିରେ ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲ ଠାକରେ, ଦଳର ମୁଖ୍ୟ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଫଟୋ ରହିଛି । ଏହି ପୋଷ୍ଟରଟି ସ୍ଥାନୀୟ ନଗରପାଳ ହଜି ହଲିମ ଖାନଙ୍କ ପକ୍ଷରୁ ଲଗାଯାଇଥିବା ଦାବି କରାଯାଇଛି । ସେପଟେ ଏହାରି ଭିତରେ ଗତକାଲି ଦିଲ୍ଲୀ ଦରବାରରେ ପହଞ୍ଚିଥିଲା ମହାରାଷ୍ଟ୍ର କ୍ଷମତା ଯୁଦ୍ଧ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଏନସିପି ମୁଖ୍ୟ ଶରତ ପାୱାର । ଶିବସେନାକୁ ସମର୍ଥନ ଦିଆଯିବ ନା ନାହିଁ ସେନେଇ ଉଭୟଙ୍କ ମଧ୍ୟରେ ବିଶଦ ଆଲୋଚନା ହୋଇଥିବା କୁହାଯାଉଛି । 



ସୋନିଆଙ୍କୁ ସାକ୍ଷାତ କରିବା ପରେ ଶରଦ ପାୱାର କହିଥିଲେ, କଂଗ୍ରେସ ଓ ଏନସିପି ଆଗାମୀ ଦିନରେ ମହାରାଷ୍ଟ୍ରରେ କେଉଁ ଭଳି କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା ହୋଇଛି । ମୁମ୍ବାଇ କଂଗ୍ରେସ ଓ ଏନ୍‌ସିପି ନେତାମାନେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। କଂଗ୍ରେସ ନେତୃବୃନ୍ଦ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୁଣିଥରେ ସବୁ କିଛି ବିଚାର କରିବେ ବୋଲି ଆଶା ରଖିଥିବା କହିଥିଲେ ଶରଦ । 


ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଯଦିଓ ଚାଷୀ ସମସ୍ୟା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଫଡନାଭିସ କହିଥିଲେ,  ତଥାପି ମଧ୍ୟ ସରକାର ଗଠନ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି । 


ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି । ମ୍ୟାଜିକ ନମ୍ୱର ୧୪୫ ରହିଛି। ଯଦି ଶିବସେନାକୁ ଏନସିପି-କଂଗ୍ରେସ ମେଣ୍ଟ ସମର୍ଥନ କରିବ ତାହେଲେ ଦଳ ସରକାର ଗଢ଼ିପାରିବ ।