Black Tyres: ଆପଣ ଦୈନନ୍ଦିନ ଜୀବନରେ ମଟର ସାଇକେଲ, କାର, ବସ ଓ ଟ୍ରକ ଆଦି ସହିତ ଜଡିତ। ଆମେ ତାକୁ ପ୍ରତିଦିନ ଦେଖିଥାଉ। ହେଲେ ଆପଣଙ୍କ ମନରେ କେବେ ଗାଡିର ଟାୟାର କାହିଁକି କଳା ହୋଇଥାଏ (Why Tyres Are Always Black) ତାହାକୁ ନେଇ କେବେ ପ୍ରଶ୍ନ ଉଙ୍କି ମାରିଛି କି? ଯଦି ହଁ ତେବେ ଆଜି ଆମେ ଆପଣଙ୍କୁ ତାର ଉତ୍ତର ଦେବୁ। 


COMMERCIAL BREAK
SCROLL TO CONTINUE READING

ଯେତେବେଳେ ଆପଣ ଏକ କାର କିମ୍ବା ବାଇକ୍ କିଣିବାକୁ ଯାଆନ୍ତି, ସେତେବେଳେ ଆପଣଙ୍କ ପାଖରେ ଅନେକ ରଙ୍ଗ ବିକଳ୍ପ ଥାଏ। କେହି କେହି ଧଳା କାର ପସନ୍ଦ କରନ୍ତି, କିଛି ନାଲି କିମ୍ବା ସିଲଭର କଲରର ଗାଡି ପସନ୍ଦ କରନ୍ତି। ହେଲେ ଯେତେବେଳେ ଟାୟାର କିଣିବା କଥା ଉଠେ ସେତେବେଳେ ରଙ୍ଗରେ କୌଣସି ବିକଳ୍ପ ନଥାଏ। ଟାୟାର ଆକାର, କମ୍ପାନୀ କିମ୍ବା ଷ୍ଟାଇଲ ଭିନ୍ନ ଭିନ୍ନ ହୋଇଆଏ ହେଲେ ରଙ୍ଗ ସବୁବେଳେ କଳା ହୋଇଥାଏ। ଆପଣ କେବେ ଚିନ୍ତା କରିଛନ୍ତି କି ଟାୟାର ସବୁବେଳେ କଳା ରଙ୍ଗର କାହିଁକି? ଅନ୍ୟ କୌଣସି ରଙ୍ଗର ଟାୟାର କାହିଁକି ତିଆରି କରାଯାଏ ନାହିଁ? ଆମ ପାଖେ ଆଜି ସେସବୁ ପ୍ରଶ୍ନର ଉତ୍ତର ରହିଛି, ଆସନ୍ତୁ ଜାଣିବା।



ବହୁତ କମ୍ ଲୋକ ଜାଣିଥିବେ ଯେ ପ୍ରାୟ ୧୨୫ ବର୍ଷ ପୂର୍ବେ ଟାୟାର ଗୁଡିକ ଧଳା ରଙ୍ଗର ଥିଲା। ଏହାର କାରଣ ହେଉଛି ସେତେବେଳେ ଟାୟାର ତିଆରିରେ ବ୍ୟବହାର କରାଯାଉଥିବା ରବରର ରଙ୍ଗ ଥିଲା କ୍ଷୀର ଭଳି ଧଳା। କିନ୍ତୁ, ବର୍ତ୍ତମାନ ଟାୟାର ତିଆରି ପାଇଁ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର ହେଉଛି। ବାସ୍ତବରେ ଆଗ କାଳରେ ଟାୟାର ଗୁଡିକ ଯାନର ଭାର ସମ୍ଭାଳିବା ଏବଂ ରାସ୍ତାରେ ଦ୍ରୁତ ଗତିରେ ଯିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ନଥିଲା। 


ଏପରି ପରିସ୍ଥିତିରେ ଟାୟାରକୁ ଶକ୍ତ ଏବଂ ଆୟୁ ବଢାଇବା ପାଇଁ ଏକ ଶକ୍ତିଶାଳୀ ପଦାର୍ଥର ଆବଶ୍ୟକ ଥିଲା। ଦୁଗ୍ଧ ପରି ଧଳା ପଦାର୍ଥରେ କାର୍ବନ କଳା ମିଶାଇବା ଦ୍ବାରା ତାହା ସଫଳ ହୋଇପାରିଲା। କାର୍ବନ ବ୍ଲାକ୍ ଟାୟାର ଦୀର୍ଘାୟୁ କରିବା ସହ ଶକ୍ତିଶାଳୀ କରିଥାଏ। ଆଉ ସେହି କାର୍ବନ ବ୍ଲାକ୍ ମିଶାଇବା ଦ୍ୱାରା ଟାୟାରଟି ସମ୍ପୂର୍ଣ୍ଣ କଳା ହୋଇଯାଏ। ଏକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଧା ରବରରେ ନିର୍ମିତ ଟାୟାର ପ୍ରାୟ ୮,୦୦୦ କିଲୋମିଟର ଚାଲିପାରେ। ଆଉ କାର୍ବନ ଯୁକ୍ତ ରବରରେ ନିର୍ମିତ ଟାୟାର ପ୍ରାୟ ୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିପାରେ।