ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି । ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ବରିଷ୍ଠ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ସମ୍ମାନିତ କରାଯାଇଛି..'ଭିଜା ମାଟିର ସ୍ୱର୍ଗ' ପାଇଁ ମିହିରଙ୍କୁ ଶ୍ରେଷ୍ଠ ଅଭିନେତା ଓ ଚାମ୍ପିୟନ ଫିଲ୍ମ ପାଇଁ ଅର୍ଚ୍ଚିତାଙ୍କ ନାଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି । 'ଓ ମାଇଁ ଲଭ୍'ରୁ 'ଚାମ୍ପିୟନ' ପର୍ଯ୍ୟନ୍ତ ଏକ ଲମ୍ୱା ସଫର୍ ଅତିକ୍ରମ କରି ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଥିବା ଅର୍ଚ୍ଚିତା ସାହୁଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ପ୍ରଜ୍ଞା ପାରମିତା ପତ୍ରୀ ...


COMMERCIAL BREAK
SCROLL TO CONTINUE READING


ପ୍ରଶ୍ନ- 'ଚାମ୍ପୟନ' ଚଳଚ୍ଚିତ୍ରକୁ ବାଛିବା ପଛର କାରଣ କ'ଣ ?


ଉତ୍ତର- ଚଳଚ୍ଚିତ୍ରର ଯେତେବେଳେ କାହାଣୀ ମୋତେ ଦିଆଯାଇଥିଲା, ସେତେବେଳେ ଏହି ଚଳଚ୍ଚିତ୍ରରେ କାମ କରିବା  ମୋ ପାଇଁ ଖିୁବ୍  ଚ୍ୟାଲେଞ୍ଜିଂ ଥିଲା । କାରଣ କାହାଣୀର ଚରିତ୍ର ଜଣେ ବକ୍ସରର ସଫଳତା ଉପରେ ଆଧାରିତ ଥିଲା । ଆଉ କିଛି ଭିନ୍ନ ଧରଣର ଚରିତ୍ର ଥିବାରୁ ଏହି ଚଳଚ୍ଚିତ୍ର ସାଇନ୍ କରିଥିଲି ।


ପ୍ରଶ୍ନ- ଏସିପି ସାଗରିକା, ଚାମ୍ପିୟନ୍ସ ଭଳି ଭିନ୍ନ ଧରଣର ସିନେମା ବାଛିବା ପଛରେ କିଛି ଭିନ୍ନ ଉଦ୍ଦେଶ୍ୟ ?


ଉତ୍ତର- ମୋତେ ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ କାମ କରିବାକୁ ଭଲ ଲାଗେ । ଆଉ ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ମୋତେ ଅଧିକ ଆକର୍ଷିତ କରେ ।


ପ୍ରଶ୍ନ- ପୂର୍ବରୁ ଅର୍ଚ୍ଚିତାଙ୍କ ଯେତିକି ଫିଲ୍ମ ଆସୁଥିଲା, ଏବେ ଅପେକ୍ଷାକୃତ କମ୍ ଆସୁଛି । ଏହାର କାରଣ ?


ଉତ୍ତର- ପୂର୍ବ ଅପେକ୍ଷା ମୁଁ ଅଧିକ ସିଲେକ୍ଟିଭ ହୋଇଯାଇଛି । କାହାଣୀ, ବିଷୟବସ୍ତୁ, ଦର୍ଶକଙ୍କ ଡିମାଣ୍ଡକୁ ନେଇ ମୁଁ ଏବେ କ୍ୱାଲିଟେଟିଭ ଫିଲ୍ମ କରୁଛି; ଯାହା ଦର୍ଶକଙ୍କ ମନକୁ ଛୁଇଁବ । ତେଣୁ ମୁଁ ଭାବିଚିନ୍ତି ଫିଲ୍ମ କରୁଛି ।


ପ୍ରଶ୍ନ- ଓଡ଼ିଆ ସିନେମା ଜଗତରେ ଆପଣ କାହାକୁ ନିଜର ପ୍ରତିଯୋଗୀ ବା କମ୍ପିଟିଟର୍ ବୋଲି ଭାବୁଛନ୍ତି  ?


ଉତ୍ତର- ମୁଁ ଭାଗ୍ୟବାନ ଯେ, ଆଜି ଯାଏ ଭଲ ଭଲ ଫିଲ୍ମ ମୋତେ ମିଳୁଛି । ଏତେ ନାୟିକା ଆସିବା ସତ୍ତ୍ୱେ ଆଜି ବି ଦର୍ଶକ ମୋତେ ପୂର୍ବ ଭଳି ଭଲପାଇବା ଦେଉଛନ୍ତି । ଆଉ ମୁଁ ବି ଦର୍ଶକଙ୍କ ପାଇଁ ଫିଲ୍ମ କରୁଛି କାହା ସହ ପ୍ରତିଯୋଗିତା କରୁନି । ମୋତେ କେବଳ ମୋ ସିନେମାରେ ଭଲ ଅଭିନୟ କରିବାର ଅଛି । 


ପ୍ରଶ୍ନ- ବଲିଉଡ ଜଗତରେ ପାଦ ରଖିବା ପାଇଁ କିଛି ପ୍ଲାନିଂ ଅଛି କି ?


ଉତ୍ତର- ପୂର୍ବରୁ ହିଁ ମୋତେ ବଲିଉଡରୁ ଅଫର ଆସି ସାରିଛି । କିନ୍ତୁ ମୁଁ କେବେ ଧ୍ୟାନ ଦେଇ ନାହିଁ । ଆଗ କଥା ଆଗକୁ ଦେଖାଯିବ ।


ପ୍ରଶ୍ନ- ନିକଟରେ 'ଆକାଶେ କି ରଙ୍ଗ ଲାଗିଲା' ସିନେମାକୁ ଦଶ ବର୍ଷ ପୂରିଛି । ଏହି ଦଶ ବର୍ଷ ଭିତରେ ଅର୍ଚ୍ଚିତାଙ୍କ ଭିତରେ କ'ଣ ପରିବର୍ତ୍ତନ ଆସିଛି ?


ଉତ୍ତର- ହଁ, ନିହାତି । ମୋ ଭିତରେ ବହୁ ପରିବର୍ତ୍ତନ ଆସିଛି । ମୁଁ ଏହି ଦଶ ବର୍ଷ ଭିତରେ ଗ୍ରୋ(Grow) କରିଛି  ଗ୍ରୁମ(groom)କରିଛି । ଅଭିନୟରେ ବି ଆହୁରି ଅଧିକ ... ଆସିଛି ।  


ପ୍ରଶ୍ନ- ରଚନା ଓ ସିଦ୍ଧାନ୍ତ, ବର୍ଷା ଓ ଅନୁଭବ ପରି ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଲୋକେ କେତେ ଦୂର ଗ୍ରହଣ କରୁଛନ୍ତି ?


ଉତ୍ତର- ଗୋଟିଏ ଯୋଡ଼ିକୁ ଦର୍ଶକ ପସନ୍ଦ କରିବା ଏତେ ସହଜ କଥା ନୁହଁ । ଅଭିନେତା ଅଭିନେତ୍ରୀଙ୍କ ପପୁଲାରିଟି ଠୁ ଗୋଟେ ଯୋଡ଼ିକୁ ପପୁଲାରିଟି ମିଳିବା ଅଧିକ କଷ୍ଟ । ଶାହାରୁଖ ଓ କାଜଲ ଅଧିକ ଚଳଚ୍ଚିତ୍ର କରି ନ ଥିଲେ ବି କିଛିଟା ଚଳଚ୍ଚିତ୍ରରୁ ତାଙ୍କ ଯୋଡ଼ି ହିଟ୍ । ସେହିପରି ଯଦି ସବ୍ୟଙ୍କ ସହିତ ମୋ ଯୋଡ଼ିକୁ ଲୋକେ ପସନ୍ଦ କରୁଛନ୍ତି ତେବେ ତାହା ମୋ ପାଇଁ ଏକ ଖୁସିର ବିଷୟ ।