କମୁଛି ଜାତୀୟ ଦଳର କ୍ରେଜ୍ !
ବଦଳିଛି ଲୋକଙ୍କ ମାନସିକତା: ଧର୍ମୀୟ ରାଜନୀତି ନୁହେଁ, ବିକାଶ ଦରକାର
କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ
ମା କର୍ମଫଲହେତୁର୍ଭୂମା ତେ ସଙ୍ଗୋସ୍ତ୍ୱକର୍ମଣୀ
ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଗୀତାର ଦ୍ୱିତୀୟ ଅଧ୍ୟାୟର ୪୭ ନମ୍ୱର ଶ୍ଲୋକରେ ଏହା ଲେଖା ହୋଇଛି। କର୍ମ ଯିଏ କରେ, ସିଏ ଫଳ ପାଏ। ଆମର କେବଳ କର୍ମରେ ହିଁ ଅଧିକାର ଅଛି, କିନ୍ତୁ ଫଳରେ ଅଧିକାର ନାହିଁ। ଭାରତୀୟ ରାଜନୀତିର ସଂପ୍ରତି ସ୍ଥିତିକୁ ଦେଖିଲେ ଲାଗୁଛି ଯେ, ଏଠି କର୍ମ କହିଲେ ଜାତିବାଦକୁ ହିଁ ବୁଝାଉଛି। ଧର୍ମୀୟ ରାଜନୀତି ସତେ ଯେମିତି ଏଠି ରାଜନୈତିକ ଦଳ ଗୁଡ଼ିକର ମୁଖ୍ୟ କର୍ମ। କିନ୍ତୁ ଗୋଟିଏ ରାଜନୈତିକ ଦଳ ପାଇଁ ଯେ ନିଜ ଅଞ୍ଚଳର ବା ନିଜ ରାଜ୍ୟର ବିକାଶ ହିଁ କର୍ମ, ଏକଥା ଦିଲ୍ଲୀରୁ ଶିଖିବାକୁ ମିଳିଛି। ବହୁ ବାଦବିବାଦ, ତର୍କବିତର୍କ ଓ ଆରୋପ ପ୍ରତ୍ୟାରୋପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ ହୋଇଛି। ରେଜଲ୍ଟ ବାହାରିବା ପରେ ୪୮ ଆସନ ପାଇବା ନେଇ ଛାତି ପିଟୁଥିବା ବିଜେପିର ମୁହଁ ଚୁପ୍ ହୋଇଯାଇଛି। ଗତ ୯ ମାସ ପୂର୍ବେ ଲୋକସଭା ନିର୍ବାଚନରେ ଖାତା ଖୋଲି ପାରି ନ ଥିବା ଆମ୍ ଆଦମୀ ପାର୍ଟି ୭୦ ଆସନରୁ ୬୨ ଆସନ ପାଇ ସରକାର ଗଠନ କରିଛି। ଆସନ୍ତା ୧୬ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ଶପଥ ଗ୍ରହଣ କରିବେ।
ସେହିପରି ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଆସନକୁ ପୋଛି ନେଇଥିବା ବିଜେପି ବିଧାନସଭା ନିର୍ବାଚନରେ ମାତ୍ର ୮ଟି ଆସନ ପାଇ ସନ୍ତୁଷ୍ଟ ହୋଇଛି। ଅନ୍ୟପଟେ ଏଥର ବି ଖାତା ଖୋଲି ପାରି ନ ଥିବା କଂଗ୍ରେସ 'ଘଇତା ପଛେ ମରୁ, ସଉତୁଣୀ ବିଧବା ହେଉ' ଆଳରେ ଉପର ଠାଉରିଆ ଖୁସ୍ ଅଛି। ତେବେ ଦିଲ୍ଲୀ ନିର୍ବାଚନ ଏଥର ଦୁଇଟି ଶିକ୍ଷା ଦେଇଛି। ପ୍ରଥମଟି, ଭୋଟର୍ ଆଉ ଭାଷଣ ଓ ବୟାନବାଜି ଉପରେ ବିଶ୍ୱାସ କରୁନାହାନ୍ତି। ଲୋକଙ୍କୁ କେବଳ ବିକାଶ ଦରକାର। ଯିଏ ବିକାଶ କଲା, ସିଏ ଭୋଟ୍ ପାଇଲା। ଦ୍ୱିତୀୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଯେ, ଧୀରେଧୀରେ ଜାତୀୟ ଦଳର କ୍ରେଜ୍ କମୁଛି। ଝାଡ଼ଖଣ୍ଡ ହେଉ ଅବା ମହାରାଷ୍ଟ୍ର ନିର୍ବାଚନ, ସବୁଠି ଭୋଟର୍ ଏହା ପ୍ରମାଣିତ କରି ଦେଇଛନ୍ତି। ଦିଲ୍ଲୀରେ ଭାରତର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ଆସି ଭୋଟ୍ ଦେଇ ବିଜେପି ଭଳି ଜାତୀୟ ଓ ଲୋକପ୍ରିୟ ଦଳକୁ ପ୍ରତ୍ୟାଖାନ କରିଛନ୍ତି। ସେହିପରି ଦୁର୍ନୀତିର ମୋହର ଲାଗିଥିବା କଂଗ୍ରେସକୁ ବି ଲୋକମାନେ ଦିଲ୍ଲୀରେ ଦୁଇ ଦୁଇ ଥର ସତ୍ତାରୁ ମାଇଲ ମାଇଲ ଦୂରକୁ ଠେଲି ଦେଇଛନ୍ତି। ବିଜେପିର ଭୋଟ୍ ପ୍ରତିଶତ ଦିଲ୍ଲୀରେ ବଢ଼ିଛି ସତ, କିନ୍ତୁ ଲୋକଙ୍କ ମନ ଜିଣିବାରେ ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏକ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନରେ ଯେ ଜାତୀୟ ମୁଦ୍ଦା ଠାରୁ ଆଞ୍ଚଳିକ ମୁଦ୍ଦାର ଗୁରୁତ୍ୱ ଅଧିକ, ଏକଥା ଦିଲ୍ଲୀବାସୀ ଶିଖାଇ ଦେଇଛନ୍ତି।
ସେହିପରି ଶତ୍ରୁକୁ ପରାଜିତ କରିବାକୁ ହେଲେ ଆକ୍ରମଣାତ୍ମକ ନୁହେଁ, ବରଂ ସକରାତ୍ମକ ଶୈଳୀରେ ଶାଳୀନତା ରକ୍ଷା କରିବା ହିଁ ଉତ୍ତମ ବୁଦ୍ଧିମତାର ପରିଚୟ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ଜିତିବାର ଏହା ହେଉଛି ଅନ୍ୟତମ ପ୍ରମୁଖ କାରଣ। ସିଏଏ, ଜମ୍ମୁ କାଶ୍ମୀର ଭଳି ଜାତୀୟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ବିଜେପି ପ୍ରଚାର କରିଥିବାବେଳେ ନିଜର ବିକାଶକୁ ନେଇ ଆମ୍ ଆଦମୀ ପାର୍ଟି ପ୍ରଚାର କରିଥିଲା। ଏପରିକି ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣରେ ପଦିଏ ବି ବିଜେପି କିମ୍ୱା ମୋଦି କି ଶାହଙ୍କ ବିରୋଧରେ ଗର୍ଜିବାର ଦେଖା ଯାଇ ନଥିଲା। ତେଣୁ, ଏସବୁକୁ ଦେଖିଲେ ଲୋକମାନଙ୍କ ମାନସିକତାରେ ଯେ ବିରାଟ ପରିବର୍ତ୍ତନ ହୋଇଛି, ତାହା ସ୍ପଷ୍ଟ ଅନୁମେୟ କରି ହେଉଛି। ସେହିପରି ଦିଲ୍ଲୀରେ ନିର୍ବାଚନ ହାରିବା ପରେ ଭାରତର ସର୍ବପୁରାତନ ଦଳ କଂଗ୍ରେସ ଓ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ବିଜେପିର କ୍ରେଜ୍ ଏକ ପ୍ରକାର କମିଯାଇଥିବା ଚର୍ଚ୍ଚା ହେଉଛି।
ଓଡ଼ିଶାରେ ଦୀର୍ଘ ୨୦ ବର୍ଷ ଧରି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ଉଭୟ କଂଗ୍ରେସ ଓ ବିଜେପିକୁ ସତ୍ତାରୁ ଦୂରେଇ ରଖିଛି ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ 'କଥା କମ୍, କାମରେ ବିଶ୍ୱାସ' ଭଳି ଚିନ୍ତାଧାରା ଆଗରେ ଉଭୟ କଂଗ୍ରେସ ଓ ବିଜେପି ମୁଣ୍ଡ ନୂଆଁଇଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର୍ କଂଗ୍ରେସ, ତେଲଙ୍ଗାନାରେ କେ। ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍, ତାମିଲନାଡୁରେ ପଲାନିସ୍ୱାମୀଙ୍କ ଏଆଇଏଡିଏମକେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ସତ୍ତାରେ ଅଛି। ବାକି ଯେଉଁ ସବୁ ରାଜ୍ୟରେ ସରକାର ଗଠନ ହୋଇଛି, ଅଧିକାଂଶ ରାଜ୍ୟରେ ଆଞ୍ଚଳିକ ଦଳ ସହ ବିଜେପି କିମ୍ୱା କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିଛନ୍ତି। ଅରୁଣାଚଳ ପ୍ରଦେଶରେ ବିଜେପି, ଜେଡିୟୁ ଓ ଏନପିପି ସହ ମିଶି ସରକାର ଗଠନ କରିଛି।
ସେହିପରି ଆସାମରେ ବିଜେପି, ଏଜିପି ଓ ବିପିଏଫ୍ ସହ ମିଶି ସରକାର ଗଠନ କରିଥିବାବେଳେ ବିହାରରେ ଜେଡିୟୁ, ବିଜେପି ଓ ଏଲଜେପି ମଧ୍ୟରେ ମେଣ୍ଟ ସରକାର ରହିଛି। ଗୋଆରେ ବିଜେପି+ଏମଜିପି, ହରିୟାଣାରେ ବିଜେପି+ ଜେଜେପି, ମଣିପୁରରେ ବିଜେପି+ଏନପିପି+ଏନପିଏଫ୍+ଏଲଜେପି, ମେଘାଳୟରେ ଏନପିପି, ୟୁଡିପି, ପିଡିଏଫ୍, ଏଚଏସପିଡିପି ଓ ବିଜେପି ମଧ୍ୟରେ ମେଣ୍ଟ ସରକାର ଅଛି। ସେହିପରି ମିଜୋରାମରେ ଏମଏନଏଫ୍ ଓ ବିଜେପି, ନାଗାଲାଣ୍ଡରେ ଏନଡିପିପି ଓ ବିଜେପି, ସିକ୍କିମରେ ଏସକେଏମ୍ ଓ ବିଜେପି, ତ୍ରିପୁରାରେ ବିଜେପି ଓ ଆଇପିଏଫଟି ସରକାର ଗଠନ କରିଛନ୍ତି।
ସେହିପରି କଂଗ୍ରେସ ମଧ୍ୟ କେତେକ ରାଜ୍ୟରେ ମେଣ୍ଟ ସରକାରରେ ଅଛି। ମଧ୍ୟ ପ୍ରଦେଶରେ କଂଗ୍ରେସ, ବିଏସପି ଓ ଏସପି ମେଣ୍ଟ ସରକାର କରିଛନ୍ତି। ମହାରାଷ୍ଟ୍ରରେ ଶିବସେନା ଓ ଏନସିପି ସହ କଂଗ୍ରେସ ମେଣ୍ଟ ସରକାର କରିଛି। ସେହିପରି ରାଜସ୍ଥାନରେ କଂଗ୍ରେସ, ବିଟିପି ଓ ଆରଏଲଡି ମେଣ୍ଟ ସରକାର କରିଛନ୍ତି। ତେଣୁ, ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ନିଜ ଗୋଡ଼ରେ ଉଭୟ ବିଜେପି ଓ କଂଗ୍ରେସ ଛିଡ଼ା ହେବାର ଦମ୍ ନାହିଁ।
ଆଗକୁ ବିହାର ନିର୍ବାଚନ ଅଛି। ତେଣୁ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାକୁ ଏଥର ବିଜେପି ଏକୁଟିଆ କବଜା କରୁଛି ନା ପୁଣି ଥରେ ନିଜ ସହଯୋଗୀ ଦଳ ଜେଡିୟୁ ଓ ଏଲଜେପି ସହ ମିଶି ଉଦ୍ୟମ କରିବ, ତାହା ଏକ ବଡ଼ ପ୍ରଶ୍ନ। ଦିଲ୍ଲୀରେ ଯେମିତି ସିଏଏ ଏବଂ ରାଷ୍ଟ୍ରବାଦ ମୁଦ୍ଦାକୁ ପାଥେୟ କରି ବିଜେପି ରଣନୀତି ପ୍ରସ୍ତୁତ କରିଥିଲା, ସେହି ପନ୍ଥା ଯଦି ବିହାରରେ ଦୋହରାଏ, ତେବେ ବିହାରବାସୀ ମଧ୍ୟ ଏହାକୁ ନାପସନ୍ଦ କରିପାରନ୍ତି। ସହଯୋଗୀ ଜେଡିୟୁ ତ ଏବେଠାରୁ ବିଜେପିର ଷ୍ଟ୍ରାଟେଜିକୁ ନେଇ ଧମକାଇବା ଆରମ୍ଭ କଲାଣି। ଯେହେତୁ କଂଗ୍ରେସର ସ୍ଥିତି ସାରା ଦେଶରେ ଶୋଚନୀୟ, ତେଣୁ ବିହାରରେ ମଧ୍ୟ ଦଳର କୌଣସି ପ୍ରଭାବ ପଡ଼ିବ ନାହିଁ।
ସେହିପରି ୨୦୨୧ରେ ଆସାମ, କେରଳ ଓ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ। ଆସାମରେ ବିଜେପି, ଆସାମ ଗଣ ପରିଷଦ ଓ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ସହ ମିଶି ମେଣ୍ଟ ସରକାର ଗଠନ କରିଛି। ସେହିପରି କେରଳରେ ବାମ ଦଳ ଶାସନ କରୁଛି ଏବଂ ତାମିଲନାଡ଼ୁରେ ଏଆଇଏଡିଏମକେ ସରକାର ଅଛି। ତେଣୁ, ଏସବୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିବ। ଏସବୁ ରାଜ୍ୟରେ ଆଞ୍ଚଳିକ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କଲେ ବିଜେପି ହୁଏତ କିଛିକାଂଶରେ ଲାଭରେ ରହିପାରେ। ମାତ୍ର, ଏହି ରାଜ୍ୟଗୁଡ଼ିକରେ ଯଦି ବିଜେପି ପୁଣି ଥରେ ରାଷ୍ଟ୍ରବାଦର ଡିଣ୍ଡିମ ପିଟେ, ତେବେ ଏହାର ମୂଲ୍ୟ ଦଳକୁ ହିଁ ଚୁକାଇବାକୁ ପଡ଼ିବ।