ଭୁବନେଶ୍ୱର: ଭାଗବତ ଟୁଙ୍ଗୀ । ଓଡ଼ିଶା ଇତିହାସର ଅନ୍ୟତମ ମୁକସାକ୍ଷୀ । ଆଧୁନିକତା ଛାପରେ ଆଜିକାଲି ଭାଗବତ ଟୁଙ୍ଗୀ ହଜି ଯାଇଥିଲେ ବି କେତେକ ଲୋକ ତାକୁ ବଞ୍ଚାଇ ରଖିଛନ୍ତି । କଟକ ଜିଲ୍ଲା ଇଶାଣୀବ୍ରହ୍ମପୁର ପଞ୍ଚାୟତର ବ୍ରାହ୍ମଣଭୂଇଁ ଗାଁର ଆଜି ବି ବଞ୍ଚି ରହିଛି ଭାଗବତ ଟୁଙ୍ଗୀ ପରମ୍ପରା ।


COMMERCIAL BREAK
SCROLL TO CONTINUE READING

ବୈଦିକ ଶିକ୍ଷା ଦ୍ୱାରା ସମାଜରେ ବୈପ୍ଳବିକ ସଂସ୍କାର ଆଣିବା ପାଇଁ ୧୫୦୦ ଖ୍ରୀଷ୍ଟାବ୍ଦରେ ସୃଷ୍ଟି ହୋଇଥିଲା ଭାଗବତ ଟୁଙ୍ଗୀ । ଏହି ଭାଗବତ ଟୁଙ୍ଗୀରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ପାଠ କରାଗଲା । ବହୁ ସାଧୁସନ୍ଥ, ଜ୍ଞାନୀଗୁଣି ଭାଗବତ ଟୁଙ୍ଗୀରେ ଯୋଗଦେଇ ଭାଗବତ ପାଠ କରିବା ସହ ଜ୍ଞାନ ଚର୍ଚ୍ଚା କରିବାରେ ଲାଗିଲେ । ଧୀରେ ଧୀରେ ସାରା ଓଡ଼ିଶାର ଘରେ ଘରେ ଭାଗବତ ଟୁଙ୍ଗୀର ଆବିର୍ଭାବ ହେଲା । ସମାଜରେ ସଦବୁଦ୍ଧି ସଦଜ୍ଞାନର ବିକାଶ ଲାଭ କରିବାକୁ ସମସ୍ତେ ସହଯୋଗ କଲେ । କିନ୍ତୁ ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରଠାରୁ ଭାଗବତ ଟୁଙ୍ଗୀ ହଜିବାକୁ ବସିଲା । କିନ୍ତୁ ଆଜି ବି ଓଡ଼ିଶାରେ କେତେକ ଭାଗବତ ଟୁଙ୍ଗୀ ବଞ୍ଚି ରହିଛି । ଗାଁ ଗହଳିରେ ଚାଳ ଛପର ଘର ନ ଥିବା ସତ୍ତ୍ୱେ ଆଜି ବି ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଭାଗବତ ଟୁଙ୍ଗୀର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଏହି ପରମ୍ପରାକୁ ବଞ୍ଚାଇ ରଖିବା ଭିତରେ କଟକ ଜିଲ୍ଲା ଇଶାଣିବ୍ରହ୍ମପୁର ଗ୍ରାମ ପଞ୍ଚାୟତରେ ଗୋପାଳ ସାହିର ଲୋକମାନେ ଅନ୍ୟତମ ।  ବ୍ରାହ୍ମଣଭୂଇଁ ଗୋପାଳ ସାହିରେ ରହିଛି ଗାଦିବ୍ରହ୍ମ ଭାଗବତ ଟୁଙ୍ଗୀ । ପରମ୍ପରା ଅନୁସାରେ ଏହି ଟୁଙ୍ଗୀରେ ଦୈନିକ ସନ୍ଧ୍ୟା ସମୟରେ ଭାଗବତ ପାଠ କରାଯାଇଥାଏ । ଭାଗବତ ଗୀତା ଶୁଣିବା ପାଇଁ ଆଖପାଖ ଅଞ୍ଚଳରୁ ମହିଳା ପୁରୁଷ ଓ ପିଲାମାନେ ଅସିଥାନ୍ତି । ଭାଗବତ ପାଠ ସହ ନାମ ସଂକୀର୍ତ୍ତନ ମଧ୍ୟ ହୋଇଥାଏ । ବୁଢ଼ା ଲୋକମାନେ ଏକାଠି ହୋଇ ମୃଦଙ୍ଗ, ଝାଞ୍ଜ ବଜାଇ ବେଶ୍ ଆନନ୍ଦ ଲାଭ କରିଥାନ୍ତି । ଦୀର୍ଘ ଷାଠିଏ ବର୍ଷ ଧରି ଏହି ଭଗବତ ଟୁଙ୍ଗୀରେ ଭାଗବତ ପାଠ କରାଯାଉଛି । ଏହାଦ୍ୱାରା ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ପ୍ରଭୁ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି ।


ଗାଁ ଗହଳିରେ ଆଉ ଭାଗବତ ଟୁଙ୍ଗୀ ଦେଖିବାକୁ ମିଳୁ ନାହିଁ । ଯୁବପିଢ଼ି ଏବେ ଟିଭି ଓ ମୋବାଇଲ ପଛରେ ଗୋଡ଼ାଇ ଭାଗବତ ଗୀତା କଥା ଭୁଲିଗଲେଣି । କିନ୍ତୁ ଭାଗବତ ଗୀତାର ମହତ୍ତ୍ୱ ବିଷୟରେ ଯିଏ ଜାଣିଛି, ସେ ତାର ମଧୁରତା ପାଇଛି । ବୟସ୍କ ଲୋକମାନେ ନିଜ ତୁଣ୍ଡରେ ଭାଗବତ ଗୀତା ବୋଲିବା ସହ ଆନନ୍ଦ ସହିତ ଭାଗବତ ଶୁଣିଥାନ୍ତି । ଏହି ଟୁଙ୍ଗୀରେ ଭାଗବତ ଜନ୍ମ ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ଆଖପାଖ ଅଞ୍ଚଳର ଲୋକମାନେ ଏହି ଟୁଙ୍ଗୀକୁ ଭାଗବତ ଶୁଣିବାକୁ ଆସିଥାନ୍ତି ।


ଏହି ସ୍ଥାନର ରହିଛି ସ୍ୱତନ୍ତ୍ର ବିଶେଷତ୍ତ୍ୱ । ଗାଦିବ୍ରହ୍ମ ଭାଗବତ ଟୁଙ୍ଗୀ ଥିବା ସ୍ଥାନରେ ରହିଛନ୍ତି ଗାଦିବ୍ରହ୍ମ । କାହିଁ କେଉଁ କାଳରୁ ଏଠାରେ ପୂଜା ପାଉଛନ୍ତି ଗାଦି ଠାକୁର । ଗାଦିଙ୍କ ବ୍ରହ୍ମ ଥିବା ସ୍ଥାନରେ ରହିଛି ଏକ ବିଶାଳ ନିମ୍ୱ ଗଛ ଓ ଏକ ଉଇ ହୁଙ୍କା । ବିଶେଷ କରି ଗୋପାଳ ସମ୍ପ୍ରଦାୟର ଲୋକେ ଏଠାରେ ବର୍ଷକ ବାର ମାସେରେ ତେର ପର୍ବ ପାଳନ କରନ୍ତି । ସବୁ ମାସର ପୂର୍ଣ୍ଣିମାରେ ଗ୍ରାମବାସୀଙ୍କ ପକ୍ଷରୁ ଏଠାରେ ପାଳି କରାଯାଇ ପ୍ରସାଦ ଭୋଗ ଲଗାଯିବା ସହ ଶ୍ରଦ୍ଧାଳୁକୁ ବଣ୍ଟନ କରାଯାଏ । କାର୍ତ୍ତିକ ପୂର୍ଣ୍ଣିମା ହେଉ ଅବା ଦୋଳ ପୂର୍ଣ୍ଣିମା ହେଉ ଏଠାରେ ହୁଏ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ।  


ଆଧୁନିକ ଯୁଗରେ ବୁଡ଼ି ଯାଉଥିବା ଭାଗବତ ପରମ୍ପରାକୁ ବଞ୍ଚାଇ ରଖିଥିବା ବ୍ରାହ୍ମଣଭୂଇଁ ଗ୍ରାମବାସୀଙ୍କ ପ୍ରୟାସ ସତରେ ପ୍ରଶଂସନୀୟ ।