ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କଲା ଇସ୍ତାହାର ପତ୍ର । ମହାତ୍ମା ଜ୍ୟୋତିବା ଫୁଲେ, ସାବିତ୍ରୀବାଈ ଫୁଲେ ଏବଂ ବୀର ସାବରକରଙ୍କୁ ଭାରତରତ୍ନ ଦାବି ଦଳର ଇସ୍ତାହାର ପତ୍ରରେ ସ୍ଥାନ ପାଇଛି । ଏହା ସହ ମହାରାଷ୍ଟ୍ରର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଇସ୍ତାହାର ପତ୍ର ଜାରି କରିଥିଲେ ।ଏହି ଅବସରରେ ନଡ୍ଡା କହିଥିଲେ, ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରରେ ଏକ ବୃହତ ରାଜନୈତିକ ପରିବର୍ତ୍ତନ ଆଣିପାରିଛନ୍ତି ।୫ବର୍ଷ ପୂର୍ବରୁ ମହାରାଷ୍ଟ୍ର ଏକ ଭ୍ରଷ୍ଟାଚାରଗ୍ରସ୍ତ ରାଜ୍ୟ ଥିଲା ।ହେଲେ ଏବେ ଫଡନାଭିସଙ୍କ ନେତୃତ୍ୱ ଯୋଗୁଁ ମହାରାଷ୍ଟ୍ର ଭ୍ରଷ୍ଟାଚାରମୁକ୍ତ ହୋଇପାରିଛି ।


ଆଗାମୀ ୫ ବର୍ଷ ଭିତରେ ମହାରାଷ୍ଟ୍ରର ବିକାଶକୁ ନେଇ ବିଭିନ୍ନ ସ୍ୱପ୍ନ ଦେଖାଇଛନ୍ତି ନଡ୍ଡା । ମୁଖ୍ୟତଃ ସମଗ୍ର ରାଜ୍ୟକୁ ଜଳସେଚନ କିପରି ହୋଇପାରିବ, ତାହା ଇସ୍ତାହାର ପତ୍ରରେ କୁହାଯାଇଛି । ପଶ୍ଚିମରେ ପ୍ରବାହୀତ ନଦୀଗୁଡିକର ଜଳକୁ ଗୋଦାବରୀ ଘାଟିରେ ଅଟକାଇ ଜଳସଙ୍କଟ ଦୂର କରିବା ଉପରେ ଫୋକସ କରାଯାଇଛି । ସେହିପରି ଆସନ୍ତା ୫ବର୍ଷ ଭିତରେ କୃଷିକ୍ଷେତ୍ରରେ ଦରକାର କରୁଥିବା ବିଜୁଳି ସୌରଶକ୍ତିରୁ ବାହାର କରିବା ପାଇଁ ଦଳ ଯୋଜନା କରିଛି । କୃଷକଙ୍କୁ ଯେପରି ୧୨ ଘଣ୍ଟା ବିଜୁଳି ସୁନିଶ୍ଟିତ କରାଯାଇପାରିବ, ସେ ଉପରେ ଗୁରୁତ୍ୱ ଦିଆଯାଇଛି ।


ସେହିପରି ଆସନ୍ତା ୫ ବର୍ଷ ଭିତରେ ୧ କୋଟି ଚାକିରି ସୁନିଶ୍ଚିତ କରିବାକୁ ସ୍ୱପ୍ନ ଦେଖାଇଛି ବିଜେପି । ୧ କୋଟି ପରିବାରକୁ ମହିଳା ବଚତ ସମୂହ ସହ ଯୋଡାଯିବ । ୨୦୨୨ ଭିତରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାକୁ ଦଳ ଇସ୍ତାହାର ପତ୍ରରେ କହିଛି । କେନ୍ଦ୍ର ସରକାରଙ୍କ ସହଯୋଗରେ ବିଭିନ୍ନ ସୁବିଧା ପହଞ୍ଚାଇବାକୁ ସ୍ୱପ୍ନ ଦେଖାଇଛି ଭାରତୀୟ ଜନତା ପାର୍ଟି । 


ଗମନାଗମନ କ୍ଷେତ୍ରରେ ମଧ୍ୟ ସୁଧାର ଆଣିବାକୁ ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଛି ବିଜେପି । ରାଜ୍ୟର ସମସ୍ତ ସଡକର ସ୍ଥାୟୀ ମରାମତି ଏବଂ ଏହାର ଦେଖାଶୁଣା କରିବା ପାଇଁ ଏକ ସେଲ ଗଠନ କଥା କହିଛି ଦଳ । ସେହିପରି ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସମସ୍ତ ବସ୍ତିକୁ ସବୁଦିନିଆ ରାସ୍ତା ନିର୍ମାଣର କଥା କୁହାଯାଇଛି । ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ୩୦ ହଜାର କିଲୋମିଟର ରାସ୍ତା ନିର୍ମାଣ କରିଯିବ । ଭାରତ ନେଟ ଏବଂ ମହାରାଷ୍ଟ୍ର ନେଟ ମାଧ୍ୟମରେ ସମଗ୍ର ରାଜ୍ୟକୁ ଇଣ୍ଟରନେଟରେ ଯୋଡିବାକୁ ସ୍ୱପ୍ନ ଦେଖାଇଛି ଦଳ ।