ବିକ୍ଷୋଭକାରୀ ବି ଦେଶକୁ ପ୍ରଚୁର ଭଲ ପାଆନ୍ତି, ପ୍ରମାଣ କରିଦେଲେ ଡିସିପି
ବିକ୍ଷୋଭ କେବଳ ଏକ ଅଭିମାନ ! ସରକାରଙ୍କ ପାତର ଅନ୍ତର ନୀତି ଉପରେ ପ୍ରତିବାଦ ! ହେଲେ ବିକ୍ଷୋଭକାରୀଙ୍କ ବି ରହିଛି ଅଜସ୍ର ଦେଶପ୍ରେମ ।
ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ସାରା ଦେଶର ବିକ୍ଷୋଭ ଜାରି ରହିଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ସରକାର ବିରୋଧୀ ନାରା ଦେଉଛନ୍ତି ଆନ୍ଦୋଳନକାରୀ । ପୋଡାଜଳା, ପଥର ଫିଙ୍ଗା ଇତ୍ୟାଦି ଘଟଣା ଘଟୁଛି । ଆଉ ଏହାରି ଭିତରେ ସାମନାକୁ ଆସିଛି ବେଙ୍ଗାଲୁରୁରେ ବିକ୍ଷୋଭ ଚାଲିଥିବା ବେଳର ଏକ ଭିଡିଓ । ଯେଉଁଠି ଜାତୀୟ ସଙ୍ଗୀତ ବାଜିଲେ, ବିକ୍ଷୋଭକାରୀ ଭୁଲି ଯାଉଛନ୍ତି ସବୁକିଛି । ନାରାବାଜି ବନ୍ଦ, ବିକ୍ଷୋଭ ପ୍ରଦର୍ଶନ ବି ବନ୍ଦ । ଛିଡା ହୋଇ ଏକ ସ୍ୱରରେ ଗାଉଛନ୍ତି ଆମ ଜାତୀୟ ସଙ୍ଗୀତ ।
ବିକ୍ଷୋଭ କେବଳ ଏକ ଅଭିମାନ ! ସରକାରଙ୍କ ପାତର ଅନ୍ତର ନୀତି ଉପରେ ପ୍ରତିବାଦ ! ହେଲେ ବିକ୍ଷୋଭକାରୀଙ୍କ ବି ରହିଛି ଅଜସ୍ର ଦେଶପ୍ରେମ । ଜାତୀୟ ସଙ୍ଗୀତ ବାଜିଲେ ସେମାନଙ୍କ ଲୋମ ବି ଟାଙ୍କୁରି ଉଠୁଛି । କେବଳ ଜାତୀୟ ସଙ୍ଗୀତକୁ ସମ୍ମାନ ନାଁ ରେ ଚୁପଚାପ୍ ଛିଡା ହେଉନାହାଁନ୍ତି, ନିଜ ମୁହଁରେ ଗୁଣଗୁଣ କରି ବୋଲୁଛନ୍ତି ମଧ୍ୟ । ଆଉ କେହି କେହି ତ ଉଚ୍ଚ ସ୍ୱରରେ ଗାଉଥିଲେ ଜାତୀୟ ସଙ୍ଗୀତ । ସିଏଏ ବିକ୍ଷୋଭ ବେଳେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ।
ପୁରା ଘଟଣା ଥିଲା ଏପରି । ଏ ଦୃଶ୍ୟ ବେଙ୍ଗାଲୁରୁ ସେଣ୍ଟ୍ରାଲ ଅଞ୍ଚଳର । ଗୁରୁବାର ସିଏଏକୁ ନେଇ ଏଠି ଆନ୍ଦୋଳନ ଚାଲିଥାଏ । ଆନ୍ଦୋଳନ ଯେପରି ହିଂସାତ୍ମକ ରୂପ ନ ନେବ, ସେଥିପାଇଁ ଡିସିପି ଚେତନ ସିଂହ ରାଠୌର ଏକ ନିଆରା ତରିକା ଆପଣେଇଥିଲେ । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ତାଙ୍କ ପାଖରେ ପହଞ୍ଚିଥିଲେ ଡିସିପି । ଲୋକଙ୍କୁ ଶାନ୍ତ ରଖିବା ପାଇଁ ନିଜେ ଜାତୀୟ ସଙ୍ଗୀତ ଗାଇଥିଲେ । ତାଙ୍କ ସହ ମିଶି ଜାତୀୟ ସଙ୍ଗୀତ ଗାଇବାକୁ ବିକ୍ଷୋଭକାରୀଙ୍କୁ ଅପିଲ ମଧ୍ୟ କରିଥିଲେ । ଆଉ ଡିସିପି ଜାତୀୟ ସଙ୍ଗୀତ ଆରମ୍ଭ କରୁ କରୁ ବିକ୍ଷୋଭକାରୀ ମଧ୍ୟ ଏକା ସାଙ୍ଗରେ ବୋଲିଥିଲେ । ସେଠାରେ ଯେ ବିକ୍ଷୋଭ ଚାଲିଛି, କିଛି ସମୟ ପାଇଁ ଏହା ଯେପରି ମନେ ହେଉନଥିଲା । ଡିସିପିଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଉଛି । ଏ ଭିଡିଓ ସୋଶିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।
ଆହୁରି ପଢନ୍ତୁ; ଭାରତ ବନାମ ବିରୋଧ