ପ୍ରେମାନନ୍ଦ ପୂଜାରୀ, ମୋହନା: ସାରା ଦେଶରେ କୋରନା ମୁକାବିଲା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଫଳରେ ପନିପରିବା ଚାଷୀ ଉପରେ ଏହାର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ପନିପରିବା ବିକ୍ରି ହୋଇପାରୁନି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । 


COMMERCIAL BREAK
SCROLL TO CONTINUE READING

ଗଜପତି ମୋହନାର ଆକିଲି ତଥା ଆଖପାଖ ଅଞ୍ଚଳର ପରିବା ଚାଷୀଙ୍କ ଉପରେ ପଡିଛି କରୋନା ମାଡ଼। ଏହି ଅଞ୍ଚଳର ଚାଷୀମାନେ ବର୍ଷ ତମାମ ହେକ୍ଟର ହେକ୍ଟର ଜମିରେ ବହୁ ପରିଶ୍ରମ କରି ବନ୍ଧା କୋବି, ଫୁଲ କୋବି, କଞ୍ଚା ମରିଚ, ବାଇଗଣ, ତରଭୁଜ ଭଳି ଅନେକ ପନି ପରିବା ଚାଷ କରିଆସୁଛନ୍ତି । ପୂର୍ବରୁ ଏହି ସ୍ଥାନରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ପରିବା ରପ୍ତାନୀ କରାଯାଉଥିଲା । ହେଲେ ଲକଡାଉନ ଯୋଗୁଁ ପରିବା ରପ୍ତାନୀ ହୋଇପାରୁନାହିଁ । କୌଣସି ବେପାରୀ ମଧ୍ୟ ପରିବା କିଣିବାକୁ ଆସୁନାହାଁନ୍ତି । ଫଳରେ ଶାଗ ମାଛ ଦରରେ ପାଖ ଆଖର ଲୋକଙ୍କୁ ପରିବା ଦେଇ ଦେଉଛନ୍ତି ଚାଷୀ । ଅନେକ ଚାଷୀଙ୍କ ପରିବା ନଷ୍ଟ ମଧ୍ୟ ହେଉଛି । 


ଜିଲ୍ଲାର ସର୍ବାଧିକ ପନିପରିବା ଉତ୍ପାଦନରେ ଆକିଲି ଗ୍ରାମର ଚାଷୀ ଅଗ୍ରଣୀ ରହିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ  ପରିବା ଚାଷରେ ହିଁ ନିର୍ଭରଶୀଳ । ଏଭଳି କ୍ଷେତ୍ରରେ ଉତ୍ପାଦିତ ସାମଗ୍ରୀର  ବିକ୍ରି ହେଉ ନ ଥିବା ହେତୁ ଋଣ ପରିଶୋଧ କିପରି କରିବେ, ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଅନେକ ଚାଷୀ । ଅପରପକ୍ଷରେ ରାସ୍ତା କଡ଼ରେ ପରିବା ପସରା ପକାଇ ଗ୍ରାହାକଙ୍କୁ ଚାହିଁ ବସିଥିଲେ ମଧ୍ୟ କେହି କିଣିବାକୁ ଆସୁନାହାନ୍ତି । ଫଳରେ କୁଇଣ୍ଟାଲ କୁଇଣ୍ଟାଲ ପରିବା ନଷ୍ଟ ହେଉଛି ।