ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନ ହେବା ପୂର୍ବରୁ ଖବରକାଗଜଠାରୁ ଆରମ୍ଭ କରି ଟିଭି, ଡିଜିଟାଲ ସବୁ ପ୍ଲାଟଫର୍ମରେ ଗୋଟିଏ ଚର୍ଚ୍ଚା ହେଉଥିଲା । ମହାରାଷ୍ଟ୍ରରେ ଏଥର ବିଜେପି ଓ ଶିବସେନା ମିଳିତ ସରକାର ଗଠନ ହେବ । ଦେବେନ୍ଦ୍ର ଫଡ଼ନାଭିସ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ।କିନ୍ତୁ ଏହା ନୋହିଲା । ନିର୍ବାଚନ ସରିଲା, ଫଳ ବି ବାହାରିଲା । ଏହାପରେ ଆରମ୍ଭ ହେଲା ସମସ୍ତଙ୍କର କଳନା । ଦୀର୍ଘ ଏକ ମାସ ଧରି ନାଟକ ବି ଚାଲିଲା । ଗତ ଶନିବାର ସକାଳୁ ସକାଳୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ବି କଲେ । ଏନସିପି ନେତା ବି ନିଜ ଦଳର ମୁଖିଆଙ୍କୁ ନ କହି ରାତାରାତି ବିଜେପିକୁ ସମର୍ଥନ କରିଥିଲେ । ବଦଳରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଥିଲେ । କିନ୍ତୁ ଏହି ତରବରିଆ ସରକାର ମାତ୍ର ୮୦ ଘଣ୍ଟା ତିଷ୍ଠି ପାରିଲା । କାରଣ ବିଜେପିର କୂଟନୀତି ଶିବସେନା-ଏନସିପି ଓ କଂଗ୍ରେସର ରଣନୀତି ଆଗରେ ବିଜେପିକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଦେଲା । କଥା ସୁପ୍ରିମକୋର୍ଟ ଯାଏ ଗଲା । ରବିବାରଠାରୁ ଶୁଣାଣି ଆରମ୍ଭ ହୋଇ ୩ଦିନ ଗଡ଼ିଲା । ପରେ ମଙ୍ଗଳବାର ରାୟ ଆସିଲା ୨୪ ଘଣ୍ଟା ମଧ୍ୟରେ ଫ୍ଲୋର୍ ଟେଷ୍ଟ୍ ପାଇଁ । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ଆଗରୁ ମହା-ରାଜନୀତିରେ ଆହୁରି ଗୋଟିଏ ବଡ଼ ଟ୍ୱିଷ୍ଟ୍ ହେଲା । ୮୦ ଘଣ୍ଟା ତଳେ କୋଳାକୋଳି ହୋଇଥିବା ଦଳ ଦୁଇଭାଗ ହୋଇଗଲେ

 

ମାନେ କର୍ଣ୍ଣାଟକ ପରି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଆସିବା ପରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଏନସିପି ବିଧାୟକ ଅଜିତ ପାୱାର ଇସ୍ତଫା ଦେଲେ । ତେଣୁ ବିଜେପି ଜାଣିଦେଲା ଆଉ ଯେତେ ଅଙ୍କ କଷିଲେ ସୁଦ୍ଧା ସ୍ଥିତି ସପକ୍ଷରେ ନାହିଁ । ଫ୍ଲୋର୍ ଟେଷ୍ଟରେ ବେଇଜ୍ଜତ ହେବା ଅପେକ୍ଷା ଆଗୁଆ ଇଜ୍ଜତ ବଞ୍ଚାଇ ବାଟ ବାଛିନେବା ଭଲ । ଏହି ସମୀକରଣରେ ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ଼ନାଭିସ ବି ତୁରନ୍ତ ଇସ୍ତଫା ଦେଇଦେଲେ । ଅଜିତ ଇସ୍ତଫା ଦେଇ ନିଜ ଦାଦା ଶରଦ ପାୱାରଙ୍କ କ୍ୟାମ୍ପକୁ ଏବେ ଫେରି ଯାଇଛନ୍ତି ।

 

୨୦୧୬ରେ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନସିପି ମୁଖିଆ ଶରଦ ପାୱାରଙ୍କ ପ୍ରଂଶସା କରି କହିଥିଲେ, ଶରଦ ଦାଦା ହେଉଛନ୍ତି ଜଣେ ବିଚକ୍ଷଣ ରାଜନୀତିଜ୍ଞ । ଏପରି କି ତାଙ୍କୁ ରାଜନୈତିକ ପାଣିପାଗ ବିଶେଷଜ୍ଞ କହିଲେ କିଛି ଭୁଲ ହେବନି । ତାଙ୍କୁ ଯଦି ପଚାରିବ ସେ ସହଜରେ କହିଦେବେ କେଉଁଠି କେଉଁ ଦଳର ପାଣିପାଗ କେମିତି ରହିବ । ହସ ହସରେ ମୋଦି ସେଦିନ କହିଥିବା କଥାକୁ ନେଇ ଅନେକ ଅଟ୍ଟହାସ୍ୟ ହୋଇଥିଲା, ଯେଉଁଦିନ ଅଜିତ ତାଙ୍କ କ୍ୟାମ୍ପ ଛାଡ଼ି ବିଜେପି ହାତ ଧରି ଶପଥ ନେଇଗଲେ । ଆଉ ସେହିଦିନଠାରୁ ନିରବ ଥିବା ଶରଦ ମଙ୍ଗଳବାର ଏମିତି ରାଜନୈତିକ ଚକ୍ର ଘୁରାଇଲେ ଯେ, ବାକି ବିଧାୟକ ବିଦ୍ରୋହ କରିବା କଥା ଦୂରେ ଥାଉ, ଖୋଦ୍ ଅଜିତ୍ ଉପମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଫେରିଆସିଥିଲେ ଶରଦଙ୍କ ପାଖକୁ । ଅର୍ଥାତ୍ ମୋଦି ହସରେ ହସରେ ଯେଉଁ କହିଥିଲେ, ଶରଦ ଦାଦା ହେଉଛନ୍ତି ରାଜନୈତିକ ପାଣିପାଗ ବିଶେଷଜ୍ଞ, ତାହା ସେ ପ୍ରମାଣ ବି କରିଦେଖାଇଛନ୍ତି ।

 


 

ଏ ବୟସରେ ଶରଦ ପାୱାରଙ୍କ ରାଜନୀତି ଓ ବିଚକ୍ଷଣ ବୁଦ୍ଧିରୁ ନିଶ୍ଚିତ ଭାବେ ଦେଶର ଅନ୍ୟ ରାଜନେତାମାନେ କିଛି ଶିଖିବା ଜରୁରୀ । ପିଲାଦିନେ ପ୍ରାୟ ସମସ୍ତେ ଏକ କାହାଣୀ ଶୁଣିଥିବେ ।ପ୍ରଥମେ ଗୋଟିଏ କାଠି ଭାଙ୍ଗିବାକୁ ଜଣକୁ ଦିଆଗଲା । ପିଲାଟି ଅତି ସହଜରେ କାଠିଟିକୁ ଭାଙ୍ଗି ଦେଇଥିଲା । ଏହାପରେ ତାକୁ ଏକା ଥରକେ ଦୁଇଟି କାଠି ଦିଆଗଲା । ତାକୁ ଭାଙ୍ଗିବାକୁ ପିଲାଟିକୁ ଟିକିଏ କଷ୍ଟ କରିବାକୁ ପଡ଼ିଲା । ଏହାପରେ ପିଲାଟିକୁ ଗୋଟିଏ ବିଡ଼ା କାଠି ଭାଙ୍ଗିବାକୁ ଦିଆଯାଇଥିଲା, କିନ୍ତୁ ପିଲାଟି ବିଡ଼ାଏ କାଠିକୁ ଭାଙ୍ଗି ପାରି ନ ଥିଲା ।୨୦୧୯ ନିର୍ବାଚନ ପୂର୍ବରୁ ଦେଶରେ 'ମହାମେଣ୍ଟ'ର ଏକ ହାୱା ଉଡ଼ୁଥିଲା ।ମୋଦି ସରକାରକୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଏକାଠି ହେବାକୁ ହାତ ବଢ଼ାଇ ଥିଲେ ।କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇ ନ ଥିଲା । କାରଣ, ଜନତାଙ୍କ ଆଗରେ ଏକାଠି ହେବାର ଅଭିନୟ କରୁଥିଲେ ମଧ୍ୟ କାହାରି ଭିତରେ ତାଳମେଳ ନ ଥିଲା । ସିଏ ରାହୁଲ ଗାନ୍ଧି କି ସୋନିଆ ଗାନ୍ଧି ହୁଅନ୍ତୁ ଅବା ମମତା ଦିଦି, ଚନ୍ଦ୍ରବାବୁ ନାଇଡ଼ୁ ।ମାୟାବତୀ, ଅଖିଳେଶଙ୍କ ଭଳି ବଡ଼ ବଡ଼ ନେତା ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାକ୍ ଚାତୁରୀ ଓ ଅମିତ ଶାହଙ୍କ ବିଚକ୍ଷଣ ବୁଦ୍ଧି ଆଗରେ ସେସବୁ ଫେଲ୍ ମାରିଥିଲା ।ସେହିପରି ଲୋକମାନେ ମଧ୍ୟ ଉପା ସରକାର-୧ ଓ ଉପା ସରକାର-୨ ସମୟରେ ହୋଇଥିବା ଦୁର୍ନୀତି ଆଦିରେ ଅତିଷ୍ଠ ହୋଇ ପଡ଼ିଥିଲେ ।ସେଥିପାଇଁ ବୋଧହୁଏ ଜନତା ଏକ ବିକଳ୍ପ ଖୋଜୁ ଖୋଜୁ ୨୦୧୪ରେ ବିଜେପି ଉପରେ ଭରସା କରିଥିଲେ ।ପ୍ରଥମ ପାଞ୍ଚ ବର୍ଷ ଭିତରେ ହାଇଟେକ୍ ପଦ୍ଧତିରେ ମୋଦି ସରକାରଙ୍କ ନୀତି ଲୋକଙ୍କୁ ଆକୃଷ୍ଟ କରିଥିଲା ।ବିଶେଷ କରି ଯୁବଗୋଷ୍ଠୀ ମୋଦିଙ୍କୁ ପାଗଳ ଭାବେ ସମର୍ଥନ କରିବାକୁ ଲାଗିଲେ ।୨୦୧୯ରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା କମି ନ ଥିଲା ।ମହାମେଣ୍ଟକୁ ଚେକ୍ ଦେଇ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା । ଅନ୍ୟପଟେ କଂଗ୍ରେସର ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଲା ।

 

୨୦୧୯ ନିର୍ବାଚନ ପରେ କିନ୍ତୁ ଦେଶ ଏକ ସମୃଦ୍ଧ ରାଷ୍ଟ୍ର ହୋଇ ପାରିଛି କି ? ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଦେଇ ଦେଶ ଗତି କରୁଥିବାବେଳେ ବିଶ୍ୱର ସବୁଠାରୁ ବଡ଼ ଧନୀ ତଥା ଶିଳ୍ପପତି ବିଲଗେଟ୍ସ ଭାରତ ଆସି ଦେଶ ଅର୍ଥନୀତି ଠିକ୍ ଦିଗରେ ଯାଉଥିବା କହିଥିଲେ । କିନ୍ତୁ ବାସ୍ତବ ସମ୍ପୂର୍ଣ୍ଣ ଓଲଟା । ବେକାରୀ ସମସ୍ୟା, କଳ କାରଖାନା ବନ୍ଦ, ଆମଦାନୀ-ରପ୍ତାନୀ ହ୍ରାସ ଆଦିକୁ ଦେଖିଲେ, ଦେଶର ଅର୍ଥନୀତି କେତେ ସୁଧୁରିଛି ତାହା ସ୍ପଷ୍ଟ ଅନୁମେୟ । ଯେତେବେଳେ ଦେଶ ଏକ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି, ସେହି ସମୟରେ ମହାରାଷ୍ଟ୍ର ରାଜନୀତି ନିଶ୍ଚିତ ରୂପେ ଅନେକ ଦିଗରୁ ଏକ ବଡ଼ ଶିକ୍ଷା ଦେଇଛି ।ଶିବସେନାର ଆଇଡିଓଲୋଜି ହିନ୍ଦୁବାଦୀ ଥିବା ସତ୍ତ୍ୱେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସରକାର ଗଠନ କରିବା ଏକ ନୂଆ ଦିଶା ଦେଖାଉଛି ।ସେହିପରି କଠୋର ହିନ୍ଦୁବାଦୀ ନେତା ଉଦ୍ଧବ ଠାକରେ ନିଜ ପୁଅର ଭବିଷ୍ୟତକୁ ହିନ୍ଦୁତ୍ୱବାଦୀ ଭିତରେ ସୀମିତ ନ ରଖି ଧର୍ମ ନିରପେକ୍ଷତା ଭିତରକୁ ପଠାଇ ଦେଇଥିବା ନିଶ୍ଚିତ ଭାବେ ଏକ ବଡ଼ ଉଦାହରଣ । ତେଣୁ, ୮୦ ବର୍ଷ ବୟସରେ ବି ରାଜନୀତିର ଧୂରୀଣ ନେତା ଶରଦ ପାୱାରଙ୍କ ପଲିଟିକାଲ କାର୍ଡ ବିଜେପିକୁ ଏକ ପ୍ରକାର ଅଣନିଃଶ୍ୱାସୀ କରିଦେଇଛି ଽ

ଆଗାମୀ ନିର୍ବାଚନ ପାଇଁ ବିରୋଧୀଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଅଛି । କଂଗ୍ରେସ ପାଇଁ ବି ଏବେ ଏକ ନୂଆ ସୁଯୋଗ ଆସିଛି ।ଦଳୀୟ କନ୍ଦଳଠାରୁ ଦୂରେଇ ରହି ଦଳ ଲୋକଙ୍କ ଆସ୍ଥାଭାଜନ କରିପାରିଲେ ଆଗାମୀ ଦିନରେ ହୁଏତ ଅଙ୍ଗାର ନିଆଁ ଚିହିଁକିଲା ଭଳି କଂଗ୍ରେସ ବି ଚିହିଁକି ଉଠିପାରେ । ସେହିପରି ମୋଦି ସରକାର ବିରୋଧରେ ଏକାଠି ହେବା ପାଇଁ ବିରୋଧୀଙ୍କର ଏହା ହେଉଛି ଏକ ଉପଯୁକ୍ତ ସମୟ ।ଏବେଠାରୁ ଗୋଟିଏ ଗୋଟିଏ କାଠି ଏକାଠି ହେଲେ, ଆଗାମୀ ଦିନରେ ବିରୋଧୀ ଗୋଟିଏ ବିଡ଼ାର ଆକାର ନେଇପାରିବେ, ଯାହାକୁ ଭାଙ୍ଗିବା କାଠିକର ପାଠ ହେବ ।