ଇସ୍ରୋ ଯିବେ ମାଓ ଇଲାକାର ପୁଅ
ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ।
ଅଶୋକ ମିଶ୍ର, ମାଲକାନଗିରି: ଇସ୍ରୋ ଯିବେ ଲାଲଗଡର ପୁଅ । ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପ୍ରତିଭା ବଳରେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀ ଛାତ୍ର ଅବିନାଶ ବେହେରା ।
ଅବିନାଶ , ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ବିଜେତା ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ । ଚଳିତବର୍ଷ ଟାଟା ଷ୍ଟିଲ୍ କମ୍ପାନୀ ପକ୍ଷରୁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ ହୋଇଥିଲା ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ମୋଟ ୩୦୦ଟି ବିଦ୍ୟାଳୟରୁ ୬୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିଭା ଦେଖାଇ ସଫଳ ହୋଇଥିବା ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅବିନାଶ । ଅବିନାଶଙ୍କ ବାପା ଜଣେ ଶିକ୍ଷକ ଥିବା ବେଳେ ସେ ପିଲାଟି ଦିନରୁ ନିଜ ପୁଅକୁ ଜଣେ ଭଲ ମଣିଷ ରୂପେ ଗଢି ତୋଳିବା ପାଇଁ ପ୍ରୟାସ ଜାରି ରଖିଥିଲେ । ପିଲାଟି ଦିନରୁ ଅବିନାଶ ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବାକୁ ରୁଚି ରଖିଥିଲେ । ଆଉ ତାଙ୍କର ଏହି ନିଷ୍ଠା ଓ କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ରାସ୍ତା ଦେଖାଇଛି । କେବଳ ଇସ୍ରୋ ନୁହେଁ ନାଶା ଯାଇ ସେ ଜଣେ ସଫଳ ମହାକାଶ ବୈଜ୍ଞାନିକ ହୋଇପାରିବେ ବୋଲି ଆଶା ରଖିଛନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ।
ମାଲକାନଗିରି ଭଳି ଆଦିବାସୀ ବହୁଳ ଓ ମାଓଗଡ ରୂପେ ପରିଚିତ ଜିଲ୍ଲାର ଯୁବପିଢୀ ଦିନକୁ ଦିନ ଜିଲ୍ଲାପାଇଁ ଗୌରବ ଅନୁଥିବା ବେଳେ ରାଜ୍ୟ ସରକାର ଜିଲ୍ଲା ପ୍ରତି ବିଶେଷ ଦୃଷ୍ଟି ଦେଲେ ଏଭଳି ଅନେକ ଲୁକ୍କାୟତ ପ୍ରତିଭା ସାମ୍ନାକୁ ଆସିବା ସହ ଦେଶ ପାଇଁ ଗୌରବ ଆଣିପାରିବେ ।