ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ୍ ସିଏଏ
ଶେଷରେ ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ୍ CAA ।
ନୂଆଦିଲ୍ଲୀ: ଶେଷରେ ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ୍ CAA । ବାଦବିବାଦ, ବିରୋଧ ଲାଗି ରହିଥିବା ବେଳେ ୧୦ ତାରିଖରୁ ଦେଶରେ CAAକୁ ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଦେଶର ବିଭିନ୍ନ ସ୍ଥାନରେ CAAକୁ ନେଇ ବିରୋଧ ଜାରି ରହିଛି । ଅନେକ ସ୍ଥାନରେ ହିଂସା ଯୋଗୁଁ ଜଟିଳ ସମସ୍ୟା ମଧ୍ୟ ଦେଖାଦେଇଛି । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ନାଗରିକତା ସଂଶୋଧନ ଆଇନ୍ ଦେଶ ହିତରେ ବଡ଼ ପଦକ୍ଷେପ ବୋଲି ସରକାର ଦର୍ଶାଇବା ସହ ନୋଟିଫିକେସନ୍ ଜାରି କରିଛନ୍ତି ।
CAA ଲାଗୁ ଫଳରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିବା ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ୍ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ଭାରତର ନାଗରିକତା ସହଜରେ ମିଳିପାରିବ । ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ଏହି ସଂପ୍ରଦାୟର ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ତେବେ, ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନରେ ବିଶେଷ କାରଣ ଯୋଗୁଁ ଆଇନକୁ ଲାଗୁ କରାଯାଇନାହିଁ । କେନ୍ଦ୍ର ସରକାର ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ତେବେ, ଆଇନ୍ ଲାଗୁ ଦ୍ୱାରା ଭାରତୀୟଙ୍କ ନାଗରିକତା ପ୍ରଭାବିତ ହେବ ନାହିଁ । ତେଣୁ ସମସ୍ତେ ନିଶ୍ଚିନ୍ତ ରହିବାକୁ କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।