ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ସଂକଟ ଜାରି ରହିଥିବା ବେଳେ ପାକିସ୍ତାନ କିନ୍ତୁ ଆତଙ୍କୀ କାର୍ଯ୍ୟକଳାପରୁ ଦୁରେଇ ରହିନାହିଁ। କୋରୋନା ସଂକଟ ମଧ୍ୟରେ ପାକିସ୍ତାନ ଭାରତର ସୀମାନ୍ତ ଅଞ୍ଚଳରେ ବାରମ୍ବାର ଆତଙ୍କୀ ଆକ୍ରମଣ କରିବାରେ ବ୍ୟସ୍ତ ରହିଛି। ବିଗତ କିଛି ଦିନ ମଧ୍ୟରେ ପ୍ରାୟ ୩ ରୁ ୪ ଥର ଆକ୍ରମଣ କରିସାରିଛି। ଆଜି ମଙ୍ଗଳବାର ସନ୍ଧ୍ୟା ସମୟରେ ପୁଞ୍ଚ ଜିଲ୍ଲାର ଦୁଇଟି ସେକ୍ଟରରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ସାଢେ ୫ଟା ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି। ଜିଲ୍ଲାର କସବା ସେକ୍ଟର ଓ କିରଣୀ ଅଞ୍ଚଳରେ ଆତଙ୍କବାଦୀ ଆଖିବୁଜା ଆକ୍ରମଣ କରିଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ ମୋର୍ଟାର ମଧ୍ୟ ମାଡ଼ କରିଥିବା ଜଣାପଡ଼ିଛି। ତେବେ ଏହାବ ପୂର୍ବରୁ ଆଜି ସକାଳ ପ୍ରାୟ ସାଢେ ୧୧ଟା ସମୟରେ ମଧ୍ୟ ଆକ୍ରମଣ କରିଥିବା ସୂଚନା ରହିଛି। ପ୍ରତିରକ୍ଷା ବିଭାଗର ପ୍ରବକ୍ତା ଏନେଇ ସୂଚନା ଦେଇଛନ୍ତି। 


ସେ କହିଛନ୍ତି କି ପାକିସ୍ତାନ ବିଗତ ୧୫ ଦିନ ମଧ୍ୟରେ ଜମ୍ମୁ କାଶ୍ମୀରର ଘାଟି ଅଞ୍ଚଳରେ ଗୁଳି ମାଡ଼ କରିଆସୁଛି। ତେବେ ଗତ ସପ୍ତାହରେ ନିୟନ୍ତ୍ରଣ ରେଖା ନିକଟ ରଜୌରୀ, ପୁଞ୍ଚ ଓ କୁପଓ୍ୱାରାରେ ମଧ୍ୟ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ୩ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସାଧାରଣ ଅଞ୍ଚଳରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। 


ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକ କହିଥିଲେ କି, ଜାନୁୟାରୀରୁ ଫେବୃଆରୀ ମାସ ମଧ୍ୟରେ ଏକାଧିକ ବାର ନିୟନ୍ତ୍ରଣ ରେଖା ଉଲଂଘନ କରାଯାଇଛି। ଏହା ସହିତ ୬୪୬ ଥର ଗୁଳି ବର୍ଷଣ କରାଯାଇଛି। ସେହିପରି ୨୦୧୯ ମସିହାରେ ପ୍ରାୟ ୩୨୦୦ ଥର ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରାଯାଇ ଗୁଳି ବର୍ଷଣ କରାଯାଇଥିବା ବୋଲି ସେ କହିଥିଲେ।