ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୀତିରେ ଆସିଛି ନୂଆ ମୋଡ଼ । ଶେଷରେ ରାଜ୍ୟରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଶାସନ ପାଇଁ ଭଗତିସଂହ କୋଶିୟାରୀ କେନ୍ଦ୍ରକୁ ସୁପାରିଶ ପଠାଇଥିଲେ । କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ରାଷ୍ଟ୍ରପତିଙ୍କ ପାଖକୁ ପଠା ଯାଇଥିଲା । ଯାହାକୁ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସାମ୍ବିଧାନିକ ନିୟମ ଅନୁସାରେ ସରକାର ଗଢିବାରେ କୌଣସି ଦଳ ସମର୍ଥ ନହେବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିୟାରି । ସମ୍ବିଧାନରେ ଧାରା ୩୫୬ ଅନୁସାରେ ସେ ଏହି ସୁପାରିଶ କରିଛନ୍ତି । ପ୍ରଥମେ ମହାରାଷ୍ଟ୍ର ରାଜ୍ୟପାଳ କେନ୍ଦ୍ର ଏବଂ ଆଇନ ବିଶାରଦଙ୍କ ଠାରୁ ଆଇନଗତ ପରାମର୍ଶ ନେଇଥିଲେ । ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ ।


ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ବୈଠକରେ ମହାରାଷ୍ଟ୍ର ରାଜନୈତିକ ସ୍ଥିତି ନେଇ ଆଲୋଚନା ହୋଇଥିଲା । ଶେଷରେ ମୋଦି କ୍ୟାବିନେଟ ମଧ୍ୟ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିବା ଜଣାପଡିଛି । ରାଷ୍ଟ୍ରପତି ପଞ୍ଜାବ ଗସ୍ତରେ ଥିଲେ । ପଞ୍ଜାବରୁ ଫେରିବା ପରେ ସେ ଏହା ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । 


ସେପଟେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା । ଏନେଇ ଦଳ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଛି । ସରକାର ଗଠନ ପାଇଁ ରାଜ୍ୟପାଳ ବିଜେପିକୁ ୪୮ ଘଣ୍ଟା ସମୟ ଦେଇଥିବା ବେଳେ ଶିବସେନାକୁ ମାତ୍ର ୨୪ ଘଣ୍ଟା ସମୟ କାହିଁକି ଦେଲେ, ତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । ଶିବସେନା ପକ୍ଷରୁ ଆଇନଜୀବୀ ସୁନିଲ ଭର୍ଣ୍ଣାଡିଜ ଏହି ପିଟିସନ ଦାଖଲ କରିଛନ୍ତି ।