ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ବଦଲା କାହାଣୀ
ଘରେ ପଶି ମାରିବୁ...
ନୂଆଦିଲ୍ଲୀ: ଯେତେବେଳେ ପୁଲୱାମା ଆକ୍ରମଣ ଘଟଣାକୁ ନେଇ ଦେଶବାସୀଙ୍କ ଭିତରେ ପ୍ରତିଶୋଧର ନିଆଁ ଜଳୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ । ଆଉ ମୋଦିଙ୍କ ଏହି କିଛି ପଦ କଥା ହିଁ ଲେଖିଥିଲା ପୁଲୱାମା ଆକ୍ରମଣର ପ୍ରତିଶୋଧ କାହାଣୀ । ଆଜି ପୁଲୱାମା ଆକ୍ରମଣକୁ ବର୍ଷେ ପୁରିଛି । ମନେ ପଡୁଛି ଶହୀଦଙ୍କ ତ୍ୟାଗ ଓ ବଳିଦାନର କାହାଣୀ । ଆଉ ଏସବୁ ଭିତରେ ମୋଦିଙ୍କ ସେହି କେଇପଦ କଥା ମଧ୍ୟ ଆଖି ସାମ୍ନାରେ ନାଚି ଉଠୁଛି ।
୪୦ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖି ଦେଶବାସୀ ପ୍ରତିଶୋଧର ନିଆଁରେ ଜଳୁଥାନ୍ତି । ଆତଙ୍କବାଦୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଥାଏ ।
ଆଉ ଏହାରି ଭିତରେ ଦେଶବାସୀଙ୍କୁ ସମ୍ମୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଏଭଳି ଏକ ଘଟଣା ପରେ ମୋଦି କିଛି କୁହନ୍ତୁ, ଏକଥା ଦେଶବାସୀ ଆଶା କରିବା ସ୍ୱଭାବିକ କଥା । ଆଉ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁଲୱାମା ଆକ୍ରମଣକୁ ନେଇ ବିଭିନ୍ନ ସଭାରୁ ଆତଙ୍କବାଦୀଙ୍କୁ ଦେଇଥିଲେ କଡ଼ା ଚେତାବନୀ ।
ମୋଦିଙ୍କ ସେହି କେଇପଦ କଥା...
୧୬ ଫେବୃଆରୀ
ପୁଲୱାମା ଆକ୍ରମଣକାରୀଙ୍କୁ କେଉଁ ଦଣ୍ଡ ଦିଆଯିବ, ତାହା ଆମ ଯବାନ ନିଷ୍ପତ୍ତି ନେବେ ।
ଆପଣଙ୍କ ଆଖିରେ ଯେଉଁ ଲୁହ ବହୁଛି, ତାର ଜବାବ ନିଆଯିବ ।
୧୭ ଫେବୃଆରୀ
ଆପଣଙ୍କ ହୃଦୟରେ ଯେଉଁ ନିଆଁ ଜଳୁଛି, ତାହା ମୋ ହୃଦୟରେ ମଧ୍ୟ ଅଛି ।
ଖୋଜି ଖୋଜି ବଦଲା ନେବା ମୋ ପ୍ରକୃତି, ଆମ ସିଦ୍ଧାନ୍ତ । ଆମେ ଘରକୁ ପଶି ମାରିବୁ ।
ମୋଦିଙ୍କ ଏହି ଭାଷଣ କେବଳ କଥାରେ ସୀମିତ ନଥିଲା । ୨୭ ଫେବୃଆରୀରେ ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ ।