ସଞ୍ଜୟ ମହାପାତ୍ର, ପୁରୀ: ପୁରୀକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା "ମୋ ଧାମ, ମୋ ଗର୍ବ" (Mo Garba Mo Dhama) ଅଭିଯାନର ସଫଳ ରୂପାୟନ ପାଇଁ ଲାଗିପଡିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ (Collector Balwant Singh)। ଖୋଦ୍ ନିଜେ ଜିଲ୍ଲାପାଳ ସାଇକେଲରେ ସାହିସାହି ବୁଲି ସ୍ୱଚ୍ଛତାର ସର୍ଭେ କରିବା ସହ 'ମୋ ଧାମ ମୋ ଗର୍ବ' ଅଭିଯାନରେ ପବିତ୍ର ପୁରୀ ଗର୍ବ ଆମରି ସ୍ଲୋଗାନକୁ ସଫଳ କରାଯିବା ନେଇ କିଭଳି ସହରବାସୀଙ୍କ ସହଯୋଗ ରହିଛି  ତାହାର ଅନୁଧ୍ୟାନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେଣୁ ସକାଳୁ ଅଚାନକ ଜିଲାପାଳ ସାଇକେଲରେ ବାହାରି ଅନ୍ୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ବିଭିନ୍ନ ମଠ ପରିକ୍ରମା କରିଛନ୍ତି। ଏଥିସହ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ମୋ ଧାମ,ମୋ ଗର୍ବ ଅଭିଯାନ କାର୍ଯ୍ୟ ମଧ୍ୟ ତଦାରଖ କରିଛନ୍ତି।ଜିଲ୍ଳାପାଳ ପ୍ରଥମେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନାପୀଠ ବଡ଼ ଓଡ଼ିଆ ମଠକୁ ଯାଇ ସ୍ଥିତି ପରଖିଛନ୍ତି।ଦୀର୍ଘବର୍ଷ ହେବ ଏହି ମଠ ନିଶାବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା।ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ଏହି ମଠର ପୁନରୁଦ୍ଧାର ପାଇଁ ଜିଲାପାଳ ଓ ଅନ୍ୟ ଅଧିକାରୀ ସାଂପ୍ରତିକ ସ୍ଥିତି ବୁଲି ଦେଖିଛନ୍ତି।


ଏଥିସହ ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ୭୫ ମିଟର ଚୌହଦିରେ ବିଶ୍ୱସ୍ତରୀୟ ଐତିହ୍ୟ ସହର ପାଇଁ ହୋଇଥିବା ଉଚ୍ଛେଦ କାର୍ଯ୍ୟ ଯୋଗୁଁ ଜମା ହୋଇଥିବା କଠିନ ଆବର୍ଜନା ସ୍ଥାନାନ୍ତର ନେଇ ଜିଲ୍ଳାପାଳ ନିର୍ଦେଶ ଦେଇଛନ୍ତି। 'ମୋ ଧାମ ମୋ ଗର୍ବ' ଯୋଜନାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ମହାପ୍ରସାଦର ବଳକା ଅଂଶ, ଫୁଲ, ଫଳ ସ୍ଥାନାନ୍ତର ପାଇଁ ନିୟୋଜିତ ହୋଇଥିବା କୈବଲ୍ୟ ରଥର କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଜିଲାପାଳଙ୍କ ଏଭଳି ଅଚାନକ ଗସ୍ତ ଅନ୍ୟ ଅଧିକାରୀଙ୍କୁ ଉତ୍ସାହିତ କରିଛି।