ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ହାଇଭୋଲଟେଜ ରାଜନୈତିକ ଡ୍ରାମା ଜାରି ରହିଛି । ସମୟ ସହିତ ତାଳ ଦେଇ ରାଜ୍ୟ ରାଜନୀତି ମାହୋଲରେ ମଧ୍ୟ ଟ୍ୱିଷ୍ଟ ଆସୁଛି । ସେପଟେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଚିଠି ମାଧ୍ୟମରେ ଚେତାବନୀ ଦେଇଛନ୍ତି । ମାତ୍ର ବର୍ତ୍ତମାନ ଏହା ସମ୍ଭବ ନୁହେଁ ବୋଲି କମଳନାଥ ରାଜ୍ୟପାଳଙ୍କ ଚିଠିର ଉତ୍ତର ରଖିଛନ୍ତି । ବହୁମତ ସାବ୍ୟସ୍ତ କରିବା ପାଇଁ ସମୟ ଗଡ଼ାଉଛି ବର୍ତ୍ତମାନର କଂଗ୍ରେସ ସରକାର । କମଳନାଥଙ୍କ ପାଇଁ ଅଡ଼ୁଆ ବଢୁଥିବା ବେଳେ ବହୁମତ ସାବ୍ୟସ୍ତ କରିବା ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି କମଳନାଥ । 


COMMERCIAL BREAK
SCROLL TO CONTINUE READING

ସେପଟେ ରାଜ୍ୟରେ ପୁନର୍ବାର ବିଜେପି କ୍ଷମତାକୁ ଆସିବ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେ କହିଛନ୍ତି କି, ବୁଧବାର ଫ୍ଲୋର ଟେଷ୍ଟ ସମୟରେ ବର୍ତ୍ତମାନର ସରକାର ନିଶ୍ଚିତ ଭାବେ ଭାଙ୍ଗିବ । ବିଜେପି ନିକଟରେ ସରକାର ଗଠନ କରିବା ପାଇଁ ବହୁମତ ରହିଛି । 


 



ଏଠାରେ କହି ରଖୁଛୁ ଯେ, କୋରୋନା ଭାଇରସ ପାଇଁ ସୋମବାର ବଜେଟ ଅଧିବେଶନ ଆରମ୍ଭରୁ ହିଁ ଗୃହ ମୁଲତବୀ କରିଦିଆଯାଇଥିଲା । ସୋମବାର ବହୁମତ ସାବ୍ୟସ୍ତ କରିବା ପାଇଁ ପୂର୍ବରୁ ରାଜ୍ୟପାଳ ସମୟ ଧାର୍ଯ୍ୟ କରିଥିଲେ । ମାତ୍ର ସେହିଦିନ କୋରୋନା ଭାଇରସର ଆଳ ଦେଖାଇ ମୁଖ୍ୟମନ୍ତ୍ରୀ କମଳନାଥ ଗୃହକୁ ମୁଲତବୀ କରି ଦେଇଥିଲେ । 


ତେବେ ଏହି ଘଟଣାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେପି । ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲା ବିଜେପି । ଏହାର ପ୍ରଭାବରେ ସୋମବାର ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ମଙ୍ଗଳବାର ବହୁମତ ସାବ୍ୟସ୍ତ କରିବାକୁ ଚିଠି ଲେଖିଥିଲେ ରାଜ୍ୟପାଳ ଲାଲାଜୀ ଟଣ୍ଡନ । ଆଜି ଶିବରାଜ ସିଂହ ଚୌହାନ କହିଛନ୍ତି କି, ସରକାରଙ୍କ ନିକଟରେ ବହୁମତ ସାବ୍ୟସ୍ତ କରିବା ପାଇଁ ସମ୍ବଳ ନାହିଁ । ପୁନର୍ବାର ବିଜେପି କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି ।